ଚର୍ଚ୍ଚାରେ ବିରାମ । ମନମୋହନ ସାମଲ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୧୦ ଉପସଭାପତି, ୫ ସାଧାରଣ ସଂପାଦକ ଓ ୧୦ ସମ୍ପାଦକଙ୍କ ସହ ୩୫ ଜଣିଆ ଟିମ୍ ତାଲିକା ଜାରି ହୋଇଛି । ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚାର ସଭାପତି ବଦଳିଥିଲା ବେଳେ ସଙ୍ଗଠନ ମହାମନ୍ତ୍ରୀ ଭାବେ ମାନସ ମହାନ୍ତିଙ୍କୁ ପୁଣି ଥରେ ଦାୟିତ୍ୱ ଦିଆଯାଇଛି । ଏସବୁ ଭିତରେ କିଛି ବରିଷ୍ଠ ନେତାଙ୍କୁ ବାଦ୍ ବି ଦିଆଯାଇଛି ।
ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ । ଯେଉଁଥିରେ ଅଛନ୍ତି ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସଂପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟାକ୍ଷ ଓ ସହ କୋଷାଧ୍ୟକ୍ଷ।
ମାନସ ମହାନ୍ତିଙ୍କୁ ସଙ୍ଗଠନ ମହାମନ୍ତ୍ରୀ ଭାବେ ପୁଣି ଥରେ ଦାୟିତ୍ୱ ଦିଆଯାଇଛି । ସାରଦା ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା, ସିମାଚଂଳ ଖଟେଇଙ୍କୁ ସାଧାରଣ ସଂପାଦକର ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିରଞ୍ଚି ତ୍ରିପାଠୀ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭଳି ନେତାଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ।
ସେପଟେ ବଦଳିଛନ୍ତି ବିଜେପି ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ସଭାପତି । ଅଭିଳାଶ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି, ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ଓ ମହେଶ୍ୱର ସାହୁ କିଷାନ ମୋର୍ଚ୍ଚାର ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ନିତ୍ୟାନନ୍ଦ ଗଣ୍ଡଙ୍କୁ ଏସ୍. ଟି ମୋର୍ଚ୍ଚାର ସଭାପତି, ବିଭୁ ପ୍ରସାଦ ତରାଇଙ୍କୁ ଏସ.ସି ଓ ସୁରଥ ବିଶ୍ୱାଳଙ୍କୁ ଓବିସି ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି । ଉମାକାନ୍ତ ପଟ୍ଟନାୟକଙ୍କୁ ମିଳିଛି ସୋସିଆଲ୍ ମିଡିଆ ଇନ୍ ଚାର୍ଜ ଦାୟିତ୍ୱ।
Also Read
ସେପଟେ ପୂର୍ବ ଟିମ୍ରୁ ବାଦ୍ ପଡିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ସଂଗିତା ସିଂହଦଓ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଭଳଭଦ୍ର ମାଝୀ, ଭାସ୍କର ମଢେଇ, କାଳନ୍ଦୀ ସାମଲ ଓ ପିଙ୍କି ପ୍ରଧାନ ପ୍ରମୁଖ । ପ୍ରଦୀପ ପୁରୋହିତ, ସ୍ମତି ପଟ୍ଟନାୟକଙ୍କୁ ବି ବାଦ୍ ଦିଆଯାଇଛି । ନିର୍ବାଚନ ଲଢିବାକୁ ଥିବା ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବା ପାଇଁ କମିଟିରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ସେପଟେ ନୂଆ ଟିମ୍ ଆଗରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଲା ଆଗାମୀ ସାଧାରଣ ନିର୍ବାଚନ । ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ମଜଭୁତ କରିବା, ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଲଢେଇ ପାଇଁ ପ୍ରସ୍ତୁତ ହେବା, ମୋଦୀ ସରକାରଙ୍କ ସଫଳ ବାର୍ତ୍ତାକୁ ଲୋକଙ୍କ ପାଖରେ ରଖିବା ଓ ସମନ୍ୱୟର ସହ ଦଳ ପାଇଁ କାର୍ଯ୍ୟ କରିବା ବି ଟିମ୍ ମନମୋହନ ପାଇଁ ଚ୍ୟାଲେଂଜ ହେବ ।
ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ହେଉଛି । ଏପରିିକି ଅନ୍ୟ ରାଜ୍ୟ ସହ ଡିସେମ୍ବରରେ ବିଧାନସଭା ଭୋଟ ହୋଇପାରେ ବୋଲି ବି କୁହାଯାଉଛି । ଏସବୁ ଭିତରେ ମନମୋହନଙ୍କ ଏ ନୂଆ ଟିମ୍ ଏତିକି ସମୟରେ ରାଜ୍ୟ ବିଜେପି ପାଇଁ ସଫଳତା ଆଣିବାରେ କେତେ ସହାୟକ ହେବ ତା’ଉପରେ ନଜର ରହିଛି ।