Advertisment

ବିଧାନସଭା ଗେଟ୍‌ ଆଗରେ କଂଗ୍ରେସର ଧାରଣା

ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାର ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି।

ଅଦ୍ୟତନ ହୋଇଛି
 Congress Legislators Stage Dharna

Congress Legislators Stage Dharna

Advertisment

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାକୁ ଥିବା ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ମହମ୍ମଦ ମୋକିମଙ୍କ ସହ ଅନ୍ୟ ବିଧାୟକ। 

Advertisment

ସୂଚନା ଅନୁସାରେ, ୨ଟି ଗେଟ୍‌ରେ କଂଗ୍ରେସର ୬ ବିଧାୟକ ଧାରଣା ଦେଉଛନ୍ତି। ଅନ୍ୟ ଗୋଟିଏ ଗେଟ୍‌ରେ କଂଗ୍ରେସ ବିଧାୟକ ତାଲା ପକାଇଥିଲେ। ପରେ ତାଲା ଭାଙ୍ଗି ବିଧାନସଭା କର୍ମଚାରୀ ଗେଟ୍ ଖୋଲିଥିଲେ।

ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଆଜି ଭିଡିଓ କନପଫରେନ୍ସିଂ ମାଧ୍ୟମରେ ଗୃହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର।  ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଅପରାହ୍ନ ୫ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। 

Advertisment

ଏଥର ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶୀତକାଳୀନ ଅଧିବେଶନରେ ଗୃହର ବଢ଼ିବ ତାତି। ବିରୋଧୀ ବିଜେପି, କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି। ଗୃହରେ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିଜେପି ରଣନୀତି ପ୍ରସ୍ତୁତ କରିଛି। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମାମଲାରେ ସିବିଆଇ ତଦନ୍ତ ଦାବିକୁ ଗୃହରେ ଜୋରଦାର ଢଙ୍ଗରେ ଉଠାଇବ ଦଳ।

ଏଥିସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ଆବାସ ଦୁର୍ନୀତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଡିଏମ୍ଏଫ୍ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।  ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ବି ବସିଛି। ଦଳ ଗୃହରେ ମମିତା ପ୍ରସଙ୍ଗ ଉଠାଇବ ବୋଲି ନିଷ୍ପତ୍ତି ନେଇଛି।

Advertisment

ଅପରପକ୍ଷେ ବିରୋଧୀଙ୍କୁ କାଉଣ୍ଟର୍ କରିବାକୁ ବି ଯୋଜନା ପ୍ରସ୍ତୁତ କରିଛି ବିଜେଡି। କେନ୍ଦ୍ର ଅବହେଳାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ବିଜେଡି କହିଛି। ଏଥିସହ ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିବ। ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି, କୋଇଲା ରୟାଲଟି ଏବଂ ସାର ଅଭାବ ପ୍ରସଙ୍ଗ ଉଠାଇବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।  

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହରେ ଚଳିତ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଭିତ୍ତିଭୂମି ନିର୍ମାଣ ନେଇ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦେବା ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଯାହା ଗତ ମନ୍ତ୍ରୀ ପରିଷଦ ବୈଠକର ଅନୁମୋଦନ ପାଇଛି।

ଅତିରିକ୍ତ ବଜେଟରେ ଗ୍ରାମାଞ୍ଚଳରେ ରାସ୍ତା, ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି ଆଦି ଉପରେ ଫୋକସ୍ ରହିପାରେ। ଗତ ବର୍ଷ ପ୍ରାୟ ୧୨ ହଜାର କୋଟିର ଅତିରିକ୍ତ ବଜେଟ ଆସିଥିବା ବେଳେ ଏଥର ପ୍ରାୟ ୧୯ ହଜାର କୋଟିର ବଜେଟ୍ ଆସିଥିବାରୁ ଗତ ଥର ଅପେକ୍ଷା ଅତିରିକ୍ତ ବଜେଟର ପରିମାଣ ପ୍ରାୟ ୭ ହଜାର କୋଟି ଟଙ୍କା ଅଧିକ ରହିଛି।

BJD BJP Congress Winter Session Odisha Assembly Odisha Assembly Winter Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ