Advertisment

ଆଗପରି ନାହାନ୍ତି, ପୂରା ବଦଳି ଗଲେଣି ନବୀନ: ବିରୋଧୀ

ପୂର୍ବରୁ ମନ୍ତ୍ରୀ କିମ୍ବା ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଥିଲେ ନବୀନ, ହେଲେ ଏବେ କିନ୍ତୁ ଆକ୍ସନ ନେବା ବଦଳରେ ପୁରସ୍କାର ଦିଆଯାଉଥିବା ନେଇ ଆସୁଛି ଅଭିଯୋଗ

Naveen Patnaik

Naveen Patnaik

Advertisment

ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଥିଲେ ବି କୌଣସି ଆକ୍ସନ ନେଲେନି ମୁଖ୍ୟମନ୍ତ୍ରୀ। ଓଲଟା ମନ୍ତ୍ରୀଙ୍କୁ ନିଜ ସଭାରେ ପାଖରେ ବସାଇ ତାଙ୍କୁ ଏକ ପ୍ରକାର କ୍ଳିନଚିଟ୍‌ ଦେଲେ । ତେବେ ଏହା କେବଳ ଦିବ୍ୟଶଙ୍କରଙ୍କ କ୍ଷେତ୍ରରେ ହୋଇନାହିଁ, ନିକଟ ଅତୀତରେ ବିବାଦୀୟ ହୋଇ ପଡିଥିବା ଅନେକ ଦଳୀୟ ନେତା ଓ ମନ୍ତ୍ରୀଙ୍କ ବିରୋଧରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବିଜେଡି ସୁପ୍ରିମୋ। ଯାହାକୁ ନେଇ ବିରୋଧୀ ଖଡଗହସ୍ତ ହେଲେଣି। ଅଭିଯୋଗ କରିଛନ୍ତି ନବୀନଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚୁନାହିଁ, ସେ ବଦଳି ଗଲେଣି। ସେପଟେ ବିରୋଧୀଙ୍କ ପ୍ରତିକ୍ରିୟାର ଜବାବ୍ ରଖିଛି ବିଜେଡି।

Advertisment

ବିକ୍ଷୋଭ, ପ୍ରତିବାଦ, କଳାପତାକା ପ୍ରଦର୍ଶନ, ଅଣ୍ଡା ମାଡ଼ ଏବେ ରାଜ୍ୟରେ ଚାଲିଛି। ମୃତ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ପ୍ରାୟ ମାସେ ହେଲା ଚାଲିଥିଲା ତୁହାକୁତୁହା ଆନ୍ଦୋଳନ। ହେଲେ ଏହାର ଯେପରି କୌଣସି ପ୍ରଭାବ ନବୀନଙ୍କ ଉପରେ ପଡ଼ିନାହିଁ। ଯାହାର ସ୍ପଷ୍ଟ ସଂକେତ ଭବାନୀପାଟଣା ସଭାରୁ ମିଳିସାରିଛି। ସଭାମଞ୍ଚରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ। କାରଣ ପୂର୍ବରୁ ନେତା, ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ତାଙ୍କୁ ତୁରନ୍ତ ବିଦା କରୁଥିଲେ ନବୀନ।

Advertisment

କିନ୍ତୁ ସେ ସମୟ ଆଉ ନାହିଁ। ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ବିବାଦୀୟ ହେବା ସତ୍ତ୍ୱେ ସେତେବେଳେ ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ମେୟର ପଦରୁ ବିଦା କରାଗଲା ନାହିଁ। ଓଲଟା ୧୯ ନିର୍ବାଚନରେ ଟିକେଟ୍‌ ଦେଇ ବିଧାୟକ କରାଗଲା। ୨୦୧୯ରେ ବିଜେଡି ପଞ୍ଚମଥର କ୍ଷମତା ଦଖଲ କରିବା ପରେ ବିବାଦରେ ଫସିଥିବା କୌଣସି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନୟାଗଡ଼ ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନା, ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଆଉ ଏବେ ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବାଦୀୟ ହୋଇପଡ଼ିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍। ନବୀନଙ୍କ ଏଭଳି ନୂଆ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା। ବିରୋଧୀ ଅଭିଯୋଗ ଆଣିଛନ୍ତି ବିବାଦୀୟ ଘଟଣାଗୁଡ଼ିକ ସଂପର୍କରେ ନବୀନଙ୍କ ପାଖରେ ସଠିକ୍ ତଥ୍ୟ ପହଁଚୁ ନାହିଁ। ଏହା ବି କହିଛନ୍ତି, ନବୀନ ବଦଳି ଗଲେଣି। ବିଜେଡି କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

ସେପଟେ ଦିବ୍ୟଶଙ୍କର ନବୀନଙ୍କ ସହ ଗୋଟିଏ ସଭାମଞ୍ଚରେ ବସିବାକୁ ନେଇ ବିବାଦ ଥମୁନାହିଁ। ଆଗକୁ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଆସନ୍ତା ୧୨ ତାରିଖରେ କଂଗ୍ରେସ୍ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେପଟେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଅଂଜନା ମିଶ୍ର ଗଣ-ଦୁଷ୍କର୍ମ ବେଳେ ଜେବି ପଟ୍ଟନାୟକ ସରକାର ଇନ୍ଦ୍ରଜିତ ରାୟଙ୍କୁ ସୁରକ୍ଷା ଦେଇଥିଲେ ଆଉ ଏବେ ନବୀନ ସରକାର ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି।

Advertisment

ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ। ନବୀନଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟକୁ ଜନତା ଜନାର୍ଦ୍ଦନ କିଭଳି ଗ୍ରହଣ କରୁଛନ୍ତି ଓ ଆଗାମୀ ପଂଚାୟତ ନିର୍ବାଚନରେ ଏହର କଣ ପ୍ରଭାବ ପଡୁଛି ତା ଉପରେ ନଜର ରହିବ।

ସମ୍ବଲପୁରରୁ ସଂଜୟ ଜେନାଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

BJD BJP Congress CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ