Advertisment

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ। ଭିନ୍ନ ଭିନ୍ନ ଷ୍ଟାଇଲରେ ନେତାଏ କରୁଛନ୍ତି ପ୍ରଚାର

ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।

ଅଦ୍ୟତନ ହୋଇଛି
School

School

Advertisment

ପଞ୍ଚାୟତ ଭୋଟ୍ ପାଇଁ କମ୍ପୁଛି ଗାଁ ଗଣ୍ଡା। ପ୍ରାର୍ଥୀ ହୁଅନ୍ତୁ କି ନେତା କାହା ଆଖିରେ ଯେମିତି ନିଦ ନାହିଁ, ରାତି ପାହିଲେ କିଏ କେତେ ରଙ୍ଗ ଓ ଢଙ୍ଗରେ ଚଳାଇଛନ୍ତି ପ୍ରଚାର। ଖଞ୍ଜଣି ତାଳେ ତାଳେ, ପଦକୁ ପଦ ଛନ୍ଦ ପକାଇ ଗୀତ ଗାଇ ଗାଇ ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଏବେ ଭାରି ଚର୍ଚ୍ଚାରେ ରେଢ଼ାଖୋଲ ବ୍ଲକ୍ କଦଳୀଗଡ଼ ପଞ୍ଚାୟତ ସରପଞ୍ଚ ପଦ ପାଇଁ ଲଢୁଥିବା କୀର୍ତ୍ତନ ମହାନନ୍ଦଙ୍କ ପ୍ରଚାର ଶୈଳୀ। ପୁରା କୀର୍ତ୍ତନିଆଙ୍କ ଭଳି ବେଶ ପୋଷାକ ଓ ସାଙ୍ଗରେ ବୁଲୁଥିବା ସମର୍ଥକଙ୍କୁ ଦେଖିଲେ ଆଦୌ ବୁଝିବାକୁ ବାକିନାହିଁ, ଯେ କୀର୍ତ୍ତନ ଜଣେ ମହିମା ଅଲେଖ ଭକ୍ତ ବୋଲି।

Advertisment

ତେବେ ବର୍ତ୍ତମାନ ସମୟରେ ଚାଲୁଥିବା ବ୍ୟୟବହୁଳ ପ୍ରଚାରରୁ ନିଜକୁ ଦୂରେଇ ଗାଁ ଗାଁ ବୁଲି ଭୋଟ୍ ମାଗୁଥିବାବେଳେ ସେ ବୋଲୁଥିବା ନିର୍ବାଚନୀ ଗୀତ ନିଜେ ହିଁ ଲେଖିଛନ୍ତି କୀର୍ତ୍ତନ । ସେମିତି ଆଉ ଜଣେ ଚର୍ଚ୍ଚିତ ପ୍ରାର୍ଥିନୀ ହେଲେ ମାମା ସେଠୀ। କୋଳରେ ୨୦ଦିନର ଶିଶୁକୁ ଧରି ଡୋର ଟୁ ଡୋର କ୍ୟାମ୍ପେନ୍ କରୁଥିବା ମାମା, ଛତ୍ରପୁର ବ୍ଲକ ପୋଡ଼ାପଦର ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନାମାଙ୍କନ ଦାଖଲ ବେଳେ ଛୁଆକୁ ୩ଦିନ ହୋଇଥିଲା, ଏଡ଼େ ବକଟେ ଛୁଆକୁ ଘରେ ଛାଡ଼ି ଆସିବା ସମ୍ଭବ ହେଉନଥିବାରୁ ବାଧ୍ୟ ହୋଇ ତାକୁ ସାଙ୍ଗରେ ଧରି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି।

ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି। ବିଜେଡି ପ୍ରାର୍ଥୀ ସୁବାସ କଅଁର ହିଁ ସେହି ଦୃଶ୍ୟର ମୁଖ୍ୟ ନାୟକ। ପେଷାରେ ସେ କୁଆଡ଼େ ଜଣେ ଡ୍ରାମା ନିର୍ଦ୍ଦେଶକ। ତେଣୁ ତାଙ୍କର ଇଏ ବି ଆଉ ଏକ ଡ୍ରାମା ବୋଲି ଭିଡିଓ ଦେଖି କମେଣ୍ଟ କରୁଛନ୍ତି ଦର୍ଶକ।

Advertisment

ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ସ୍କୁଟି ଧରି ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍। ଗାଡ଼ି ଧରି ଗାଁ ବୁଲୁଛନ୍ତି, ଭୋଟରଙ୍କୁ ଭେଟୁଛନ୍ତି। ଆଉ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଖଇରା ବ୍ଲକ୍ କୁପାରୀ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ୍। କଂଗ୍ରେସ ବି ପଛରେ ପଡିନି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲମତାପୁଟ ବ୍ଲକର ୧ ଓ ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଚଳାଇଛନ୍ତି ଜୋରଦାର କ୍ୟାମ୍ପେନିଂ। ମୋବାଇଲ୍ ନେଟଓ୍ୱର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ କ୍ୟାମ୍ପେନରେ ଘୋର ଅସୁବିଧା କାରଣରୁ ସେ ନିଜେ ଗାଁ ଗାଁ ବୁଲୁଥିବା କହିଛନ୍ତି ତାରା। ପାଖେଇ ଆସୁଛି ଭୋଟ୍ ତାରିଖ ମଇଦାନରେ ପ୍ରାର୍ଥୀ ଅଭିନବ ଢଙ୍ଗରେ ନିଜ ବିଜୟ ପାଇଁ ତ ନେତା ଗଡ଼ ରକ୍ଷା ପାଇଁ ଚଳାଇଛନ୍ତି ପ୍ରାଣମୂର୍ଛା ପ୍ରଚାର।

Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ