Waqf Bill BJD Division: ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି

କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।

ୱକଫ୍ ବିଲ୍ ଖେଳ

 ଓଡ଼ିଶାର ରାଜନୀତି ବର୍ତ୍ତମାନ ଉଠୁଛି ଆଉ ପଡ଼ୁଛି । ରାସ୍ତା ଓ ଗଳି କନ୍ଦିରେ ବିଜୁ ଜନତା ଦଳ ବା ବିଜେଡ଼ିରେ ଚାଲିଥିବା କନ୍ଦଳ ସମ୍ପର୍କରେ ଆଲୋଚନା ବେଶ୍ ସରଗରମ ଭାବେ ହେଉଥିବା ଦେଖାଯାଉଛି । ନିଜକୁ ଧର୍ମ ନିରପେକ୍ଷ ଦଳ ଭାବେ ଦାବି କରୁଥିବା ବିଜେଡି କେଉଁ ପରିସ୍ଥିତିରେ ୱକଫ୍ ସଂଶୋଧନ ବିଲ୍ ୨୦୨୪ ନେଇ ମୂଳରୁ ହୋଥିବା ନିଷ୍ପତି ବଦଳାଇଲା ? କାହିଁକି ଦଳର ରାଜ୍ୟସଭା ସାଂସଦ ତିନି ଭାଗରେ ବିଭାଜିତ ହେଲେ ? ନିଷ୍ପତି ବଦଳାଇବା ନିଷ୍ପତି ଥିଲା ନା ଏହାପଛରେ ଆଉ କିଏ ଅଛନ୍ତି? ଏହି ସବୁ ପ୍ରଶ୍ନ ଖୁବ୍ ଜୋରସୋର ଭାବରେ ଆଲୋଚନା ହେଉଥିବା ପରିଲକ୍ଷିତ ହେଉଛି ।

ୱକଫ୍ ସଂଶୋଧନ ବିଲ୍ ୨୦୨୪ ଉପରେ ବିଜେଡ଼ିର ପ୍ରଥମ ନିଷ୍ପତି ଥିଲା ଏହାକୁ ବିରୋଧ କରିବା । ଏ ନେଇ ଦଳର ସାଂସଦମାନଙ୍କୁ ପ୍ରଥମରୁ ନବୀନ ନିର୍ଦ୍ଦେଶ ଦେଇଥିଲେ । ଯେଉଁଦିନ ୱକଫ୍ ସଂଶୋଧନ ବିଲ୍ ୨୦୨୪ ବିଲ୍ ଉପରେ ଆଲୋଚନା ହେଲା, ସେଦିନ ଦଳର ସଦସ୍ୟ ମୁଜିବୁଲ୍ଲା ଖାନ୍ ଓରଫ ମୁନା ଖାଁ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟସଭାରେ ଏହାକୁ ବିରୋଧ କଲେ । କିନ୍ତୁ ଭୋଟ୍ ପୂର୍ବରୁ ଦଳର ଅନ୍ୟତମ ସଦସ୍ୟ ତଥା ବିଜେଡ଼ି ସଂସଦୀୟ ଦଳର ନେତା ଡକ୍ଟର ସସ୍ମିତ ପାତ୍ର ନିଜ ସାମାଜିକ ଗଣମାଧ୍ୟମରେ ଲେଖିଲେ ଯେ ସାଂସଦମାନଙ୍କୁ ନିଜର ‘ବିବେକ’ ଅନୁସାରେ ଭୋଟ୍ ଦେବାକୁ କୁହାଯାଇଛି । ଭୋଟ୍ ହେଲା । ଯେତେବେଳେ ଫଳାଫଳ ଆସିଲା, ଦେଖାଗଲା ଯେ ମୁନା ଖାଁ ଓ ସୁଲତା ଦେଓ ଭୋଟ୍ ବିଲ୍ ବିରୋଧରେ ଦେଇଛନ୍ତି । ଅନ୍ୟପକ୍ଷରେ ଦେବାଶିଷ ସାମନ୍ତରାୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟ ଭୋଟ୍ ବିଲ୍ ସପକ୍ଷରେ ଦେଇଛନ୍ତି । ଦେବାଶିଷ ଭୋଟ୍ ଦାନରୁ ବିରତ ରହିଛନ୍ତି ।

ଏପ୍ରିଲ୍ ମାସ ୪ ତାରିଖ ଦିନ ରାଜ୍ୟସଭାରେ ୱକଫ୍ ବିଲ୍ ପାରିତ ହେଲା । ସେହିଦିନ ଠାରୁ ଚାଲିଥିବା ତମ୍ବୀତୋଫାନ ଥମିବାର ନାମ ନେଉନାହିଁ । କୁହାଗଲା ବିଜେଡ଼ି ନିଷ୍ପତି ବଦାଳାଇବା ପଛର ନାୟକ ହେଉଛନ୍ତି ଭୈରବ କାର୍ତିକେୟନ ପାଣ୍ଡିଆନ୍ । କିନ୍ତୁ ଜାଣିବାଶୁଣିବା ମହଲ ଏକଥା କେବେ ବିଶ୍ୱାସ କରୁନଥିଲା । ଯେଉଁମାନେ ନବୀନଙ୍କ ଦିଲ୍ଲୀ ଠାରୁ ଓଡ଼ିଶା ଆଗମନ ପର୍ଯ୍ୟନ୍ତ ତାଙ୍କୁ ଦେଖିଛନ୍ତି ସେମାନେ ଏକଥା ଜାଣିଛନ୍ତି ଯେ ନବୀନ ଏହି ଖେଳ ଖେଳିଛନ୍ତି ।

ଏହାର କାରଣ ହେଲା ଏହା ଦ୍ୱାରା ସେ ଦୁଇଟି ଲକ୍ଷ୍ୟ ସାଧିତ କରିବା ପାଇଁ ଚେଷ୍ଟା କରିଛନ୍ତି । ପ୍ରଥମତଃ ସେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ବିରୋଧରେ ଯିବା ପାଇଁ ସାହସ ଜୁଟାଇ ପାରିନାହାଁନ୍ତି । ଏହାର କାରଣ ଅଳ୍ପେବହୁତ ଓଡ଼ିଶାର ଲୋକମାନେ ଜାଣନ୍ତି । ଯେବେ ଠାରୁ ଚିଟ୍‌ଫଣ୍ଡ ସ୍କାମରେ ବିଜେଡ଼ିର ଅଧା ଡଜନ ପାଖାପାଖି ବିଧାୟକ ଓ ଜଣେ ସାଂସଦ ଗିରଫ ହେଲେ ବା ସିବିଆଇ ଦ୍ୱାରା ଜେରା ହେଲେ, ସେବେ ଠାରୁ ନବୀନଙ୍କ ଦଳ ଛାଇ ଦେଖିଲେ ଡରିବା ଆରମ୍ଭ କରୁଛି ।

ଓଡ଼ିଶାର ଖଣି ଦୂର୍ନୀତି ଭାରତର ସବୁଠାରୁ ବଡ଼ ଖଣି ଦୁର୍ନତି । ଏହି ଦୂର୍ନୀତି ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ହିଁ ସଙ୍ଗଠିତ ହୋଇଥିଲା । ଜଷ୍ଟିସ୍ ଏମବି ଶାହା କମିଶନ ତଦନ୍ତ କରି ଓଡ଼ିଶାରେ ତିନି ଲକ୍ଷ କୋଟି ଟଙ୍କା ପାଖାପାଖି ଦୂର୍ନୀତି ହୋଇଛି ବୋଲି କହିବା ସହିତ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଏହି ଖଣ୍ଡା ଏବେ ବି ଝୁଲୁଛି ।

ଦ୍ୱିତୀୟ କଥାଟି ହେଲା ଯେ ଓଡ଼ିଶାରେ ୨୦୦୦ ମସିହାରେ କଂଗ୍ରେସ ଦଳ କ୍ଷମତାରୁ ଗଲା ପରେ ଏଠାକାର ସଂଖ୍ୟାଲଘୁ ସମ୍ପ୍ରଦାୟ ବିଜୁ ଜନତା ଦଳ ପଛରେ ଛିଡା ହୋଇଥିଲେ । ଏବେ ସେମାନେ ଦ୍ୱନ୍ଦର ଦୋଛକିରେ ଛିଡ଼ା ହୋଇଛନ୍ତି । ବିଜୁ ଜନତା ଦଳ ବିଲ୍‌କୁ ବିରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କେଉଁ ପରିସ୍ଥିତିରେ ଦଳପତି ଏହି ନିଷ୍ପତି ପରିବର୍ତନ କଲେ ସେ ନେଇ ସଂଖ୍ୟାଲଘୁମାନେ ଏ ପର୍ଯ୍ୟନ୍ତ କିଛି ବୁଝିପାରୁନାହାଁନ୍ତି । ନବୀନଙ୍କ ଦୈତ ଆଭିମୁଖ୍ୟ ସେମାନଙ୍କୁ ଏକ ପ୍ରକାର ଧର୍ମ ସଙ୍କଟରେ ପକାଇ ଦେଇଛି ।

କୁହାଯାଏ ଯେ ପ୍ରେମ ଓ ରାଜନୀତିରେ ସବୁ କିଛି ଠିକ୍ । ଦଳର ପ୍ରତିଷ୍ଠାତା ସଭ୍ୟଙ୍କୁ ଅତି ଦୟନୀୟ ଭାବେ ଦଳରୁ ବିଦା କରି ନିଜକୁ ୨୪ ବର୍ଷ ନିରଙ୍କୁଶ ଶାସକ ବନାଇପାରିଥିବା ନବୀନଙ୍କ ପାଇଁ ୱକଫ୍ ବିଲ୍ ଖେଳ ଖେଳିବା ସେତେବଡ ଆହ୍ୱାନ ନଥିଲା । ଏହି ଖେଳ ଖେଳିବା ପୂର୍ବରୁ ନିଶ୍ଚିତ ଭାବରେ ଏହାର ରିସ୍କ ଆସେସ୍‌ମେଣ୍ଟ ବା ପରିଣାମ ଓ ଫଳାଫଳର ମୂଲ୍ୟାୟନ କରିଥିବେ । କେବଳ ସେତିକି ନୁହେଁ, ଏଥିରୁ କିପରି ସହଜରେ ବାହାରି ହେବ, ତାହାର ମଧ୍ୟ ସେ ବାଟ କାଢି ରଖିଥିବେ ।

କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।

ୱକଫ୍ ସଂଶୋଧନ ବିଲ୍ ୨୦୨୪କୁ ବିଭାଜିତ ଭୋଟ୍ ଦେଇ ଗୋଳିଆ ପାଣିରୁ ମାଛ ମାରିଛନ୍ତି ନାଁ ପଙ୍କ ଭିତରେ ଲୁଚି ରହିଥିବା ମାଗୁର ମାଛର କଣ୍ଟାରେ ଆଘାତ ପାଇ କ୍ଷତାକ୍ତ ହୋଇଛନ୍ତି, ତାହା ଖୁବ୍ ଶୀଘ୍ର ଜଣାପଡ଼ିବାର ସମ୍ଭାବନା ରହିଛି । ଯାହା ଜଣାପଡୁଛି ନବୀନ ଏବେ ଏକ ନୂଆ ପରୀକ୍ଷାନିରୀକ୍ଷା କରୁଛନ୍ତି । ଅତୀତରେ ପ୍ରତିଷ୍ଠାତା ସଭ୍ୟମାନଙ୍କୁ ଦୂରେଇ ଦେଇ ତିନି ତିନିଟି ପିଢି ବା ଜେନରେସନର ନେତା ତିଆରି କରିଥିବା ନବୀନ ଏବେ ଆଉ ଏକ ଗୋଷ୍ଠିର ନେତାମାନଙ୍କୁ ସୃଷ୍ଟି କରିବା ପ୍ରଚେଷ୍ଟାରେ ଅଛନ୍ତି । ଯେଉଁମାନେ ଭୈରବ କାର୍ତିର୍କେୟନଙ୍କ ପ୍ରତି ଶ୍ରଦ୍ଧା ରଖୁଥିବେ, ସେମାନଙ୍କୁ ଏହି ଗୋଷ୍ଠି ବା ଗ୍ରୁପ୍‌ରେ ସାମିଲ କରି ସେ ବିଜେଡ଼ିକୁ ଏକ ନୂଆ ରୂପ ଓ ଆକାର ଦେବାର ପ୍ରୟାସରେ ଅଛନ୍ତି । ଯେଉଁମାନେ ତାଙ୍କ ନୀତି ସହିତ ନିଜକୁ ଖାପନଖୁଆଇ ପାରିବେ, ସେମାନେ ଆପଣା ଛାଏଁ ଦୂରେଇ ଯିବେ ।

ଏପ୍ରିଲ୍ ୯ ତାରିଖ ୨୦୨୫ ତାରିଖ ଦିନ ନବୀନ ପାଣ୍ଡିଆନ୍‌ଙ୍କୁ ପୁନଃ ସୁରକ୍ଷା ଦେବା ବେଳେ ନବୀନ ଗୋଟିଏ ବାର୍ତା ଦେଇଛନ୍ତି । ତାହା ହେଲା ସେ ହେଉଛନ୍ତି ଦଳର ନୀତି ନିଷ୍ପତି ଓ କାର୍ଯ୍ୟକାରିତାର ଏକମାତ୍ର ସୂତ୍ରଧର ଏବଂ ସେ କୌଣସି ପରିସ୍ଥିତିରେ ପାଣ୍ଡଆନ୍‌ଙ୍କ ବିରୋଧରେ ଗୋଟିଏ ଶବ୍ଦ ବି ଶୁଣିବାକୁ ଚାହାଁନ୍ତି ନାହିଁଁ । ତାଙ୍କର ଏହି ବାର୍ତା ପରେ ଯେଉଁ ନେତାମାନେ ତାଙ୍କ ବିରୋଧରେ ମେଳି କରୁଥିଲେ, ସେମାନଙ୍କୁ ବର୍ତମାନ ନିଷ୍ପତି ନେବାକୁ ହେବ ଯେ ସେମାନେ ଦଳରେ ରହିବେ କି ନାହିଁଁ । ସେ ଯାହା ହେଉନା କାର୍ହିଁକି, ଆଗାମୀ ଦିନରେ ବିଜେଡ଼ି ନାଟକର ବହୁ ଉତ୍ସାହପ୍ରଦ ଅଙ୍କ ବା ଅଧ୍ୟାୟ ଦେଖିବାକୁ ମିଳିବ, ଏଥିରେ ସନ୍ଦେହ ନାହିଁ ।