ବିଜେଡିକୁ ଘାରିଛି ଆଦିବାସୀ ଭୋଟ୍‌ ଚିନ୍ତା, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ନବୀନ

ସେଚ ପ୍ରକଳ୍ପ ଉଦ୍‌ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି ।

Naveen At Mayurbhanj

ମୟୁରଭଞ୍ଜରେ ନବୀନ ଖେଳିଲେ ଆଦିବାସୀ କାର୍ଡ । ଟାର୍ଗେଟରେ ଜନଜାତି ଭୋଟ୍ ବ୍ୟାଙ୍କ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିବା ଦର୍ଶାଇ ଆସ୍ଥା ଜିଣିବାକୁ ପ୍ରୟାସ । ବିଜେଡି ଟାର୍ଗେଟରେ ଆଦିବାସୀ ଭୋଟ୍ ବ୍ୟାଙ୍କ । ଏଥିପାଇଁ ରାଜ୍ୟ ସରକାରଙ୍କ ଫୋକସରେ ଜନଜାତି ବହୁଳ ମୟୁରଭଞ୍ଜ ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ।

ଆଦିବାସୀଙ୍କ ବିକାଶ ଲାଗି ତାଙ୍କ ସରକାର ସବୁବେଳେ କାମ କରୁଥିବା ଦର୍ଶାଇ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ ବି କରିଛନ୍ତି । ତାସହିତ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିବାରୁ ସେଥିରୁ ଶ୍ରେୟ ସାଉଣ୍ଟିବା ଲାଗି ପ୍ରୟାସ କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ନବୀନ ନିଜେ ମଇଦାନ୍‌କୁ ଓହ୍ଲାଇଥିବା ଚର୍ଚ୍ଚା ହେଉଛି ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଦୁଇଟି ସେଚ ପ୍ରକଳ୍ପ ଉଦ୍‌ଘାଟନ ଓ ଜିଲ୍ଲାର କଳା, ସଂସ୍କୃତିର ପ୍ରଶଂସା କରି ଲୋକଙ୍କ ମନ ଜିଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ । ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ପ୍ରଶଂସା କରିବାକୁ ବି ଭୁଲି ନଥିଲେ । ରାଜ୍ୟରେ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ଥିବା ଦର୍ଶାଇବା ସହ ଦ୍ରୌପଦୀ ମାଟିର ମାନ ଆହୁରି ବଢାଇଥିବା କହିଥିଲେ ନବୀନ । ତାଙ୍କ ସରକାର ସବୁବେଳେ ଜନଜାତିଙ୍କ ବିକାଶ ଲାଗି କାର୍ଯ୍ୟ କରିଥିବା କହି ଜନ ସମର୍ଥନ ଜୁଟାଇବାକୁ ଉଦ୍ୟମ କରିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ଗଲା କିଛି ଦିନ ଧରି ଭିଡିଓ କନ୍‌ଫରେନ୍‌ସିଂରେ ପ୍ରକଳ୍ପ ଉଦ୍‌ଘାଟନ ହେଉଥିଲେ ବି ନବୀନ ହଠାତ୍ କେମିତି ମୟୂରଭଞ୍ଜ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ । ବିଜେପି ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପରେ ଆଦିବାସୀ ଭୋଟ୍‌ବ୍ୟାଙ୍କ ହାତରୁ ଖସିଯିବା ନେଇ ବିଜେଡିକୁ ଘାରିଛିି କି ଡର ? ଦ୍ରୌପଦୀ ରାଷ୍ଟ୍ରପତି ହେବା ପଛରେ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଦର୍ଶାଇ ଶ୍ରେୟ ନେବା ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ତ ନବୀନ ?

ଉଭୟ ବିଜେପି ଓ ବିଜେଡି ଫୋକସରେ ରହିଛି ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ୨୦୧୪ରେ ବିଜେଡିର ଗଡ଼ ଥିଲା ମୟୁରଭଞ୍ଜ । ୯ରୁ ୯ ବିଧାୟକ ସହ ସାଂସଦ ଆସନ ବି ହାତେଇଥିଲା ଦଳ । ହେଲେ ୨୦୧୯ରେ ପଲଟି ଯାଇଥିଲା ବାଜି । ଜିଲ୍ଲାରେ ବଢିଥିଲା ବିଜେପିର ଦବ୍‌ଦବା । ସାଂସଦ ଆସନ ସହ ୯ରୁ ୬ ବିଧାନସଭା ଆସନ ଉପରେ କବ୍‌ଜା କରିଥିଲା ବିଜେପି । ଫଳରେ ବିଜେଡିକୁ ଲାଗିଥିଲା ବଡ଼ ଝଟ୍‌କା । ତେଣୁ ଜିଲ୍ଲାରେ ନିଜ ପତିଆରା ଫେରାଇ ଆଣିବା ପାଇଁ ଲାଗି ପଡିଛି ଶାସକ ଦଳ ।

 

ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇବା ସହ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ । ଏହାକୁ କାଉଣ୍ଟର ଲାଗି ବିଜେପି ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କରିବା ସହ ମାଟିର ଝିଅ ଦୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଆସୀନ କରିଛି । ଫଳରେ ପୁଣି ତେଜିଛି ମୟୁରଭଞ୍ଜ ରାଜନୀତି । ବିଜେପି କହିଛି କେବଳ ରାଜନୀତି କଲେ ହେବନି ବିକାଶ ବି ହେବା ଦରକାର ।

୨୦୨୪ରେ ରାଜ୍ୟରେ ଶାସନ ହାତେଇବା ଲକ୍ଷ୍ୟରେ ରହିଛି ବିଜେପି । ତେବେ ବିଜେପି ହେଉ କି ବିଜେଡି ସବୁ ଦଳଙ୍କ ବିଜୟରେ ପ୍ରମୁଖ ଭୂମିକା ନେବ ଆଦିବାସୀ ଭୋଟବ୍ୟାଙ୍କ । ତେଣୁ ଜନଜାତିଙ୍କୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର କସରତ ।