ଗୋଡ଼େଇ ପିଟିବା, ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ଅଧିକାର ଦିଆଯାଇନି ! ଲୋୟର୍ ପିଏମଜିରେ ଲାଠିମାଡ଼ ଘଟଣାକୁ ତୀବ୍ର ନିନ୍ଦା କଲା କଂଗ୍ରେସ

ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।

ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା

News Summary

ବିଚାରବିଭାଗୀୟ ତଦନ୍ତ ଦାବି କଲେ ବରିଷ୍ଠ ନେତା ନରସିଂହ ମିଶ୍ର

ମାନବାଧିକାର କମିଶନଙ୍କର ମଧ୍ୟ ଦ୍ୱାରସ୍ଥ ହେବେ

ପୋଲିସ ମାଡ଼ରେ ଆହତ କର୍ମୀଙ୍କୁ କ୍ଷତିପୂରଣ ଦିଆଯାଉ

ପୋଲିସ ବିରୋଧରେ ୩୦୭ ଦଫାରେ ତଦନ୍ତ ହେଉ

ଭୁବନେଶ୍ୱର : ପିସିସି ଅଫିସରେ ପଶି ପୋଲିସର ମାଡ଼ ଘଟଣାକୁ କଡ଼ା ଭାଷାରେ ନିନ୍ଦା । ପୂରା ମାମଲାର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ପ୍ରେସମିଟ୍ କରି ପୋଲିସର କାର୍ଯ୍ୟକୁ ତ୍ରୀବ ନିନ୍ଦା କରିଛି । ପୋଲିସ୍ ମାନବାଧିକାର ଉଲ୍ଲଘଂନ କରିଛି । ଗୋଡ଼ାଇ ଗୋଡ଼ାଇ ପିଟିବା, ପିସିସି ଅଫିସ୍ ଭିତରେ ଆତଙ୍କ ଖେଳାଇବା ଭଳି କାର୍ଯ୍ୟ ପୋଲିସ୍ କରିଛି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି ।

ସରକାରଙ୍କ ଚାପରେ ଏପରି କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ପୋଲିସର ଏହି କାର୍ଯ୍ୟ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ପୋଲିସ ବିରୋଧରେ ୩୦୭ ଦଫା ଲଗାଯାଇ, ନ୍ୟାୟିକ ତଦନ୍ତ କରାଯାଉ । ଏପରି ଆନ୍ଦୋଳନ ଆହୁରି ହେବ ଏବଂ କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେହିପରି ପିସିସି ସଭାପତି ନିରଞ୍ଜନ୍ ମିଶ୍ର ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ବେଳେ ସବୁ ଆଇନ୍ କାନୁନ୍ ଭାଙ୍ଗି ପୋଲିସ୍ ବର୍ବରଚତ ଭାବେ ପିଲାଙ୍କ ଉପରେ ଅତ୍ୟାଚାର କଲେ । ନିରୀହ ଜନସାଧାରଣ ମଧ୍ୟ ଅତ୍ୟାଚାରିତ ହେଉଛି । ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି । ଆନ୍ଦୋଳନ ଏଇଠି ସରିଗଲା ବୋଲି ସରକାର ଭାବନ୍ତୁ ନାହିଁ । ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ବିଜେଡ଼ି ସରକାର ଶାସନ ଭିତରେ ରହିବା ଅସହ୍ୟ ହେଲାଣି । ଲୋକଙ୍କୁ ବାଡ଼େଇବ ବୋଲି କେଉଁ ଆଇନରେ ଅଛି ବୋଲି ପ୍ରଶ୍ନ କରିଛନ୍ତି । କୌଣସି ରାଜନୈତିକ ଅଫିସରେ ପଶି ପିଟିବାର ଅଧିକାର ପୋଲିସ୍ ପାଖରେ ନାହିଁ ବୋଲି ସେ କହିଛନ୍ତି ।

ଗତକାଲି ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତା ସଭା କରିଥିଲେ । ଆରପଟେ ସଭାସ୍ଥଳ ଯାଏଁ ବାଇକ୍ ରାଲିରେ ଆସିବା ପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏଁ ପହଞ୍ଚିଯାଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ପୋଲିସ । ଏହି ସମୟରେ ଅଣ୍ଡା ସହ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅମାନିଆ ହେବାରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ । ତାହାରି ଭିତରେ କିଏ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ତ ଆଉ କିଏ ବ୍ୟାରିକେଡ୍ ଡେଇଁ ସୁରକ୍ଷା ବଳୟକୁ ଭେଦ କରିଥିଲା । ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ଆକ୍ସନ ମୋଡ୍‌କୁ ଆସିଥିଲା । ଆଉ ଯାହାକୁ ପାରିଲା ପିଟିଲା । ଏପରିକି କଂଗ୍ରେସ ଭବନରେ ପଶି ନିର୍ଘାତ ମାଡ଼ ମାରିଲା । ଏଥିରେ କିଛି ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।