Odisha Politics
କ୍ରାଇମବ୍ରାଞ୍ଚ ସାଇଲେଣ୍ଟ । ପୋଲିସ୍ ଡିଜି ପୁରା ଚୁପ୍ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଯେମିତି ସଭିଙ୍କ ମୁହଁରେ ତାଲା ! ବିଧାନସଭା ବଜେଟ୍ ଅଧିବେଶନ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଆଜି ଆସି ଡିଜିପି ସୁନୀଲ ବଂଶଲ ଗଣମାଧ୍ୟମକୁ ପୋଲିସ ଆରେଞ୍ଜମେଣ୍ଟ କଥା କହିଲେ, ହେଲେ ମନ୍ତ୍ରୀ ନବ ଦାସ ହତ୍ୟାର ମୋଟିଭ୍ କଣ ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ବେଳକୁ ବାଟ ଭାଙ୍ଗି ଚାଲିଗଲେ । ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବରୁ ଗତ ୩ ତାରିଖରେ ସାମାନ୍ୟ ମୁହଁ ଖୋଲିଥିଲେ ପୋଲିସ ମହାନିର୍ଦ୍ଦେଶକ । କହିଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ମାରିଲା, ତା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା ।
ସେ ଦିନଠୁ ୟା ଭିତରେ ବିତି ସାରିଲାଣି ୧୭ ଦିନ। କ୍ରାଇମବ୍ରଞ୍ଚ ତଦନ୍ତ କେତେବାଟ ଯାଇଛି ? କଣ ରହସ୍ୟ ଭେଦିଛି ? ସେ କଥା କିନ୍ତୁ ପଚାରିବାବେଳକୁ ଡିଜିପିଙ୍କ ମୁହଁରେ ପଡ଼ିଛି ତାଲା ।
ଏଣେ କିନ୍ତୁ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଡିଜିପିଙ୍କ ନିରବତା ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରି ଚାଲିଛନ୍ତି ବିରୋଧୀ । ବିରୋଧୀଦଳ ମୁଖ୍ୟସଚେତକ କହିଛନ୍ତି-ଏ ଡିଜିପି ତ କାଗଜ କଲମରେ, ଅସଲ ଡିଜିପି ତୃତୀୟ ମହଲାରେ ଅଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିଧାସଳଖ ଆକ୍ଷେପ କରିଛନ୍ତି-ନବ ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସଂଦେହ ବଢୁଛି । ଏ ହତ୍ୟାକାଣ୍ଡ ବହୁଦିନର ଷଡ଼ଯନ୍ତ୍ର । ଜବାରରେ ବିଜେଡି କହିଛି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ ଉନ୍ନତ ମାନର ତଦନ୍ତ ଚାଲିଛି । ସଠିକ୍ ତଥ୍ୟ ଆସିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।
ଦିନ ପରେ ଦିନ ଗଡୁଥିବାରୁ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଗୁମର ନ ଖୋଲିବାକୁ ନେଇ କ୍ରାଇମବ୍ରାଞ୍ଚ ଉପରେ ଜନତାଙ୍କଠୁ ନେତାଙ୍କ ଯାଏଁ ବଢୁଛି ସନ୍ଦେହ । ଯେହେତୁ ଗୁଳିକାଣ୍ଡ ଦିନ ହିଁ ହତ୍ୟାକାରୀ ଗୋପାଳ ଦାସ ଧରା ପଡ଼ିଛି ଓ ତାଠୁ ସତ ଓଗାଳିବାକୁ ବାହାର ରାଜ୍ୟକୁ ନେଇ ନାର୍କୋ ଟେଷ୍ଟ ବି କରି ସାରିଛି କ୍ରାଇମବ୍ରାଞ୍ଚ । ତେଣୁ ତଥାପି କାହିଁକି ଖୋଲୁନି ହତ୍ୟା ପଛର ମୋଟିଭ୍ ? ଏହାକୁ ନେଇ ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ, କ୍ରାଇମବ୍ରାଞ୍ଚ ଗୁଳିକାଣ୍ଡ ପଛର ସତ ଜାଣିପାରୁନି ନା ସବୁ ଜାଣି ଆଉ କହିବାକୁ ଚାହୁଁନି ? ଏଥିସହ କାହିଁକି ଏଯାଏଁ ନବଙ୍କ ପରିବାର ସଦସ୍ୟଙ୍କୁ ଡାକି ପଚରାଉଚରା କରାଯାଉନି କି ନବଙ୍କ ରାଜନୈତିକ ଓ ବ୍ୟବସାୟିକ ସାମ୍ରାଜ୍ୟର ଶତ୍ରୁତା ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଉନି ? ତାକୁ ନେଇ ବି କ୍ଷୋଭ ପ୍ରକାଶ କଲେଣି ଖୋଦ୍ ନବଙ୍କ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାର ବୁଦ୍ଧିଜୀବୀ ଓ ଭୋଟର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676904440.jpg)