Advertisment

ମତଦାନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁ ନାହାନ୍ତି ଶିକ୍ଷିତ ଭୋଟର?

ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।

undefined

Low Voting Percentage

Advertisment

ସହରୀ ଶିକ୍ଷିତ ଦେଉ ନାହାନ୍ତି ଭୋଟ୍ । ଗଣତନ୍ତ୍ରର ମହାପର୍ବରେ ହେଉ ନାହାନ୍ତି ସାମିଲ୍ । ତେବେ କଣ ଏମାନେ ପାଇଁ ଭୋଟ ଦେବାକୁ ବିମୁଖ। ପ୍ରଶାସନକୁ ନେଇ ଅନାସ୍ଥା ଭାବ ନା ରହିଛି ଆଉ କିଛି କାରଣ । ରାଜନୀତି ବିଶେଷଜ୍ଞଙ୍କ ମତରେ ସେମାନଙ୍କ ଭୋଟର ମୂଲ୍ୟ ନଥିବା ଅନୁଭବ କରୁଛନ୍ତି ଶିକ୍ଷିତ ବର୍ଗ । ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।

Advertisment

କାହିଁକି ସହରାଞ୍ଚଳରେ କମୁଛି ଭୋଟ ହାର? ମତଦାନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁ ନାହାନ୍ତି ଶିକ୍ଷିତ ଭୋଟର? ଗତକାଲି ଶେଷ ହୋଇଥିବା ପୌର ନିର୍ବାଚନରେ ପଞ୍ଚାୟତ ତୁଳନାରେ ଅତି କମ୍ ମତଦାନକୁ ନେଇ ଉଠୁଛି ଏଭଳି ପ୍ରଶ୍ନ । ପଞ୍ଚାୟତ ନିର୍ବାଚନରେ ୭୮ ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଥିବା ବେଳେ ପୌରରେ ମତଦାନ ରହିଛି ୬୬ ପ୍ରତିଶତ । ଉଦବେଗର ବିଷୟ ସବୁଠୁ ଅଧିକ ଶିକ୍ଷିତ ରହୁଥିବା ରାଜଧାନୀ ଭୁବନେଶ୍ୱରରେ ୫୦ ଭାଗ ଲୋକ ଭୋଟ ଦେଇନାହାନ୍ତି ।

ସେହିପରି ସିଲଭରି ସିଟି କଟକରେ ୩୫ ଭାଗ ଭୋଟର ମତଦାନରୁ ବିରତ ରହିଛନ୍ତି । ତେବେ ଚମକାଇବା ଭଳି ତଥ୍ୟ ଆସିଛି । ରେଶମ ସହର ବ୍ରହ୍ମପୁରରୁ ଏଠାରେ ମାତ୍ର ୪୭ ପ୍ରତିଶତ ମତଦାନ ହୋଇଛି, ଯାହାକି ଗତ ଥର ତୁଳନାରେ ୭ ପ୍ରତିଶତ କମ୍ । ତିନିଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ପରେ ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ କମିଥିବା କୁହାଯାଉଛି ।

Advertisment

ପୌର ନିର୍ବାଚନରେ ରାଜ୍ୟର ୩୪ ଭାଗ ସହରୀ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିନାହାନ୍ତି । ଭୋଟ ପ୍ରତିଶତ କମିବା ପଛରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ହେଉଛି । ଭୋଟର ତାଲିକାରେ ତ୍ରୁଟି ଓ ବୁଥ୍ ଅଦଳବଦଳ ଯୋଗୁଁ ଅନେକ ଭୋଟ ଦେଇପାରିନଥିବା ଅଭିଯୋଗ ଉଠିଛି । ତେଣେ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କ ମତରେ ଭୋଟ ହାର କମିବାର ମୁଖ୍ୟ କାରଣ ବସ୍ତି ମୁହାଁ ସରକାରୀ ଯୋଜନା, ବ୍ୟବସ୍ଥା ଉପରେ ଅନାସ୍ଥା, କାମଧନ୍ଧା ଲାଗି ଯୁବ ଭୋଟର ବାହାର ରାଜ୍ୟକୁ ଚାଲିଯିବା ଓ ଭୋଟରଙ୍କ ମନସପନ୍ଦର ପ୍ରାର୍ଥୀଙ୍କ ଅଭାବ । ତେବେ ମତଦାନ ପ୍ରତିଶତ ବଢାଇବାକୁ ନାଗରିକ ସଂଯୋଗୀକରଣ ଭଳି ଅନେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମଶନ ସଚିବ ରବୀନ୍ଦ୍ର ନାଥ ସାହୁ।

ପୌର ନିର୍ବାଚନରେ ଭୋଟ ହାର ଉଦବେଗଜନକ ଭାବେ ହ୍ରାସ ପାଇବାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି । ବିଜେପିର ଅଭିଯୋଗ ଶାସକ ଦଳର ହିଂସାକାଣ୍ଡରେ ଭୟଭୀତ ହୋଇ ଭୋଟ ଦେବାକୁ ଯାଉନାହାନ୍ତି ମତଦାତା । ଶିକ୍ଷିତ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦେଇ ବିଜ଼େଡି ଏଜେଣ୍ଡାରେ ମତଦାତ୍ତା ତାଲିକା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

Advertisment

ତେବେ ଶାସକ ବିଜେଡି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବସ୍ତିରେ ଟଙ୍କା ବାଣ୍ଟି ବିଜେଡି ଭୋଟ କିଣୁଛି, ତେଣୁ ଶିକ୍ଷିତ ବର୍ଗ ସେମାନଙ୍କ ଭୋଟ୍‌ର ମୂଲ୍ୟ ନଥିବା ଅନୁଭବ କରି ମତଦାନ କରୁନଥିବା ଦଳ ତରଫରୁ କୁହାଯାଇଛି । ତେବେ ବିଜେଡିର ଯୁକ୍ତି, ଗତଥର ଅପେକ୍ଷା ଏଥର ଭୋଟ ହାର ବଢିଛି ଭୋଟ କିଣା ନେଇ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।

ଶିକ୍ଷିତ ବର୍ଗ ମତଦାନରୁ ବିରତ ରହିବା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହେଁ । ତେଣୁ ଆଗାମୀ ଦିନରେ ନିର୍ବାଚନ ପ୍ରକ୍ରିୟାରେ କିଭଳି ସେମାନଙ୍କ ଭାଗିଦାରୀ ବଢିବ, ସେନେଇ ନିର୍ବାଚନ କମିଶନ ଓ ରାଜନୈତିକ ଦଳମାନେ ଚିନ୍ତା କରିବା ନିହାତି ଆବଶ୍ୟକ ।

ରିପୋର୍ଟର- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ଜଗଦୀଶ ଦାସ

Municipal Elections 2022 Low Voting Percentage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ