Advertisment

ନାହିଁ ନଥିବା ଭିଡ଼ରେ ସରିଲା ପୌର ନିର୍ବାଚନ ନାମାଙ୍କନ ଦାଖଲ

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।

ଅଦ୍ୟତନ ହୋଇଛି
Nomination ended for Muncipalty

Nomination ended for Muncipalty

Advertisment

ପୌର ନିର୍ବାଚନ ଲାଗି ସରିଲା ନାମାଙ୍କନ ଦାଖଲ। ଶେଷ ଦିନରେ ସବୁଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର-କଟକ ହେଉ କି ବ୍ରହ୍ମପୁର, ଅନ୍ତିମ ତାରିଖରେ ସବୁଠି ନାମାଙ୍କନ ଦାଖଲ ପାଇଁ ମେୟରଠୁ କର୍ପୋରେଟର ପ୍ରାର୍ଥୀ ସମର୍ଥକଙ୍କୁ ଧରି ଶୋଭାଯାତ୍ରାରେ ଆସି କରିଛନ୍ତି ନୋମିନେସନ୍‌।

Advertisment

ସେହିପରି ୧୦୬ ପୌର ସଂସ୍ଥାରେ ପୌରାଧ୍ୟକ୍ଷ ଓ କାଉନ୍‌ସିଲର୍‌ ପଦ ଲାଗି ବି ସରିଛି ମନୋନୟନପତ୍ର ଦାଖଲ ପ୍ରକ୍ରିୟା। ତେଣେ ଆସନ୍ତା ୨୪ରେ ପୌର ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଏଥର ନିର୍ବାଚନ ଲାଗି କୌଣସି କଟକଣା ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର।

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।

Advertisment

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ଭୁବନେଶ୍ୱର ଏଡିଏମ୍ ଅଫିସ୍ ଆଗରେ ଲାଗିଥିଲା ପ୍ରବଳ ଭିଡ଼। ତେବେ ଫୋକସ୍‌ରେ ଥିଲେ ହେଭିୱେଟ୍ ନେତ୍ରୀ। ଭୁବନେଶ୍ୱର ମହାନଗର ନିଗମ ଲାଗି ବିଜେଡି ମେୟର ପ୍ରାର୍ଥୀ ସୁଲଚନା ଦାସ ଖୋଲା ଜିପ୍‌ରେ ବିରାଟ ରାଲିରେ ଆସିଥିଲେ। ସାଥିରେ ଥିଲେ ଭୁବନେଶ୍ୱରର ତିନି ବିଧାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାହାଣୀ।

ସେପଟେ ବିଜେପି ମେୟର ପ୍ରାର୍ଥୀ ସୁନିତି ମୁଣ୍ଡ ବି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି। ତାଙ୍କ ସାଙ୍ଗରେ ଥିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଓ ଦଳୀୟ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ଅଧିଂକାଶ ଓ୍ୱାର୍ଡ ପାଇଁ ସବୁ ଦଳର ପ୍ରାର୍ଥୀମାନେ ନୋମିନେସନ୍‌ କରିଛନ୍ତି।

Advertisment

ସେହିପରି କଟକ ମହାନଗର ନିଗମ ଲାଗି ଆଜି ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ, ବିଜେପିରୁ ଶ୍ରୀତମ ଦାସ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଥିଲେ। ବ୍ରହ୍ଣପୁର ମହାନଗର ନିଗମ ଲାଗି ତିନି ଦଳର ମେୟର ପ୍ରାର୍ଥୀ ଯଥାକ୍ରମେ ବିଜେଡିରୁ ସଂଘମିତ୍ରା ଦଳେଇ, ବିଜେପିରୁ ସବିତା ସୁଆର ଓ କଂଗ୍ରେସରୁ ମଂଜୁ ରଥ ନୋମିନେସନ୍‌ ଦାଖଲ କରିଛନ୍ତ। ସେହିପରି ରାଜ୍ୟର ୧୦୬ ପୌରସଂସ୍ଥାରେ ପୌରାଧ୍ୟକ୍ଷ ଓ କାଉନ୍‌ସିଲର୍‌ ପଦ ଲାଗି ବି ସରିଛି ମନୋନୟନପତ୍ର ଦାଖଲ ପ୍ରକ୍ରିୟା।

ଆସନ୍ତା ୨୪ରେ ପୌର ଭୋଟ୍ ଥିବାନେଳେ ୨୬ରେ ରହିଛି ଗଣତି। ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ୧୮୯୯ ଓ୍ୱାର୍ଡ ଲାଗି ୪୪୭୫ ବୁଥ୍‌ରେ ନିର୍ବାଚନ ହେବ ଓ ୪୨ ଲକ୍ଷ ମତଦାତା ପ୍ରାର୍ଥୀ ବାଛିବେ। ପ୍ରତି ବୁଥ୍‌ରେ ଦୁଇଟି ଇଭିଏମ୍ ବ୍ୟବସ୍ଥା ରହିବାକୁ ଥିବାବେଳେ ମହାନଗର ନିଗମରେ ଗୋଟିଏ ଇଭିଏମ୍‌ରେ ମେୟର ଓ ଗୋଟିକରେ କର୍ପୋରେଟର୍‌ ପାଇଁ ମତଦାନ କରିବେ ଭୋଟର।

ସେହିପରି ପୌରାଞ୍ଚଳରେ ଗୋଟିଏ ପୌରାଧ୍ୟକ୍ଷ ଅନ୍ୟଟି କାଉନ୍‌ସିଲର୍ ପ୍ରାର୍ଥୀଙ୍କ ଲାଗି ବ୍ୟବହାର ହେବ। ଇଭିଏମ୍‌ରେ ନୋଟା ବ୍ୟବସ୍ଥା ମଧ୍ୟ ରହିଛି। ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର୍‌ ଓ ୪ ଜଣ ପୁଲିଂ ଅଫିସର୍‌ ରହିବେ। ତେବେ ନିର୍ବାଚନ ପରିଚାଳନାରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ଚାହିଁଲେ ବାଲାଟ୍ ପେପର୍‌ ମାଧ୍ୟମରେ ଭୋଟ୍ ଦେଇପାରିବେ, ହେଲେ ଏଥିପାଇଁ ପୂର୍ବରୁ ଆବେଦନ କରିବାକୁ ପଡିବ। କୋଭିଡ୍ କୋପ କମିଥିବାରୁ ପୌର ନିର୍ବାଚନ ପ୍ରଚାର ବିନା କଟକଣାରେ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ଆସନ୍ତା ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ପରେ ୧୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହର ସହ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତା’ପରେ ଜମିବ ପ୍ରଚାର।

(ରିପୋର୍ଟ: ଭୁବନେଶ୍ୱରରୁ ହରିହର ଚାନ୍ଦ, କଟକରୁ ଦେବାଶିଷ ମହାନ୍ତି ଓ ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା)

Exit Poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ