ମହଙ୍ଗା ପଡ଼ିଲା ମୋଦି ସାଙ୍ଗିଆ ମନ୍ତବ୍ୟ; ରାହୁଲଙ୍କ ମୁଣ୍ଡ ଉପରେ ଝୁଲିଲା ‘ଜେଲ୍‌’ ଖଣ୍ଡା

ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।

ରାହୁଲଙ୍କୁ ୩୦ ଦିନିଆ ମହଲତ

ରାହୁଲଙ୍କ ମୁଣ୍ଡ ଉପରେ ଝୁଲି ରହିଲା ଜେଲ୍ ଖଣ୍ଡା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ । ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରତ ଜିଲ୍ଲା କୋର୍। ତାଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ସହ ୩୦ ଦିନ ପାଇଁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି । ୨୦୧୯ରେ ମୋଦି ସାଙ୍ଗିଆକୁ ନେଇ କଣ କହିଥିଲେ ରାହୁଲ ଏବଂ କୋର୍ଟଙ୍କ ଏହି ରାୟ ପରେ କେତେ ରହିଛି ରାହୁଲଙ୍କ ଗିରଫଦାରୀ ସମ୍ଭାବନା ।

୨୦୧୯ର ସେଇ ଭାଷଣ ଏବେ ମହଙ୍ଗା ପଡ଼ିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଉପରେ । ମୋଦି ସାଙ୍ଗିଆକୁ ନେଇ ଅପମାନସୂଚକ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ମିଳିଛି ୨ ବର୍ଷ ଜେଲ୍ ଦଣ୍ଡାଦେଶ । ଗୁଜରାଟର ସୁରତ କୋର୍ଟ ତାଙ୍କୁ ୨ ବର୍ଷ ସଜା ଶୁଣାଇବା ସହିତ, ଏହି ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିବା ପାଇଁ ୩୦ ଦିନର ମହଲତ ବି ଦେଇଛନ୍ତି ।

ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।

୨୦୧୯ ମସିହା ଏପ୍ରିଲ ୧୩ । ଦେଶରେ ଆରମ୍ଭ ହୋଇସାରିଥାଏ ସାଧାରଣ ନିର୍ବାଚନ । କର୍ଣ୍ଣାଟକ କୋଲାରରେ ନିର୍ବାଚନୀ ପ୍ରଚାର ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ସବୁ ଚୋରଙ୍କର ମୋଦି ସାଙ୍ଗିଆ କାହିଁକି ? ନୀରବ ମୋଦି ଓ ଲଳିତ ମୋଦି ପ୍ରସଙ୍ଗ ଉଠାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଟାର୍ଗେଟ୍ କରିଥିଲେ ରାହୁଲ ।

ତେବେ ତାଙ୍କର ଏଭଳି ମନ୍ତବ୍ୟ ତାଙ୍କୁ ନିନ୍ଦିତ କରିଛି ବୋଲି ଅଭିଯୋଗ କରି, ଏତଲା ଦେଇଥିଲେ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୂର୍ଣ୍ଣେଶ ମୋଦି । ଏହାପରେ ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ଅପରାଧିକ ମାନହାନୀ ମାମଲା ରୁଜୁ କରାଯାଇଥିଲା ।

ଆଜି ସୁରତ ଜିଲ୍ଲା କୋର୍ଟ ରାହୁଲଙ୍କୁ ୨ ବର୍ଷ ସଜା ଶୁଣାଇବା ପରେ, ରାହୁଲ ମହାତ୍ମାଗାନ୍ଧିଙ୍କ ଏକ ଉକ୍ତିକୁ ଟୁଇଟ୍ କରିଛନ୍ତି । ଲେଖିଛନ୍ତି ଯେ, ମୋ ଧର୍ମ ଅହିଂସା ଉପରେ ଆଧାରିତ । ସତ୍ୟ ମୋ ଭଗବାନ ଏବଂ ଅହିଂସା ତାକୁ ପାଇବାର ମାଧ୍ୟମ । ପ୍ରଥମେ ଲଣ୍ଡନ ମନ୍ତବ୍ୟ, ଏବେ ଜେଲ୍ ଦଣ୍ଡାଦେଶ ।

ରାହୁଲଙ୍କ ଉପରେ ନିଶାନାକୁ ଶାଣିତ କଲା ବିଜେପି । ବିଜେପି ସାଂସଦ ସୁଶୀଲ ମୋଦି କହିଛନ୍ତି ମୁଁ ବି ଜଣେ ମୋଦି । ମୁଁ ମଧ୍ୟ ତାଙ୍କ ମନ୍ତବ୍ୟରୁ ଅପମାନବୋଧ କରିଛି । ସେ ବି ପାଟନାରେ ରାହୁଲଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି ବୋଲି କହିଛନ୍ତି ସୁଶୀଲ ମୋଦି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ରାହୁଲଙ୍କ ଏହି ମନ୍ତବ୍ୟ ଦ୍ୱାରା ପୂରା ମୋଦି ସଂପ୍ରଦାୟକୁ ଅପମାନିତ କରିଛନ୍ତି । ସତ୍ୟ ଓ ଅହିଂସାରେ ବିଶ୍ୱାସର ଅର୍ଥ ଲୋକଙ୍କୁ ଜାତିଆଣ ଆକ୍ଷେପ କରିବା କି ବୋଲି ପଚାରିଛନ୍ତି ରବିଶଙ୍କର ପ୍ରସାଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାହୁଲ ଏଥିରୁ ଶିକ୍ଷା ପାଇବା ଉଚିତ ।

ସେପଟେ କଂଗ୍ରେସ ରାହୁଲଙ୍କ ଜେଲ୍ ଯିବା ସମ୍ଭାବନାକୁ ହଜମ କରିପାରିନି । ଆଜି ରାହୁଲଙ୍କ ସମର୍ଥନରେ ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାମାନେ ଧାରଣା ଦେବା ସହିତ ଚେତାବନୀ ଦେଇଛନ୍ତି ଯେ, ରାହୁଲ ଯଦି ଜେଲ୍ ଯିବେ, ତେବେ ଆମେ ବି ଜେଲ୍ ଯିବାକୁ ପ୍ରସ୍ତୁତ । କୋର୍ଟଙ୍କ ରାୟକୁ ରାଜନୈତିକ ଆକ୍ରୋଶର ଆଖ୍ୟା ଦେଇଛି କଂଗ୍ରେସ ।

ରାହୁଲଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟୁଇଟ କରିଛନ୍ତି ଯେ, ଶାସକ ଦଳ ଭୟଭୀତ ହୋଇ ସମସ୍ତ କଳ, ବଳ, କୌଶଳ ଖଟାଇ ରାହୁଲ ଗାନ୍ଧିଙ୍କ ସ୍ୱର ଚପାଇଦେବାକୁ ଉଦ୍ୟମ କରୁଛି । ହେଲେ ମୋ ଭାଇ ନା କେବେ ଡରିଛନ୍ତି, ନା ଆଗକୁ ଡରିବେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରତିକ୍ରିୟା ରଖିଛନ୍ତି ଯେ, ଦଳ ଏହି ରାୟ ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବ ।

ଲଣ୍ଡନରେ ଭାରତୀୟ ଗଣତନ୍ତ୍ର ପ୍ରସଙ୍ଗରେ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଜିଦରେ ବିଜେପି ଅଡ଼ି ବସିଥିବା ବେଳେ, ରାହୁଲଙ୍କୁ ଜେଲ୍ ଦଣ୍ଡାଦେଶ କଂଗ୍ରେସ ପାଇଁ ଅଡ଼ୁଆକୁ ଆହୁରି ବଢ଼ାଇ ଦେଇଛି ।