ସୁବାସ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ : ବିଡିଓଙ୍କୁ ମାଡ଼ ଅଭିଯୋଗରେ ଗିରଫ ହୋଇଥିଲେ ବିଧାୟକ

ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍

ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଦେବଗଡ ବିଧାୟକଙ୍କୁ ଆଶ୍ୱସ୍ତି । ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ । ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ଦିଆଯାଇଛି । ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକଙ୍କୁ ଗିରଫ କରାଯାଇଥିଲା ।

ମେ ୧ ତାରିଖରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଥିଲା ଦେବଗଡ଼ ପୋଲିସ୍ । ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରଯାଇଥିଲା । ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । କୌଣସି କାର୍ଯ୍ୟ ପାଇଁ ବିଡିଓଙ୍କୁ ଦେଖା କରିବା ପାଇଁ କହିଥିଲେ ବିଧାୟକ । ହେଲେ ସେ ସ୍କୁଲ ପରିଦର୍ଶନ କରିବାକୁ ବାହାରକୁ ଯାଇଥିବା ଜଣାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିଲେ । ଆଉ ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ ।

ତେବେ ଗିରଫଦାରୀ ପରେ ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା କହିଥିଲେ । ସୁଯୋଗ ମିଳିବା କ୍ଷଣି ଗିରଫ କରାଗଲା ବୋଲି ସେ ଅଭିଯୋଗ ଆଣିଥିଲେ ।

ଅନ୍ୟପଟେ ତାଙ୍କ ଗିରଫଦାରୀ ପରେ ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ ଡକରା ଦିଆଯାଇଥିଲା । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା । ଦଳୀୟ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀର ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି ।