ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କ’ଣ ?

ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି ।

ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡି ସରକାରକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିବା ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଏନେଇ ତାଙ୍କ ଦୈନିକ ଖବର କାଗଜରେ ସମ୍ପାଦକୀୟ ମାଧ୍ୟମରେ ପରୋକ୍ଷ ଭାବେ ନବୀନ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ସୌମ୍ୟରଂଜନ।

ସୌମ୍ୟ ଲେଖିଛନ୍ତି, ଏବେ ଅନେକ ସ୍ଥାନରେ ବିଭାଗୀୟ ମନ୍ତ୍ରୀଙ୍କ ସ୍ଥାନରେ ସଚିବ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି କହିଛନ୍ତି ସୌମ୍ୟରଂଜନ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସର୍ବଭାରତୀୟ ସେବାର ସର୍ବୋଚ୍ଚ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିଛି। ସେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ନକରି ଏଠାରେ ହଟଚମଟ କାହିଁକି ସୃଷ୍ଟି କରୁଛନ୍ତି । ବିଜେଡି ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କରି ଆସୁଛି । ଓଡ଼ିଶାବାସୀଙ୍କ ଏ ଭଲ ପାଇବାର ଉତ୍ତର ଦେବାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଏ ପ୍ରକାର ହଟଚମଟ ସୃଷ୍ଟିକାରୀଙ୍କୁ ଉଚିତ ଯବାବ ଦିଅନ୍ତୁ ବୋଲି ଲେଖିଛନ୍ତି ସୌମ୍ୟରଂଜନ ।

ସୌମ୍ୟରଂଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍ ଯବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ । ପୁଣି ଥରେ ସେ ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ, 'ସୌମ୍ୟବାବୁ ଜଣେ ଜଣେ ସ୍ୱାର୍ଥପର ଲୋକ । କେମିତ ମନ୍ତ୍ରୀ ହେବେ, ସେଥିପାଇଁ ଲାଳସା ରଖୁଛନ୍ତି । ମଣିଷ ସ୍ୱାର୍ଥହାନୀ ହେଲେ ଏଭଳି ପନ୍ଥା ଆପଣାନ୍ତି’ ।