ମୁହଁ ଖୋଲିଲେ ସୌମ୍ୟ; କହିଲେ, ମୋର କିଛି ନାହିଁ..ଯାହାଙ୍କୁ ଗଢ଼ିଥିଲି, ସେମାନେ ଚୋଟ ମାରିଲେ

ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

Soumya Ranjan Patnaik

ଦୀର୍ଘ ଦିନ ପରେ ପୁଣି ମୁହଁ ଖୋଲି ତୀର୍ଯ୍ୟକ ତୀର ମାରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି- ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ହୁଏ ନାହିଁ । ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ କରୁନାହାନ୍ତି ।

କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ନିଜ ପ୍ରତିକ୍ରିୟା ରଖି ସୌମ୍ୟ କହିଥିଲେ- ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନାହାନ୍ତି । ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନ୍ଦେହ ସୃଷ୍ଟି କରିଥିଲେ ସାମ୍ବାଦିକ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ଯେଉଁଠୁ ଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ।

ସେହିପରି ଆଗକୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ସୌମ୍ୟ । କହିଛନ୍ତି- ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’। ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ । ସଂପାଦକ ପଦ କାହିଁକି ଛାଡ଼ିଲେ ପ୍ରଶ୍ନରେ ପ୍ରତିକ୍ରିୟା ରଖି ସୌମ୍ୟ କହିଥିଲେ- ଯେଉଁ ସାମ୍ବାଦିକଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ସଂପାଦକ ପଦ ଛାଡ଼ିଲି । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ।