ପ୍ରକଳ୍ପ ଉଦ୍‌ଘାଟନରେ ହଟହଟା ହେଲେ ପାରାଦୀପ ବିଧାୟକ

ରାହାମା-ଖୋସାଲପୁର ସେତୁରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ କରିବା ବେଳେ ବିଧାୟକ ହଟହଟା ହୋଇଛନ୍ତି ।

MLA Shocked

ଅସଂପୂର୍ଣ୍ଣ ପ୍ରକଳ୍ପର ତରବରିଆ ଉଦ୍‌ଘାଟନକୁ ନେଇ ପାରାଦୀପ ଅଞ୍ଚଳରେ ଜନ ଅସନ୍ତୋଷ । ଉଦ୍‌ଘାଟନ ବେଳେ ହଟହଟା ହେଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ରାହାମା-ଖୋସାଲପୁର ସେତୁରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ କରିବା ବେଳେ ବିଧାୟକ ହଟହଟା ହୋଇଛନ୍ତି ।

ପ୍ରକଳ୍ପ ଉଦଘାଟନ ପାଇଁ ବିଧାୟକ ପହଞ୍ଚିବା ପରେ ସେତୁର ଆଲୋକୀକରଣ ପାଇଁ ଖୋସାଲପୁର ଗାଁ ଟ୍ରାନ୍ସଫର୍ମରରୁ ବିଜୁଳି ସଂଯୋଗ ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ଅଟକି ନଥିଲା ଉଦ୍‌ଘାଟନ କାର୍ଯ୍ୟକ୍ରମ । ଡିଜିଟାଲ୍ ଜେନେରେଟର ଲଗାଇ ସେତୁରେ ଲାଇଟ୍ ଲଗାଯିବା ସହ ଉଦ୍‌ଘାଟନ କରାଯାଇଥିଲା ।

ମାତ୍ର ଏହାର ଅଳ୍ପ ସମୟ ପରେ ଲାଇଟ୍ ଲିଭି ଯାଇଥିଲା ଫଳରେ ସେତୁ ଯେଉଁ ଅନ୍ଧାରକୁ ସେଇ ଅନ୍ଧାରରେ ପଡ଼ି ରହିଛି । ଗ୍ରାମବାସୀମାନେ ଦୀର୍ଘ ଦିନରୁ ଲୋ ଭୋଲ୍ଟେଜ୍ ସମସ୍ୟା ଦେଇ ଗତି କରୁଥିବା ବେଳେ ଅନ୍ୟ ଏକ ଟ୍ରାନ୍ସଫର୍ମର ବସିପାରିନାହିଁ । ଏଭଳି ସ୍ଥିତିରେ ତରବରିଆ ଭାବେ ଟ୍ରାନ୍ସଫର୍ମର ନ କରି ସେତୁ ଉଦ୍‌ଘାଟନକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଏହା ପଛରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗକୁ ବିଧାନସଭା ଅଧିବେଶନ ଥିବାରୁ ସମୟର ଅଭାବ ରହିବ । ଏଥିଲାଗି ଆଗୁଆ ସେତୁ ଉଦ୍‌ଘାଟନ କରାଯାଇଥିବା ବିଧାୟକ କହିଛନ୍ତି । ସେହିପରି ୩ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।