ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆ ସରକାର ଇତି ମଧ୍ୟରେ କ୍ଷମତାରେ ସାତ ମାସ ପୂରଣ କରିସାରିଲାଣି । ତାଙ୍କ ସରକାରର ବିଭିନ୍ନ କ୍ଷେତ୍ରରେ ଏପର୍ଯ୍ୟନ୍ତ ପାରଦର୍ଶିତା ଓ ଆଗାମୀ ଦୃଷ୍ଟିକୋଣ ନେଇ ଜନସାଧାରଣ ଅଳ୍ପେ ବହୁତ ଅବଗତ ହେଲେଣି । ରାଜ୍ୟ କ୍ଷମତାର ମୁଖ୍ୟ ଅଳିନ୍ଦ କୁହାଯାଉଥିବା ସଚିବାଳୟ ଠାରୁ ଏକ ଅଖ୍ୟାତ ଗ୍ରାମାଞ୍ଚଳର ଚା’ ଖଟିଗୁଡିକରେ ବିଜେପି ସରକାରର ପ୍ରଦର୍ଶନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ ମନ୍ତ୍ରୀମାନଙ୍କ କାର୍ଯ୍ୟ ନେଇ ନିୟମିତ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । କେବଳ ସେତିିକି ନୁହେଁ, ପ୍ରତିଦିନ ପୂୂରୂଣା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମ୍ପର୍କରେ ଆଲୋଚକମାନେ ଏକ ତୁଳନାତ୍ମକ ଚିତ୍ର ଆଙ୍କିବା ଦେଖାଯାଉଛି । କିଏ ଭଲ, କେତେ ପରିମାଣରେ ଭଲ ଓ କାହାର ଜନପ୍ରିୟତା ଓ ପାରଦର୍ଶିତା ଅଧିକ, ସେ ନେଇ ଆଲୋକଚକମାନେ ବେଶ୍ ପାଣ୍ଡିତ୍ୟପୂର୍ଣ୍ଣ ଢଙ୍ଗରେ ଆଲୋଚନା କରିବା ପରିଲକ୍ଷିତ ହେଉଛି ।
ଏକ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଜନସାଧାରଣ ସେମାନଙ୍କର ପ୍ରତିନିଧି ଓ ଶାସନ ବ୍ୟବସ୍ଥାକୁ ଯେତେ ପରିମାଣରେ ଆଲୋଚନା କରିବେ, ସେତେ ଭଲ । କାରଣ ଏହା ସେମାନଙ୍କ ରାଜନୈତିକ ସକ୍ରିୟତା ଓ ଜାଗ୍ରତପଣର ସୂଚକାଙ୍କ ବୋଲି କୁଯାଯାଇପାରିବ। ଯଦି କୌଣସି ସମୟରେ ଜନସାଧାରଣ ବା ଜନପ୍ରତିନିଧି ସେମାନଙ୍କର କାର୍ଯ୍ୟବଳୀ ସମ୍ପର୍କରେ ଆଲୋଚନା ନକରୁଛନ୍ତି, ତେବେ ଏହା ସେମାନଙ୍କର ରାଜନୈତିକ ବିତସ୍ପୃହତା ବୋଲି ଧରିନେବାକୁ ହେବ । ଏହି ରାଜନୈତିକ ବିତସ୍ପୃହତା ଏକ ବଡ ବ୍ୟାଧି । କାରଣ ଶାସକକୁ ସ୍ୱେଚ୍ଛାଚାରୀ ହେବାକୁ ଏହା ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।
ନବୀନ ଓ ମୋହନଙ୍କ ଶାସନ ବ୍ୟବସ୍ଥା ଓ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ପାଇଁ ବର୍ତମାନ ସେତିକ ପ୍ରକୃ୍ଷ୍ଠ ସମୟ ଆସିନାହିଁ । କାରଣ ନବୀନ ୨୪ ବର୍ଷରୁ ଉର୍ଦ୍ଧ ଏ ରାଜ୍ୟର ଶାସନ ବ୍ୟବସ୍ଥାକୁ ନିଜ ହାତରେ ରଖିଥିଲେ । ଅପରପକ୍ଷରେ ମୋହନଙ୍କ କାର୍ଯ୍ୟକାଳ ମାତ୍ର ଏକ ବର୍ଷ ହୋଇନାହିଁ । ଆମ୍ବ ପାଚିଥାଉ କି ନପାଚି ଥାଉ, ବଗୁଲିଆ ଟୋକାମାନେ ଟେକା ମାରିବେ ହିଁ ମାରିବେ । ଲଙ୍କା ଆଉ ଲୁଣ ଦେଇ କଷି ଓ କଞ୍ଚା ଆମ୍ବ ସ୍ୱାଦ ଚାଖିବେ । ଏହାଛଡା ଯେଉଁମାନେ ଆମ୍ବରୁ ଆମ୍ବୁଲ ପ୍ରସ୍ତୁତ କରିବେ ବା ଆମ୍ବଖଟା ରାନ୍ଧିବେ, ସେମାନେ ବି କଞ୍ଚା ଆମ୍ବ ତୋଳିବେ । ରାଜନୀତିରେ ଠିକ୍ ସେମିତି ହୁଏ । ଆମ୍ବ ଗଛରେ ବଉଳ ବଉଳିବା ଦିନ ଠାରୁ ବଗୁଲିଆମାନଙ୍କ ନଜର ସେଇଠି ନିବଦ୍ଧ ଥାଏ । ଠିକ୍ ସେହିଭଳି ଜଣେ ନୂଆ ନେତାଙ୍କ ନାମ ସାମ୍ନାକୁ ଆସିଲାବେଳେ. ସାଧାରଣ ରାଜନୀତି ଖଟି କରୁଥିବା ଲୋକମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଓ କନିଷ୍ଠ ରାଜନୈତିକ ସମୀକ୍ଷକମାନେ ଉକ୍ତ ନୂଆ ନେତାଙ୍କ ତୁଳନା ପୂରୂଣାମାନଙ୍କ ସହିତ ଆରମ୍ଭ କରିଦିଅନ୍ତି ।
Also Read
ଆସନ୍ତୁ, ଏବେ ବଗୁଲିଆମାନଙ୍କ ସହିତ ସମତାଳରେ ଗତି କରି ନବୀନଙ୍କ ଓ ମୋହନଙ୍କ ସମ୍ପର୍କରେ ଯଥା ସମ୍ଭବ କିଛି ଆଲୋଚନା କରିବା ।
ମାର୍ଚ୍ଚ ୫, ୨୦୦୦ ମସିହା । ନିର୍ବାଚନରେ ବିଜେଡି ଓ ବିଜେପିର ବିପୁଳ ବିଜୟ ପରେ ନବୀନ ପଟ୍ଟନାୟକ ହେଲେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ । ତାଙ୍କର ପ୍ରଥମ ସଭା ହୋଇଥିଲା ସଚିବାଳୟ ସମ୍ମୁଖ ଗାନ୍ଧିମାର୍ଗ ଠାରେ । ଜୀବନ ସାରା ଆଦୌ ଭଲ ଭାବରେ ଓଡ଼ିଆ କହିପାରୁନଥିବା ନବୀନ ସେଦିନ ଇଂରାଜୀରେ ଲେଖା ଓଡ଼ିଆ ଭାଷଣର ପଢିଲା ବେଳେ ତାଙ୍କର ଗୋଟିଏ ବାକ୍ୟ ସେତେବେଳେ ଉପସ୍ଥିତ ଜନସାଧାରଣ ଓ ଟେଲିଭିଜନର ଲାଇଭ୍ ଦେଖୁଥିବା ଲୋକମାନଙ୍କୁ ବେଶ୍ ଛୁଇଁଥିଲା । ସେହି ବାକ୍ୟଟି ହେଲା “ଆପଣମାନେ ଗାଁକୁ ଜଗିଥାନ୍ତୁ, ମୁଁ ଭୁବନେଶ୍ୱରକୁ ଜଗିଛି ।” ସେତେବେଳେ ଉପସ୍ଥିତ ଜନସାଧାରଣ ଏହି ଉକ୍ତିକୁ ବେଶ୍ ଉଚ୍ଛ୍ୱସିତ କରତାଳି ଦେଇ ସ୍ୱାଗତ କରିଥିଲେ । ନବୀନଙ୍କର ଏହି ଉକ୍ତି ସେହି ପୃଷ୍ଟଭୂମିରେ ଆସିଥିଲା, ଯେତେବେଳେ କି ର୍ପୂବ କଂଗ୍ରେସ ସରକାର ସମୟରେ ଦୁର୍ନିତି ଓ ଅନୀତିରେ ରାଜ୍ୟର ଜନସାଧାରଣ ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡିଥିଲେ । ବ୍ଲକ୍ ଅଫିସ ଠାରୁ ଆରମ୍ଭ କରି ଥାନା ଓ ସଚ୍ଚିବାଳୟ, -ସବୁଠାରେ କଂଗ୍ରେସୀ ନେତା ଓ କର୍ମୀମାନଙ୍କର ରାଜ ଚାଲୁଥିଲା । ତାଙ୍କ ସହିତ ଅନେକ ଅସାଧୁ ସରକାରୀ କର୍ମଚାରୀ ଓ କିଛି ଅସାଧୁ ପୋଲିସ୍ ସାଧାରଣ ଜନତାଙ୍କ ଜୀବନକୁ ଏକ ପ୍ରକାର ଦୁର୍ବିସହ କରିଦେଇଥିଲେ ।
ସମୟ ଗଡିଚାଲିଲା । ବିଜୁ ପଟ୍ଟନାୟକଙ୍କ ସନ୍ତାନ ନବୀନଙ୍କ ଭିତରରେ ଓଡ଼ିଶାବାସୀ ଏକ ଗୌରବାମୟ ଭବିଷ୍ୟତର ସ୍ୱପ୍ନ ଦେଖିଲେ । ପ୍ରଥମ ବର୍ଷେ ଓ ଦେଢ ବର୍ଷ ପ୍ରାୟ ଏକ ପ୍ରକାର ଠିକ୍ଠାକ୍ ଥିଲା । ବିଜେଡି ଓ ବିଜେପିର ମିଳିତ ନେତୃତ୍ୱରେ ସରକାର ଏକ ପ୍ରକାର ଗୁଳାରେ ଗତି କରୁଥିଲା ବୋଲି କୁହାଯାଇ ପାରେ । କିନ୍ତୁ ପରବର୍ତ୍ତୀ ସମୟରେ - କହିବାକୁ ଗଲେ ୨୦୦୧ ଜୁଲାଇ ୯ ତାରିଖ ଠାରୁ ଓଡ଼ିଶାର ଶାସନ ବ୍ୟବସ୍ଥା ଏକ ପ୍ରକାର ଏକ ଅଜବ ପର୍ଯ୍ୟାୟରେ ପ୍ରବେଶ କଲା । ୨୦୦୧ ଜୁଲାଇ ୯ ତାରିଖ ଦିନ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରୁ ସେତେବେଳର ତିନି ଜଣ କ୍ୟାବିନେଟ୍ ମନ୍ତ୍ରୀ ଯଥା ନଳିନୀକାନ୍ତ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ବିଦା କରିଥିଲେ ।
ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦାକଲାବେଳେ ନବୀନ କହିଥିଲେ ଯେ, “ଦେ ଆର୍ ଅଣ୍ଡର ସ୍ୟାଡୋ ଅଫ୍ କରପସନ୍” । ଅର୍ଥାତ୍ ସେମାନେ ଦୂର୍ନୀତିର ଛାୟାରେ ଅଛନ୍ତି । ନବୀନଙ୍କ ଦୁର୍ନୀତିର ଛାୟା ଅପବାଦ ସେହି ଛାୟାରେ ରହିଗଲା । ନା କେବେ ପ୍ରମାଣ ହେଲା ନା ସେମାନଙ୍କୁ କଳଙ୍କମୁକ୍ତ କରାଗଲା । ଜୀବନସାରା ସାଧାରଣ ଜନତାର ଏକ ପ୍ରତିନିଧିର ସ୍ୱୀକୃତି ପାଇଥିବା ନଳିନୀ ମହାନ୍ତି ନବୀନଙ୍କ ଅପବାଦରେ ମାନସିକ ଯନ୍ତ୍ରଣାରେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଛଟପଟ ହୋଇଥିଲେ । ଏହି ତିନି ଜଣ ନେତାଙ୍କୁ ବହିଷ୍କାର କରିବା ପଛରେ ନବୀନଙ୍କ ନିଜ ପାଇଁ ଏକ ସାଧୁ ତଥା ସ୍ୱଚ୍ଛ ଶାସକ ଭାବମୂର୍ତ୍ତି ତିଆରି କରିବାର ଏକ ବଡ ରାଜନୈତିକ ଚାଲ୍ ଥିଲା ।
୨୦୦୦ ମସିହା ଜାନୁୟାରୀ ମାସରେ ବିଜୟ ମହାପାତ୍ରଙ୍କୁ ଦଳରୁ ନବୀନ ବହିଷ୍କାର କଲା ପରେ ନଳିନୀ ମହାନ୍ତି ସରକାରକୁ ଏକ ପ୍ରକାର ପରିଚଳନା କରୁଥିଲେ । ତାଙ୍କ ପରେ ପ୍ୟାରୀମୋହନ ମହାପାତ୍ରଙ୍କର ବିଜେଡିରେ ଧୀରେ ପ୍ରବେଶ ଘଟିଲା ଏବଂ ଧୀରେ ଧୀରେ ରାଜନୈତିକ ବ୍ୟକ୍ତିମାନଙ୍କ ସ୍ୱର ଧିମା ହେବା ସହିତ ଅମଲା ବା ବ୍ୟୁରୋକ୍ରାଟମାନଙ୍କ ପାଖରେ କ୍ଷମତା ଅଧିକ ଭାବେ ଠୁଳ ହେବାରେ ଲାଗିଲା । ଏମିତି ଭାବାରେ ଠୁଳ ହେବାରେ ଲାଗିଲା ଯେ ୨୦୦୫ ମସିହା ଜୁନ୍ ମାସ ୨୨ ତାରିଖ ଦିନ ଯେତେବେଳେ ଦକ୍ଷିଣ କୋରିଆର ପୋସ୍କୋ ଷ୍ଟିଲ୍ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଗଲା, ସେତେବେଳେ ତତ୍କାଳୀନ ଶିଳ୍ପମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରାଯାଇନଥିଲା ।
ସଚିବାଳୟରେ ନିଜ ଚ୍ୟାମ୍ବରରେ ସେ ଉପସ୍ଥିତ ଥିଲାବେଳ ପୋସ୍କୋ ବୁଝାମଣା ପତ୍ର ତୃତୀୟ ମହଲାର କନଭେନସନରେ ସ୍ୱାକ୍ଷର ହେଉଥିଲା । ଜନାଦେଶ ପାଇ ସରକାରକୁ ଆସୁଥିବା ନବୀନ ପଟ୍ଟନାୟକ ସରକାର ଧୀରେ ଧୀରେ ଲୋକମାନଙ୍କ ଠାରୁ ଦୂରେଇବାକୁ ଲାଗିଲେ । ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୂର୍ବିପାକରେ ଲୋକମାନଙ୍କ ପାଖକୁ ଆମ୍ବାସାଡାର କାରରେ ଯାଇ ଖବରକାଗଜର ପ୍ରଥମପୃଷ୍ଠା ମଣ୍ଡନ କରୁଥିବା ନବୀନ ହେଲିକପ୍ଟରରେ ବୁଲିଲେ । ତାଙ୍କ ବାସଗୃହ ନବୀନ ନିବାସ ଓ ତୃତୀୟ ମହଲା ଲୋକଙ୍କ ପାଇଁ ସମୟ କ୍ରମେ ହୋଇଗଲା ଅପହଞ୍ଚ ।
ଗୋଟିଏ ପଟେ ନବୀନ ଜନସାଧାରଣଙ୍କ ଠାରୁ ଦୂରେଇ ଗଲାବେଳେ, କିଛି ଅସାଧୁ ଅମଲା ଓ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ଓଡ଼ିଶାରେ ଘଟିଲା ୩ ଲକ୍ଷ କୋଟି ଟଙ୍କାର ଖଣି ଘୋଟାଲା । ୨୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ସ୍କାମ୍, ଘଙ୍ଗାପାଟଣା ଜମି ସ୍କାମ୍, ପାଣି ସ୍କାମ୍ ଠାରୁ ଆରମ୍ଭ କରି ରାଜନୈତିକ ହତ୍ୟାକାଣ୍ଡମାନ ଘଟିଚାଲିଲା ।
ମହିଳା ଓ ଶିଶୁ ନିର୍ଯ୍ୟାତନା ବଢିଲା । ନବୀନ ଅନେକ ପୂରୂଣା ନେତାମାନଙ୍କୁ ଦଳରୁ ବହିଷ୍କାର କରିବା ପ୍ରକ୍ରିୟା ଜାରି ରଖିବା ସହିତ ଆଉ କିଛି ପୂରୂଣା ନେତାଙ୍କ ପୁଅ ଓ ଝିଅମାନଙ୍କୁ ଏମ୍ଏଲ ଓ ଏମ୍ପି ଟିକେଟ୍ ଦେଇ ଚୁପ୍ କରିଦେଲେ । ପରିବାରବାଦରେ ଦଳ ଜଡସଢ ହେଲା । ଠିକ୍ ସେହିପରି କିଛି ଯୁବନେତାଙ୍କ ଅହଙ୍କାର ଓ ଔଦ୍ଧତ୍ୟ ଜନସାଧାରଣଙ୍କ ଜୀବନକୁ ଏକ ପ୍ରକ୍ରାର ଦୁର୍ବିସହ କରିଦେଲା ।
ଏଥର ପ୍ରଶାସନ ସମ୍ପର୍କରେ ଆଲୋଚନା କରିବା । ପ୍ରଥମ ଦଫାରେ ଅର୍ଥାତ୍ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କ କ୍ୟାବିନେଟରେ ଆଲୋଚନା ବେଶ୍ ଦୀର୍ଘ ହୋଇ ନିଷ୍ପତି ନିଆଯାଉଥିଲା । ବୈଠକ ପରେ ଜଣେ ବରିଷ୍ଠ ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରୁଥିଲେ । ସମୟ କ୍ରମେ କ୍ୟାବିନେଟ୍ ବୈଠକ କିଛି ମିନିଟକୁ ହ୍ରାସ ପାଇଲା । ଅନେକ ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପୂର୍ବରୁ ଯୋଗାଇ ଦିଆଯାଉଥିବା ଆଜେଣ୍ଡା ବା ଆଲୋଚନା ହେବାକୁ ଥିବା ବିଷୟ ଚିଠା ଯୋଗାଇଦିଆଗଲା ନାହିଁ । ବିନା ଆଲୋଚନାରେ ମନ୍ତ୍ରୀମାନେ ନିଜର ଦସ୍ତଖତ ଦେଇଦେବା ପରିସ୍ଥିତି ଦେଖିବାକୁ ମିଳିଲା । ବେଳେବେଳେ ସାମାନ୍ୟ କିଛି ମିନିଟ୍ ମଧ୍ୟରେ କ୍ୟାବିନେଟ୍ ବୈଠକ ଶେଷ ହେବା ଦେଖାଗଲା । ସମ୍ବାଦିକମାନଙ୍କୁ ଆଉ ପୂର୍ବଭଳି କ୍ୟାବିନେଟ୍ ପରିବର୍ତ୍ତି ବ୍ରିଫିଙ୍ଗ ବା ସୂଚନା ପ୍ରଦାନ କରାଗଲା ନାହିଁ ।
କେବଳ ହ୍ୱାଟସ୍ଆପ୍ ମାଧ୍ୟମରେ ନ୍ୟୁଜ୍ ଦୟା କରିଲା ଭଳି ପଠାଇ ଦିଆଗଲା । ସମ୍ବାଦିକମାନଙ୍କୁ ସଚିବାଳୟକୁ ଯିବାକୁ ତ ଦିଆଗଲା ନାହିଁ, ଗେଟ୍ ବାହାରେ ମଧ୍ୟ ଠିଆ କରିଦିଆଗଲା ନାହିଁ । ସ୍ୱଳ୍ପ ପାରିଶ୍ରମିକରେ ଗଣତନ୍ତ୍ରକୁ ଧରିରଖିବା ପାଇଁ ଚେଷ୍ଟା କରୁଥିବା ସାମ୍ବାଦିକମାନଙ୍କୁ ପଶୁ ଠାରୁ ହୀନ ବ୍ୟବହାର କରାଗଲା । ଯେଉଁ ସମ୍ବାଦିକ ଟିକେ ଦାମ୍ଭିକତାର ସହିତ ପ୍ରଶାସନର ତ୍ରୁଟି, ବିଚ୍ୟୁତିକୁ ସାମ୍ନାକୁ ଆଣିବାକୁ ସାହସ କଲେ, ତାଙ୍କୁ ସେଥିପାଇଁ ଜେଲ୍ ଠାରୁ ଆରମ୍ଭ କରି ଅନ୍ୟାନ ନିର୍ଯ୍ୟାତନାର ସାମ୍ନା କରିବାକୁ ପଡିଲା । ସାମଗ୍ରିକ ଭାବେ ରାଜ୍ୟର ସମ୍ବାଦିକମାନଙ୍କ ସ୍ୱାଭିମାନଙ୍କୁ ଏହା ବେଶ୍ ଆଘାତ ପ୍ରଦାନ କରିଥିଲା । ନବୀନ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱକାଳ ସମୟରେ କେବେ କ୍ୟାବିନେଟ୍ ବୈଠକ ବ୍ରିଫିଙ୍ଗ୍ ଦେଇନାହାଁନ୍ତି କି ଦେବାକୁ ମନେ କରିନାହାଁନ୍ତି ।
ନବୀନଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ସେ ନିଜେ ନିୟମିତ ଭାବେ କ୍ୟାବିନେଟ୍ ବୈଠକ ପରବର୍ତ୍ତି ସୂଚନା ସାମ୍ବାଦିକମାନଙ୍କୁ ପ୍ରଦାନ କରୁଥିଲେ । ଜାନକୀଙ୍କ ରାଜତ୍ୱର ଶେଷ ଭାଗ ଓ ଏହା ମଧ୍ୟରେ ପ୍ରାୟ ୨୬ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ଏବେ ଦେଖିବାକୁ ମିଳୁଛି ଯେ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ତାଙ୍କର ମନ୍ତ୍ରୀମାନେ ନିଜେ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଉଛନ୍ତି । ଏହି ସରକାରଙ୍କ କ୍ୟାବିନେଟ୍ ବୈଠକ ଅଧିକାଂଶ ସମୟରେ ଦୁଇ ଘଣ୍ଟାରୁ ଉର୍ଦ୍ଦ ସମୟ ଚାଲିବା ଦେଖାଯାଉଛି । ଏହା ଏକ ଶୁଭ ସୂଚନା । କାରଣ କ୍ୟାବିନେଟ୍ ଯେତେ ଦୀର୍ଘ ସମୟ ଚାଲିବ, ଜଣା ପଡିବ ଯେ ମନ୍ତ୍ରୀମାନେ ଉତ୍ସାହ ଓ ଆବେଗ ସହିତ ଏଥିରେ ଅଂଶଗ୍ରହଣ କରୁଛନ୍ତି ।
ଏହାପୂର୍ବରୁ ଆଲୋଚନା କରଯାଇଛି ଯେ ମୋହନ ମାଝି ସରକାର ଏହି ସାତମାସ ମଧ୍ୟରେ ବିଜେପିର ପ୍ରାୟ ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିସାରିଛନ୍ତି । ଦୁର୍ନିୀତି ବିରୋଧରେ ଏକ ଦୃୃଢ ଶାସନ ଦେବା ପାଇଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଅନେକ ବରିଷ୍ଠ ଇଂଜିନିୟର ଓ ପ୍ରଶାସନିକ ଅଧିକାରୀ ଏହା ମଧ୍ୟରେ ଦୂର୍ନୀତି ଅଭିଯୋଗରେ ଜେଲରେ ଭର୍ତ୍ତି ହୋଇଛନ୍ତି ।
ନବୀନଙ୍କ କାଳଖଣ୍ଡରେ ମନ୍ତ୍ରୀମାନେ ଘରେ ବା ସଚିବାଳୟରେ ବସି ରହୁଥିଲେ । ସଚିବମାନେ କାମ କରୁଥିଲେ । ସଚିବମାନେ ମନ୍ତ୍ରୀମାନଙ୍କ ଚ୍ୟାମ୍ବରକୁ ଆସିବା ବିଧି ବିଧାନଥିବା ବେଳେ ନବୀନଙ୍କ ସମୟରେ ବିପରୀତ ଚିତ୍ର ଦେଖିବାକୁ ମିଳୁଥିଲା । ନବୀନ ପ୍ୟାରୀମୋହନ ମହାପାତ୍ର ଓ ଭିକେ ପାଣ୍ଡିଆନଙ୍କୁ ମାତ୍ରାଧିକ ବିଭିନ୍ନ ସମୟରେ ଗୁରୁତ୍ୱ ଦେବା ଦେଖି ମନ୍ତ୍ରୀ ଓ ବିଜେଡି ବିଧାୟକମାନେ ସଚିବମାନଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ ।
କେବଳ ସେତିକି ନୁହେଁ, କିଛି ମନ୍ତ୍ରୀ ଓ ବିଜେଡି ବିଧାୟକ ସଚିବମାନଙ୍କୁ ଦେବତା ପ୍ରମାଣେ ଭକ୍ତି ଓ ଭୟ କରିବାକୁ ଲାଗିଲେ । ବିଭିନ୍ନ ସମୟରେ ସଚିବମାନଙ୍କ ପାଇଁ ଚୌକିଦାର ଓ ଟ୍ରାଫିକ ପୋଲିସ ଡ୍ୟୁଟି କରିବାକୁ ଲାଗିଲେ । ଏବେ ଯେଉଁମାନେ ମୋହନ ସରକାରଙ୍କୁ ପାଖରୁ ଦେଖୁଛନ୍ତି, ସେମାନେ ନିଶ୍ଚିତ ଜାଣିପାରୁଥିବେ, ବର୍ତ୍ତମାନ ପ୍ରତ୍ୟେକ ମନ୍ତ୍ରୀ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାବେ ନିଜର କାର୍ଯ୍ୟ ସମ୍ପାଦିତ କରିପାରୁଛନ୍ତି । ଯେଉଁ ଅମଲାମାନେ ଦିନେ ନବୀନଙ୍କ ଶାସନରେ ବଳଶାଳୀ ହୋଇ ଏମ୍ଏଲ୍ଏ ଓ ମନ୍ତ୍ରୀମାନଙ୍କୁ ଆଡ ଆଖିରେ ଚାହୁଁନଥିଲେ, ସେମାନେ ଏବେ ସେମାନଙ୍କର ଅସଲ ଚରିତ୍ରକୁ ଫେରିଛନ୍ତି । ମନ୍ତ୍ରୀମାନଙ୍କ ପାଖେପାଖେ ରହି ଜନସାଧାରଣଙ୍କ ସମସ୍ୟା ଶୁଣିବା ଲାଗି ବ୍ୟଗ୍ରତା ଦେଖାଉଥିବା ପରିଲକ୍ଷିତ ହେଉଛି ।
ଗଣତନ୍ତ୍ରରେ ନିବାର୍ଚିତ ପ୍ରତିନିଧି ବଡ । ସେମାନେ ଘୋଡାର ମାଲିକ ବା ଘୋଡା ଚଢାଳୀ । ସଚିବମାନେ ଘୋଡା । ସେମାନଙ୍କୁ ମନ୍ତ୍ରୀମାନେ ଯେଉଁଭଳି ଦୌଡାଇବେ, ସେମାନେ ସେହିଭଳି ଦୌଡିବେ । କିନ୍ତୁ ଯଦି ଘୋଡାଚଢାଳୀ ଦୁର୍ବଳ ହେବେ, ତେବେ ଘୋଡା ଠିକଣା ବାଟେ ନଯାଇ ଅନ୍ୟ ଆଡେ ଟାଣିବ । ଠିକ୍ ଯେମିତି ପ୍ୟାରୀ ଓ ପାଣ୍ଡିଆନ ସମୟରେ ଘଟିଲା । ଫାଇଭ ଟି ନାମରେ ପାଣ୍ଡିଆନ ନିଜ ହାତରରେ ସମସ୍ତ କ୍ଷମତା ଠୁଳ କରିଦେଇଥିଲେ । ଏ ରାଜ୍ୟର ସାଧାରଣ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନକୁ ନିଜ ହାତରେ ରଖି ସମସ୍ତଙ୍କୁ ସଖିକଣ୍ଢେଇ ସଜେଇ ନିଜେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିଲେ ।
ସାତ ମାସରେ ମୋହନ ମାଝି ସରକାର ସାଧାରଣ ଜନତାର ନିକଟବର୍ତ୍ତୀ ହେବାରୁ ଚେଷ୍ଟା କରିଛନ୍ତି । ଯଦି ସେ ଏହି ଧାରା ବଜାୟ ରଖିବେ, ନିଶ୍ଚିତ ଭାବରେ ଇତିହାସ ତାଙ୍କୁ ଠିକଣା ସମ୍ମାନ ଦେବ । ଶାସନରେ ନିଷ୍ଠା, ଆନ୍ତରିକତା ଓ ସଚ୍ଚୋଟତା ରକ୍ଷା କରିବା ଏକ ବଡ ଆହ୍ୱାନ । ସମୟ କହିବ ଏକ ଭଲ ଆରମ୍ଭରୁ ନିଜର ଶାସନ ସେବାର ଇିନିଂସ୍ ଆରମ୍ଭ କରିଥିବା, ମୋହନ ମାଝି ଆଗକୁ କିଭଳି ପ୍ରଦର୍ଶନ ଜାରି ରଖୁଛନ୍ତି ।