ଶଙ୍ଖ ଭବନରେ କଥା କଟାକଟି ଘଟଣା: ମୁହଁ ଖୋଲିଲେ ମନ୍ମଥ ଓ ଶ୍ରୀମୟୀ, କହିଲେ....

ଶ୍ରୀମୟୀ କହିଛନ୍ତି- ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୋ ବଡ଼ ଭାଇ ଭଳି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ବାହାରେ ପ୍ରକାଶ କରିବା ଠିକ୍ ନୁହେଁ, ଯାହା ମତାନ୍ତର ଓ ମନାନ୍ତର ହେବ, ତା’ର ସମାଧାନ ଦଳର ସଭାପତି କରିବେ ।

BJD

ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ସମୀକ୍ଷା ବୈଠକବେଳେ କଥା କଟାକଟି ଘଟଣାରେ ଆଜି ନାଁ ନେଇ ମୁହଁ ଖୋଲିଛନ୍ତି ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ କହିଛନ୍ତି- ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୋ ବଡ଼ ଭାଇ ଭଳି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ବାହାରେ ପ୍ରକାଶ କରିବା ଠିକ୍ ନୁହେଁ, ଯାହା ମତାନ୍ତର ଓ ମନାନ୍ତର ହେବ, ତା’ର ସମାଧାନ ଦଳର ସଭାପତି କରିବେ ।

ସେପଟେ ଗତକାଲିର ବୈଠକରେ ଉପସ୍ଥିତ ଥିବା ଅନ୍ୟ ନେତା ମନ୍ମଥ ରାଉତରାୟ କହିଛନ୍ତି ବୈଠକରେ ସମସ୍ତଙ୍କ ମତ ଭିନ୍ନ ରହିପାରେ । ତେବେ କାହା ନାଁ ନନେଇ ମନ୍ମଥ କହିଥିଲେ ମହିଳାଙ୍କ ପ୍ରତି ବହୁତ ସମ୍ମାନ ରହିଛି, ମହିଳାମାନେ ବି ସମସ୍ତଙ୍କୁ ସମ୍ମାନ ଦେବା ଶିଖିବା ଦରକାର । ସେହିପରି ସେ ଆହୁରି କହିଛନ୍ତି ଯେ ଦଳରେ ଶୃଙ୍ଖଳା କମିଛି । ଦଳର ଭିତର କଥା ବାହାରକୁ ଆଣି କେତେ ଠିକ୍‌ ନିଜକୁ ପଚାରନ୍ତୁ । ଆମର ତ୍ରୁଟି ପାଇଁ ଆମେ ହାରିଲୁ ବୋଲି ମନ୍ମଥ ରାଉତରାୟ କହିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି- କାଲିର ବୈଠକରେ ସୁରୁଖୁରୁରେ ସବୁ ଆଲୋଚନା ହୋଇଛି, କୌଣସି ଦଳ ବିରୋଧୀ କାର୍ଯ୍ୟ ହୋଇନି । ତେବେ ଗତକାଲି ଶଙ୍ଖ ଭବନରେ କଥା କଟାକଟି ଘଟଣାରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।