ରାଜଧାନୀରେ ଜୋର ଧରିଲା ପଲିଟିକାଲ ତାତି

ରାଜଧାନୀ ରାଜରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପିର ମମିତା ମେହେର ପ୍ରସଙ୍ଗକୁ ଗ୍ୟାସ ଦରବୃଦ୍ଧି ଇସ୍ୟୁରେ କାଉଣ୍ଟର କରିଛି ବିଜେଡି । ସେପଟେ କିଛିଦିନ ତଳେ ମମିତା ମେହେରଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓ କିଏ ପ୍ରସ୍ତୁତ କରିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

High Voltage Political Drama

News Summary

ବିଜେଡିର ଗ୍ୟାସଦର ବନାମ ବିଜେପିର ମମିତା ମର୍ଡର ପ୍ରସଙ୍ଗ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପିର ମମିତା ମେହେର ପ୍ରସଙ୍ଗକୁ ଗ୍ୟାସ ଦରବୃଦ୍ଧି ଇସ୍ୟୁରେ କାଉଣ୍ଟର କରିଛି ବିଜେଡି । ସେପଟେ କିଛିଦିନ ତଳେ ମମିତା ମେହେରଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓ କିଏ ପ୍ରସ୍ତୁତ କରିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏଥିସହିତ ମନ୍ତ୍ରି ଦିବ୍ୟଶଙ୍କର ମିଶ୍ର, ପ୍ରଣବ ଦାସ, ବଲାଙ୍ଗିର ଓ କଳାହାଣ୍ତି ଏସ୍‌ପି ଓ ଉତ୍ତରାଞ୍ଚଳ ଡିଆଜିଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଉ ବୋଲି ଦାବି କରିଛି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ତିନି ଦଳର କାଉଣ୍ଟର-ଆଟାକ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ରାଜରାସ୍ତାରେ ହାଇଡ୍ରାମା ଆରମ୍ଭ ବିଜେଡିର ଗ୍ୟାସଦର ବୃଦ୍ଧି ପ୍ରତିବାଦ ବନାମ୍ ବିଜେପିର ମମିତା ମର୍ଡର ପ୍ରସଙ୍ଗ । ଗୋଟିଏ ପଟେ ମନ୍ତ୍ରୀମାନଙ୍କ ପ୍ରତୀକାତ୍ମକ ଗିରଫଦାରି, ଅନ୍ୟପଟେ କୋକେଇ ଶୋଭାଯାତ୍ରା ସହ କାଠଚୁଲିରେ ରୋଷେଇ । ରାଜଧାନୀର ଛାତି ଉପରେ ଆଜି ଦେଖିବାକୁ ମିଳିଥିଲା ଏମିତି ହାଇଭୋଲଟେଜ୍ ପଲିଟିକାଲ୍ ସୋ । ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାଜମହଲ ଛକରୁ ବିଜେପିର ଶୋଭାଯାତ୍ରା ବାହାରିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖା ପିନ୍ଧା ତିନି ବିଜେପି କର୍ମୀଙ୍କୁ ଏଭଳି ପ୍ରତୀକାତ୍ମକ ଭାବେ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିଲା ।

ରାଲି ଶିଶୁଭବନ ଛକର ପହଚିଂବା ପରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ରାସ୍ତା ମଝିରେ ଧାରଣା ଦେଇଥିଲେ ଦଳର ନେତା ଓ କର୍ମୀ । ବିଜେପିର ମହିଳା ନେତ୍ରୀମାନଙ୍କୁ ପୋଲିସ୍ ସେଠାରୁ ଟେକି ନେଇ ଭ୍ୟାନରେ ଭର୍ତ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେପଟେ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ଇସ୍ୟୁ କରି ବିଜେପିକୁ ଜୋରଦାର୍ ଢଙ୍ଗରେ କାଉଣ୍ଟର କରିଛି ବିଜେଡି ଦଳ । ଭୁବନେଶ୍ୱର ଆଇଓସିଏଲ୍ ଅଫିସ୍, ଏଡିଏମ୍ ଓ ବ୍ଲକ ଅଫିସ୍ ଆଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

IOCL ଅଫିସ୍ ଆଗରେ ମହିଳା ନେତ୍ରୀମାନେ କାଠ ଚୁଲି ଜାଳି ରୋଷେଇ କରିଥିବା ବେଳେ ଏଡିଏମ୍ ଅଫିସ୍ ନିକଟରେ ଗ୍ୟାସ୍ ସିଲିଣ୍ଡରର କୋକେଇ ଶୋଭାଯାତ୍ରା ବାହାର କରି ଏହାର ଦାହ ସଂସ୍କାର ବି କରିଥିଲେ । ସେହିପରି ଦଳର ଛାମୁଆ ସଂଗଠନଗୁଡ଼ିକ ପକ୍ଷରୁ କଟକରେ ଏକ ବାଇକ୍ ରାଲି ବାହାର କରାଯାଇଥିଲା । ଆରଡିସି ଅଫିସ୍ ଆଗରେ ବିକ୍ଷୋଭ ସହିତ କେନ୍ଦ୍ରାଞ୍ଚଳ ଆରଡିସି ଅଧୀନରେ ଆସୁଥିବା ସମସ୍ତ ବ୍ଲକ୍ ଅଫିସ୍ ଆଗରେ ମଧ୍ୟ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା ।

ସେପଟେ ମମିତା ହତ୍ୟା ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ୍ ଦଳ । ମମିତାଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓକୁ କିଏ ପ୍ରସ୍ତୁତ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ପରୀ ହତ୍ୟା ମାମଲାରେ ଅରୁଣ ବୋଥ୍ରାଙ୍କ ତଦନ୍ତ ଥିଓରୀର ଉଦାହରଣ ଦେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ବଲାଙ୍ଗିର ଓ କଳାହାଣ୍ଡି ଏସ୍ପି ଓ ଉତ୍ତରାଞ୍ଚଳ ଡିଆଇଜିଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛି ଦଳ । ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ମମିତା ମେହେର ନିଖୋଜ ଓ ହତ୍ୟାକାଣ୍ଡର ଦେଢ଼ମାସ ପରେ ମଧ୍ୟ ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଆଗକୁ ଏହା ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।