Advertisment

ଦିନ ବଢୁଛି, ମନ୍ତ୍ରୀଙ୍କ ନାମରେ ଅଭିଯୋଗ ବି ବଢୁଛ... ପ୍ରାଇଭେଟ୍ ସେକ୍ରେଟାରୀଙ୍କୁ ନେଇ ବଢୁଛି ଚର୍ଚ୍ଚା ?

ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ

ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

Advertisment

ଭୁବନେଶ୍ୱର : ମମିତା ମାମଲାକୁ ନେଇ କ୍ୟାପଟେନଙ୍କ ହୋମଗ୍ରାଉଣ୍ଡରେ ଭକ୍ତ ଦାସଙ୍କ ଶାଣିତ ଆକ୍ରମଣ ପରେ ଆଜି ସାଲୁଜାଙ୍କ ସାଂଘାତିକ ନିଶାନା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଭକ୍ତଙ୍କ ସହ ସ୍ୱର ମିଳାଇ ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ର ଦିଗକୁ ଇସାରା ସହ କ୍ୟାପଟେନଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି, ମନ୍ତ୍ରୀଙ୍କ ପିଏ ଦିନେଶ ବଗର୍ତ୍ତି ଏବଂ ଘନିଷ୍ଠ ସହଯୋଗୀ ମହେଶ ସାହୁଙ୍କ ମୋବାଇଲ୍ ଜରିଆରେ କଥା ହେଉଥିଲେ ମନ୍ତ୍ରୀ ଦିବ୍ୟଶଙ୍କର। ତେଣୁ ଏମାନଙ୍କ ମୋବାଇଲ୍ କଲ୍ ଡିଟେଲ୍ସ ଯାଞ୍ଚ କଲେ ସବୁ ରହସ୍ୟ ପଦାକୁ ଆସିବ। ତେଣେ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କୁ ବହିଷ୍କାର ଦାବିକୁ ଜୋରଦାର କରିଛନ୍ତି ବିରୋଧୀ।

Advertisment

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ଘନଉଛି ବିବାଦ । ନିଇତି ନୂଆ ଅଭିଯୋଗ, ନୂଆ ନୂଆ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଦିନେଶ ବଗର୍ତ୍ତୀ ଏବଂ ପୂର୍ବତନ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମହେଶ ସାହୁ ଓରଫ ଚିଣ୍ଟୁଙ୍କ ଆଡ଼କୁ ଇସାରା କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ । କ୍ୟାପଟେନଙ୍କ ହୋମଗ୍ରାଉଣ୍ଡରେ ପ୍ରଶ୍ନବାଣ ମାରି ଏହି ସହଯୋଗୀ ମାନଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଦାବି କରିଥିଲେ ଭକ୍ତ ।

Advertisment

ସେପଟେ ଦିନେଶ ବଗର୍ତ୍ତିଙ୍କୁ ମନ୍ତ୍ରୀଙ୍କ ପିଏ ବୋଲି ଦର୍ଶାଇବା ସହ ତାଙ୍କୁ ଏବଂ ମନ୍ତ୍ରୀଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ମହେଶ ସାହୁ, କାଳିଆ, ରୋଷନ ମହମ୍ମଦ ପ୍ରମୁଖଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଦାବି କରିଛନ୍ତି ସାଲୁଜା। କାରଣ ମମିତାଙ୍କୁ ଠାବ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ତାଙ୍କ ପିଏଙ୍କ ସହ କଥା ହୋଇଥିବା ନେଇ ମମିତାଙ୍କ ସମ୍ପର୍କୀୟଙ୍କୁ ଭରସା ଦେଇଥିଲା ଗୋବିନ୍ଦ ସାହୁ । ତେଣୁ ମନ୍ତ୍ରୀଙ୍କ ଏହି ସହଯୋଗୀ ମାନଙ୍କ କଲ୍ ଡିଟେଲ୍ସ ଯାଞ୍ଚ କଲେ ହତ୍ୟା ପଛର ଷଡ଼ଯନ୍ତ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ସାଲୁଜା।

ତେବେ କିଏ ସେହି ପ୍ରାଇଭେଟ୍ ସେକ୍ରେଟାରୀ ? ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଦିନେଶ ବଗର୍ତ୍ତୀ କିମ୍ବା ମହେଶ ସାହୁଙ୍କ ସହ କଥା ହେଉଥିଲା କି ଗୋବିନ୍ଦ ସାହୁ ? ଯଦି ହଁ, ତେବେ ଗୋବିନ୍ଦର କ୍ରାଇମ୍ ପଛରେ ଏମାନଙ୍କ ଭୂମିକା କଣ ? ଏଦିଗକୁ ତଦନ୍ତ ପରିସରକୁ ନେଇଛି କି ପୋଲିସ ? ମନ୍ତ୍ରୀଙ୍କ ସହଯୋଗୀଙ୍କୁ ନେଇ ଭକ୍ତ ଓ ସାଲୁଜାଙ୍କ ଆଶଙ୍କା ପରେ ଏବେ ଏଭଳି ପ୍ରଶ୍ନ ଉଠୁଛି।

Advertisment

ଏସବୁ ଭିତରେ ନଛୋଡ଼ବନ୍ଧା ବିରୋଧୀ ବିଜେପି ଓ କଂଗ୍ରେସ। ମନ୍ତ୍ରୀ ଯୁଆଡ଼େ ଯିବେ ତାଙ୍କୁ ବିରୋଧ କରିବା ସହ କଳାପତାକା ଦେଖାଇବାକୁ ବିଜେପି ଯୁବ ମୋର୍ଚ୍ଚା ନିଷ୍ପତ୍ତି ନେଇଥିବାବେଳେ ଦିନକ ପରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ଗଜପତି ଜିଲ୍ଲା ବିଜେପି। ସେହିପରି ଆସନ୍ତା ୬ରୁ ଯୁବ କଂଗ୍ରେସ ରାଜଭବନ ସାମ୍ନାରେ ୨ ଦିନିଆ ଅହୋରାତ୍ର ଧାରଣା ଦେବ ଏବଂ ପରେ ଦିଲ୍ଲୀ ଯନ୍ତରମନ୍ତରରେ ଆନ୍ଦୋଳନ କରି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ। ତାସହ ୧୨ ତାରିଖରେ ଓଡ଼ିଶା ଡାକରା ବି ଦେଇଛି କଂଗ୍ରେସ। ଭକ୍ତ ଏବଂ ସାଲୁଜାଙ୍କ ଅଭିଯୋଗ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ନିଇତି ଆସୁଥିବା ନୂଆ ନୂଆ ଅଭିଯୋଗକୁ ନେଇ ଘନୀଭୂତ ହେଉଛି ବିବାଦ।

BJD BJP Congress Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ