Advertisment

ମହୁଆଙ୍କୁ ମହଙ୍ଗା ପଡ଼ିଲା କ୍ୟାଶ୍ ଫର୍ କ୍ୱେରି ମାମଲା

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।

Mahua Moitra

Mahua Moitra

Advertisment

ମହୁଆଙ୍କୁ ମହଙ୍ଗା ପଡ଼ିଲା କ୍ୟାଶ୍-ଫର୍-କ୍ବେରି ମାମଲା । ଲୋକସଭାରୁ ବହିଷ୍କୃତ ହେଲେ TMCର ମହୁଆ ମୈତ୍ର । ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସାଂସଦ ପଦ ହରାଇଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରି, ପାର୍ଲାମେଣ୍ଟ ଏଥିକ୍ସ କମିଟି ପକ୍ଷରୁ ଆଜି ଲୋକସଭାରେ ୫ଶହ ପୃଷ୍ଠାର ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏଥିରେ ମହୁଆଙ୍କୁ ବହିଷ୍କାର ପାଇଁ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ମନିଟ୍ରେଲର ଇଣ୍ଟେନ୍ସ, ଲିଗାଲ୍ ଓ ଇନଷ୍ଟିଚ୍ୟୁସନାଲ ଇନକ୍ୱାରି ପାଇଁ ସୁପାରିଶ କରାଯାଥିଲା।

Advertisment

ଗୃହରେ ବିତର୍କ ହେବା ପରେ, ଏଥିକ୍ସ କମିଟିର ଏହି ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଛି। ଜଣେ ସାଂସଦ ଭାବେ ମହୁଆଙ୍କ ଆଚରଣ ଅନୈତିକ ଓ ଅଶାଳୀନ ଥିଲା ବୋଲି ଗୃହ ନିଷ୍କର୍ସରେ ପହଞ୍ଚିଥିବା କହିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେପଟେ ବହିଷ୍କାର ଆଦେଶ ପରେ, ସଂସଦ ବାହାରେ ଉଭୟ ଏଥିକ୍ସ କମିଟି ଓ ବିଜେପି ଉପରେ ଗର୍ଜିଛନ୍ତି ମହୁଆ ।

ସେ କହିଛନ୍ତି, ବହିଷ୍କାର କରିବା ପାଇଁ ଏଥିକ୍ସ କମିଟିର କ୍ଷମତା ନାହିଁ । ମୋ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଅଦାନୀ ପ୍ରସଙ୍ଗରେ ମୋତେ ଚୁପ୍ କରାଇବା ପାଇଁ ସଂସଦୀୟ କମିଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ମୋତେ ଫାଶି ଦେବା ପାଇଁ କେବଳ ୨ ଜଣ ସାଧାରଣ ନାଗରିକଙ୍କ ବୟାନକୁ ଆଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୋ ଉପରେ ଆକ୍ରୋଶ ରଖିଥିବା ମୋର ପୂର୍ବତନ ପ୍ରେମିକ।

Advertisment

ଏଥିକ୍ସ କମିଟି ରିପୋର୍ଟ ଉପରେ ବିତର୍କ ବେଳେ, ମହୁଆଙ୍କୁ ଗୃହରେ ନିଜ ମତ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ହେଲେ ବାଚସ୍ପତି ଓମ୍ ବିର୍ଲା, ୨ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ପ୍ରଣବ ମୁଖାର୍ଜୀଙ୍କ ସ୍ଥିରିକୃତ ପରଂପରାକୁ ଉଦାହରଣ ଦେଇ ବିରୋଧୀଙ୍କୁ ଚୁପ୍ କରାଇ ଦେଇଥିଲେ। କହିଥିଲେ, ସେମାନେ ହିଁ ପୂର୍ବରୁ କହିଛନ୍ତି ଯେ,ଅଭିଯୁକ୍ତଙ୍କୁ ସଂସଦୀୟ କମିଟି ଆଗରେ ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିବାରୁ ଗୃହରେ ଆଉ କିଛି କହିବାର ଆବଶ୍ୟକତା ନାହିଁ । ମୁଁ କେବଳ ସେହି ପରଂପରାକୁ ଅନୁସରଣ କରୁଛି ।

ତେବେ ମହୁଆଙ୍କ ବହିଷ୍କାର ପରେ ବିରୋଧୀ ଦଳ ସାଂସଦ ମାନେ କକ୍ଷତ୍ୟାଗ କରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଠାରେ ଏକାଠି ହୋଇଥିଲେ। ନିଜ ଦଳର ନେତ୍ରୀଙ୍କ ଏହି ପରିଣତି ପରେ, ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମହୁଆଙ୍କୁ ପରିସ୍ଥିତିର ପୀଡ଼ିତା ବୋଲି କହିବା ସହ,ଘଟଣାକୁ ବିଜେପିର ଆକ୍ରୋଶମୂଳକ ରାଜନୀତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । 

Advertisment

ଅନ୍ୟପକ୍ଷରେ ବିଜେପି ସାଂସଦ ତଥା ଏଥିକ୍ସ କମିଟି ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ତିନି ତିନିଟି ବୈଠକରେ ସବୁ ପକ୍ଷକୁ ଶୁଣିବା ପରେ ରିପୋର୍ଟ ଦେଇଥିଲା କମିଟି ।

ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣନଗର ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର। ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି। ମହୁଆ ନିଜ ସଂସଦ ଆକାଉଣ୍ଟର ଲଗଇନ୍ ଆଇଡି ଓ ପାସୱାର୍ଡ ମଧ୍ୟ ତାଙ୍କୁ ଦେଇଥିଲେ ବୋଲି ନିଜେ ସତ୍ୟପାଠ ଦାଖଲ କରିଥିଲେ ହୀରାନନ୍ଦାନୀ।

ସଂସଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ଏହି ମାମଲା ଏଥିକ୍ସ କମିଟି ହାତକୁ ଯାଇଥିଲା । ଏହି ମାମଲାରେ ମହୁଆଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ଅଭିଯୋଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଉ ରୋଚକ କଥା ହେଉଛି, ଏକ ପୋଷା କୁକୁର ହେନରିକୁ ନେଇ ଜୟ ଓ ମହୁଆଙ୍କ ମଧ୍ୟରେ ଉପୁଜିଥିବା କଳି, ଉଭୟଙ୍କ ବିବାଦକୁ ଅଧିକ ଖୋରାକ ଯୋଗାଇଥିଲା ।

TMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ