ମହାରାଷ୍ଟ୍ରରେ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ଏହି ସବୁ ଛେଟ ଦଳ ବିଶେଷ କରି ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM , ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ କିଛି ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରି ଦେଇପାରନ୍ତି । ରାଜନୈତିକ ବିଶେଷଜ୍ଞମାନେ ଏହି ଆକଳନ କରୁଛନ୍ତି । ନିଜେ ଜିତିବା ଅପେକ୍ଷା ଏହି ଛୋଟ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ବଡ ବଡ ନେତାଙ୍କୁ ବି ହରାଇ ଦେଇପାରନ୍ତି । କିଏ କାହାକୁ କେଉଁ ସମୀକରଣରେ ହରାଇବ, ସେ ନେଇ ଅଙ୍କ କଷୁଛନ୍ତି ରାଜନେତା । ଏପରିକି ଏହି ଛୋଟ ପାର୍ଟି ହୋଇପାରନ୍ତି କିଙ୍ଗ୍ ମେକର୍ । ଏମାନଙ୍କ ଭୂମିକା ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ହେବାର ମଧ୍ୟ ସମ୍ଭାବନା ରହିଛି। ଯଦି ଏହି ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ପାଖାପାଖି ୩୦ ଆସନରେ ଜିତନ୍ତି, ତେବେ ଏମାନଙ୍କର ଦବଦବା ରହିବ ବୋଲି କହୁଛନ୍ତି ରାଜନୈତିକ ସମୀକ୍ଷକ । ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୨୦ ତାରିଖରେ ମତଦାନ ହେବ ଓ ୨୩ ତାରିଖରେ ଭୋଟଗଣତି ହେବ ।
ନିର୍ବାଚନ ଗଣିତ କହୁଛି ଲକ୍ଷେ ଭୋଟ
Also Read
୨୦୧୯ରେ ଏହି ଛୋଟ ଦଳଗୁଡିକ ୨୯ଟି ଆସନରେ ଜିତିଥିଲେ ଓ ୬୩ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲେ । ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା କ୍ଷେତ୍ରରେ ପ୍ରାୟ ୪ ଲକ୍ଷ ଭୋଟର ଅଛନ୍ତି । ଅଳ୍ପ କେତେକ ଆସନରେ ପ୍ରାୟ ୩ ଲକ୍ଷ ଭୋଟର ଅଛନ୍ତି । ଯଦି ୬୦ ପ୍ରତିଶତ ମତଦାନ ହୁଏ, ତେବେ ଗୋଟିଏ ବିଧାନସଭା କ୍ଷେତ୍ରରେ ଅଢେଇ ଲକ୍ଷ ମତଦାନ ହେବ । ଭୋଟ ଭାଗ ଭାଗ ହୋଇ ଯାଉଥିବାରୁ ପ୍ରାୟ ଆସନରେ ୧ ଲକ୍ଷ ଭୋଟ ମିଳିଲେ ଜଣେ ପ୍ରାର୍ଥୀ ଜିତିପାରିବ । ଏହି ଅଙ୍କ ଅନୁସାରେ ଛୋଟ ଦଳର ପ୍ରାର୍ଥୀମାନେ ବିଶେଷ କରି ଗୋଟିଏ ଅଞ୍ଚଳ ବା ସହରରେ ପ୍ରଭାବ ଥିବା ନେତାମାନେ ନିଶ୍ଚିତ ଭାବରେ କିଛି ଭୋଟ ପାଇବେ । ତାହା ହିଁ ନିର୍ବାଚନ ଫଲାଫଳକୁ ପ୍ରଭାବିତ କରିବ । ଯଦି ଏମିତି ହୁଏ, ମହାରାଷ୍ଟ୍ରରେ ଝୁଲା ବିଧାନସଭା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ବୋଲି ଅନେକ ମତ ଦେଉଛନ୍ତି ।
ଏହା ସହ ପଢନ୍ତୁ: Maharastra Assembly Elections 2024: ନିର୍ବାଚନ ପାଇଁ ଭାଙ୍ଗିଲା ପରିବାର, ଗୋଟିଏ ଆସନରୁ ଲଢିଲେ ସ୍ୱାମୀ-ସ୍ତ୍ରୀ
ଥାର୍ଡ ପ୍ଲେୟାର ରାଜ ଠାକରେଙ୍କ MNS
ମିଳିଥିବା ସୂଚନା ଅନୁସାରେ, ରାଜ ଠାକରେଙ୍କ ନେତୃତ୍ୱାଧୀନ MNS ଏକ ଗୁରୁତ୍ୱପୂର୍ଣ୍ଣ ଥାର୍ଡ ପ୍ଲେୟାର ଭୂମିକା ନେଇପାରେ । ମୁମ୍ୱାଇ ଓ ତା’ ର ଆଖପାଖ ଅଞ୍ଚଳରେ ଏହି ଦଳର ଭଲ ପ୍ରଭାବ ରହିଛି । ମୁମ୍ୱାଇର ୨୫ଟି ଆସନରେ MNS ଲଢୁଛି । କିନ୍ତୁ ରାଜ୍ୟର ପ୍ରାୟ ୪୦ଟି ଆସନରେ ଏହା ଏକ ଫ୍ୟାକ୍ଟର ହୋଇପାରେ । ମୁମ୍ୱାଇର ଏହି ୨୫ ଆସନ ମଧ୍ୟରୁ ଶିବସେନା ଶିନ୍ଦେ ୧୨ଟି ଆସନ ଓ ବିଜେପି ୧୦ଟି ଆସନରେ ପ୍ରାର୍ଥୀ ଦେଇଛି । MNS ବିଜେପିକୁ ସମର୍ଥନ କରୁଛି । ମାହିମ୍ ଆସନରେ ଶିବସେନା ପ୍ରାର୍ଥୀଙ୍କୁ ସମର୍ଥନ ଦେବା ବଦଳରେ ବିଜେପି MNS ପ୍ରାର୍ଥୀ ତଥା ରାଜ ଠାକରେଙ୍କ ପୁଅ ଅମିତ୍ ଠାକରେଙ୍କୁ ସମର୍ଥନ କରୁଛି । ଏହି ଆସନରେ ଶିବସେନା ଶିନ୍ଦେ ବର୍ତ୍ତମାନର ବିଧାୟକ ସଦାନନ୍ଦ ସର୍ବାଙ୍କରଙ୍କୁ ପ୍ରାର୍ଥୀ କରିଛି ।
କଂଗ୍ରେସ ପାଇଁ ଅଡୁଆ ଆସାଦୁଦ୍ଦିନ ଓୱେସିଙ୍କ AIMIM
ମହାରାଷ୍ଟ୍ରରେ ଅନ୍ୟ ଏକ ଚୋଟ ଦଳ ହେଉଛି AIMIM ବା ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇତେହାଦୁଲ୍ ମୁସଲିମିନ୍ । ଆସାଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏହି ଦଳ ତେଲଙ୍ଗାନା ପରେ ମହାରାଷ୍ଟ୍ର ର କେତେକ ଅଞ୍ଚଳରେ ନିଜର ସଂଗଠନକୁ ମଜବୁତ କରିପାରିଛି । ମୁସଲିମ୍ ଭୋଟକୁ ନିଜ ସପକ୍ଷରେ ଆଣିବାକୁ ଏହି ଦଳ ଉଦ୍ୟମ କରିଥାଏ । ତେଣୁ କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଅଘାଡି ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ । ୨୦୧୯ ନିର୍ବାଚନରେ ମହାରାଷ୍ଟ୍ରରେ ୪୪ଟି ଆସନରେ ପ୍ରାର୍ଥୀ ଦେଇଥିବା AIMIM ଚଳିତ ନିର୍ବାଚନରେ ମାତ୍ର ୧୬ଟି ଆସନରେ ପ୍ରାର୍ଥୀ ଦେଇଛି । ଯେଉଁଠି ଜିତିବାର ସମ୍ଭାବନା ଅଛି, ସେଠି ଫୋକସ୍ କରିଛି ଏହି ଦଳ । ଏହି ଦଳର ଜଣେ ସାଂସଦ କହିଛନ୍ତି, ଯଦି ସେଭଳି କିଛି ପରିସ୍ଥିତି ସୃଷ୍ଟି ହୁଏ AIMIM କିଙ୍ଗ୍ ମେକର୍ ହୋଇପାରେ ।
ଏହା ସହ ପଢନ୍ତୁ: Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !
ଦଳିତଙ୍କୁ ନେଇ ଆମ୍ୱେଦକରଙ୍କ ନାତି ପ୍ରକାଶଙ୍କ ରଣନୀତି
ମହାରାଷ୍ଟ୍ର ନିର୍ବାଚନରେ ଅନ୍ୟ ଏକ ଶକ୍ତି ଭାବେ ଉଭା ହୋଇପାରେ ପ୍ରକାଶ ଆମ୍ୱେଦକରଙ୍କ ନେତୃତ୍ୱାଧୀନ ବଞ୍ଚିତ ବହୁଜନ ଅଘାଡି ବା VBA । ଦଳିତ, ବୌଦ୍ଧ ଦଳିତ, ମୁସଲିମ୍ ଓ ଦୁର୍ବଳ ବର୍ଗର ଛୋଟ ଛୋଟ ଦଳକୁ ନେଇ ଏହି ମେଣ୍ଟ ତିଆରି ହୋଇଛି । ମୁମ୍ୱାଇ ଓ ବିଦର୍ଭ ଅଞ୍ଚଳରେ ଏହି ମେଣ୍ଟ ୬୭ଟି ଆସନରେ ପ୍ରାର୍ଥୀ ଦେଇଛି । ମହାରାଷ୍ଟ୍ରରେ ଦଳିତଙ୍କ ସଂଖ୍ୟା ୧୪ ପ୍ରତିଶତ ହୋଇଥିଲା ବେଳେ ବୌଦ୍ଧ ଦଳିତଙ୍କ ସଂଖ୍ୟା ୭ ପ୍ରତିଶତ । ଭୀମରାଓ ଆମ୍ୱେଦକରଙ୍କ ନାତି ହେଉଛନ୍ତି ପ୍ରକାଶ ଆମ୍ବେଦକର । ଯଦି ଏହି ମେଣ୍ଟ ଦଳିତ ଭୋଟକୁ କେନ୍ଦ୍ରୀଭୂତ କରିବାରେ ସକ୍ଷମ ହୁଏ, ତେବେ ମହା ବିକାଶ ଅଘାଡିକୁ କ୍ଷତି ପହଞ୍ଚାଇପାରେ । ୨୦୧୯ ବିଧାନସଭା ନିର୍ବାଚନରେ ଏହା କଂଗ୍ରେସ -ଏନସିପି ମେଣ୍ଟକୁ ୧୦ଟି ଆସନରେ ଝଟକା ଦେଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଏହି ମେଣ୍ଟ କେତେକ ନିର୍ଦ୍ଦିଷ୍ଟ ଆସନରେ ମହା ବିକାଶ ଅଘାଡିକୁ ପଛକୁ ଟାଣି ଦେଇଥିଲା ।
ମନୋଜ ପାଟିଲ୍ ଘାସଠୁ ବଡ ଗଛଠୁ ଛୋଟ
ଏ ସବୁ ବାଦ୍ ମରାଠା ନେତା ମନୋଜ ପାଟିଲଙ୍କ ଭୂମିକାକୁ ବି ଗୌଣ ବୋଲି ବିଚାର କରିପାରୁନାହାନ୍ତି ରାଜନୈତିକ ସମୀକ୍ଷକ । ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ ମଧ୍ୟ ତାଙ୍କର ମରାଠାୱାଡା ଆସନଗୁଡିକରେ ପ୍ରଭାବ ରହିଛି । ଏହି ଅଞ୍ଚଳରେ ସେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାଙ୍କର ପଲା ଭାରୀ ରହିବ । ଗତ ଲୋକସଭା ନିର୍ବାଚନରେ ସେ ବିଜେପିକୁ ବିରୋଧ କରିଥିଲେ । ତେଣୁ ମରାଠାୱାଡା ଅଞ୍ଚଳରେ ବିଜେପିର ପ୍ରଦର୍ଶନ ଖରାପ ହେଲା ବୋଲି କୁହାଯାଉଛି । ମରାଠା ସଂରକ୍ଷଣକୁ ନେଇ ଆନ୍ଦୋଳନ କରିଆସୁଛନ୍ତି ମନୋଜ ପାଟିଲ୍ । ବଡ ଦଳଗୁଡିକ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି ଛୋଟ ଦଳ ।