Kendu leaf pluckers seek government’s attention in Padampur
ଏବେ ରୋଚକ ମୋଡରେ ପଦ୍ମପୁର ରାଜନୀତି। କିଏ, କେମିତି, କାହାକୁ ନିଜ ଦଳ ଆଡକୁ ଆକର୍ଷିତ କରି ଅଧିକ ଜନମତ ପାଇବେ, ସେଥିପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। ତେଣୁ କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଆଉ ଏବେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରାଯାଇଛି। ଏପଟେ ନିର୍ବାଚନ ପୂର୍ବରୁ ସରକାରଙ୍କ ଏଭଳି ଘୋଷଣାକୁ ନେଇ ବିରୋଧୀ ଗର୍ଜିଛନ୍ତି।
ସବୁଜ ହୀରା କେନ୍ଦୁପତ୍ର ପଶ୍ଚିମ ଓଡିଶାରେ ଭରପୂର। ପ୍ରତିବର୍ଷ କେନ୍ଦୁପତ୍ରରେ ୨୦୦ ଶହ କୋଟି ରାଜସ୍ୱ ଲାଭ କରି ଥାଆନ୍ତି ରାଜ୍ୟ ସରକାର। କିନ୍ତୁ ଏବେ ଦୁର୍ବିସହ ଅବସ୍ଥାରେ କେନ୍ଦୁପତ୍ର ତୋଳାଳି। ୨୦୧୩ରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏପର୍ଯ୍ୟନ୍ତ ପାଇ ନାହାନ୍ତି। ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା, ପିଲାଙ୍କୁ ଛାତ୍ରବୃତ୍ତି, ଶହେ ପ୍ରତିଶତ ବୋନସ ସହ ଛତା, ଜୋତା ଦେବା ପାଇଁ ଅନେକ ଘୋଷଣା ହୋଇଥିଲା। କିନ୍ତୁ ଗ୍ରାଉଣ୍ଡ୍ ଜିରୋରେ ଏସବୁ ସୁବିଧା ପାଇ ନାହାନ୍ତି କେନ୍ଦୁପତ୍ର ଉପରେ ନିର୍ଭର କରି ଚଳୁଥିବା ପରିବାର। ପଦ୍ମପୁର ଅଞ୍ଚଳର ଏଭଳି ଅନେକ କେନ୍ଦୁପତ୍ର ତୋଳାଳିଙ୍କ ପରିବାର ସମସ୍ୟା ଘେରରେ।
ପୂର୍ବ ଘୋଷଣା କାର୍ଯ୍ୟକାରୀ ହୋଇନଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ପୁଣି ଘୋଷଣା। ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ପ୍ରତି କେନ୍ଦୁପତ୍ର ତୋଳାଳିଙ୍କୁ ୧,୦୦୦ ଟଙ୍କା ଆର୍ଥିକ ସହାୟତା, ଋତୁକାଳୀନ କର୍ମଚାରୀଙ୍କୁ ପ୍ରଥମ ଦଫାରେ ୧୫ ଶହ ଟଙ୍କା, ସମସ୍ତ କେନ୍ଦୁପତ୍ର ତୋଳାଳିଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟବୀମା ମିଳିବ। କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କୁ ଛାତ୍ରବୃତ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ବି ଘୋଷଣା କରିଛନ୍ତି। ଏହାରି ଭିତରେ କେନ୍ଦୁପତ୍ରରୁ ଜିଏସ୍ଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏପଟେ ପଦ୍ମପୁର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ହାରିବାର ଭୟ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ କହିଛନ୍ତି।
ପ୍ରକୃତରେ କେବେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ତ ସମସ୍ୟାର ସମାଧାନ ହେଉଛି, ତାକୁ ହିଁ ଅପେକ୍ଷା।
(ପଦ୍ମପୁରରୁ ସୋମେଶ ମହାନ୍ତି, ମାୟାଧର ସରାଫ ଏବଂ ମନୋରଞ୍ଜନ ଯୋଶୀଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1669533111.jpg)