Jharkhand Assembly Elections 2024 : ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଜାମସେଦପୁର ଇଷ୍ଟ୍ ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ଅଜୟ କୁମାର ଓ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂଙ୍କ ମଧ୍ୟରେ ଲଢେଇ

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଓ ଜେଏମଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟରେ ହେଉଛି ଜୋରଦାର୍ ଫାଇଟ୍ । ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ୪୩ଟି ବିଧାନସଭା ଆସନ ମଧ୍ୟରୁ ଜାମସେଦପୁର ଇଷ୍ଟ୍ ଆସନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ଏହି କ୍ଷେତ୍ର ଉପରେ ରହିଛି ସାରା ରାଜ୍ୟର ନଜର । ଏହି ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ଣ୍ଣିମା ବିଜେପିରୁ ପ୍ରାର୍ଥୀ ହୋଇଥିଲା ବେଳେ ଅଜୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେଣୁ ଏହା ଏବେ ହୋଇଛି ଝାଡଖଣ୍ଡର ସବୁଠୁ ହାଇପ୍ରୋଫାଇଲ୍ ଆସନ । 

ରଘୁବରଙ୍କ ଗଡରେ ବୋହୂ ପୂର୍ଣ୍ଣିମା ପ୍ରାର୍ଥୀ

ପୂର୍ବରୁ ସାମ୍ବାଦିକତାକୁ ନିଜର ପେସା ଭାବେ ଗ୍ରହଣ କରିଥିବା ପୂର୍ଣ୍ଣିମା  ଏବେ ରାଜନେତା । ଏଥର ପ୍ରଥମ ଥର ପାଇଁ ରାଜନୀତିକୁ ଆସି ପ୍ରାର୍ଥୀ ହୋଇଛନ୍ତି । ପ୍ରଚାର ଅଭିଯାନକୁ ଶାଣିତ କରି ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲୁଛନ୍ତି ପୂର୍ଣ୍ଣିମା । ବଡ ବଡ ରାଲିରେ ଯାଇ ସାଧାରଣ ଲୋକ ତଥା ଭୋଟରଙ୍କୁ ସମ୍ବୋଧିତ କରୁଛନ୍ତି । ବିଜେପିର ଆଭିମୁଖ୍ୟ ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି । ନୂଆ କରି ରାଜନୀତିରେ ପାଦ ଥାପିଥିବା ପୂର୍ଣ୍ଣିମାଙ୍କ ପାଇଁ ନୁହେଁ ବରଂ ତାଙ୍କ ପରିବାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପାଇଁ ଏହା ସମ୍ମାନର ଲଢେଇ ହୋଇଛି ବୋଲି ଆଲୋଚନା ହେଉଛି । ଏହି ଆସନ ଥିଲା ବିଜେପିର ହସ୍ତମୁଦି ମାହାଲ୍ । ଏଇଠ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରଘୁବର ଦାସ । ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି । କିନ୍ତୁ ଗତ ୨୦୧୯ ନିର୍ବାଚନରେ ଜାମସେଦପୁର ଇଷ୍ଟ ଆସନରେ ରଘୁବର ପରାଜିତ ହୋଇଥିଲେ । ତାଙ୍କୁ ପରାସ୍ତ କରିଥିଲେ ସ୍ୱାଧୀନ ଭାବେ ଲଢିଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥୀ ସରଯୂ ରାୟ । ଏହି ନିର୍ବାଚନରେ ସରଯୂ ଏହି ଆସନ ଛାଡି ଜାମସେଦପୁର ୱେଷ୍ଟରେ ସଂଯୁକ୍ତ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ।  ୧୯୯୦ ମସିହାରୁ ଜାମସେଦପୁର ଇଷ୍ଟରେ ସବୁବେଳେ ବିଜେପି ଜିତି ଆସୁଥିଲା ବେଳେ ୨୦୧୯ରେ କିନ୍ତୁ ଦଳ ଜିତି ପାରିନଥିଲା । ବିହାର ସହ ଥିଲା ବେଳେ ଥରେ ଓ ଝାଡଖଣ୍ଡ ହେଲା ପରେ ୪ ଥର ଏହି ଆସନରୁ ଜିତି ରେକର୍ଡ କରିଛନ୍ତି ରଘୁବର ଦାସ । ତେଣୁ ଏହି ଆସନରେ ତାଙ୍କର ଦବଦବା ବି ରହିଛି ।

ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ଅଗ୍ନି ପରୀକ୍ଷା  

ଆଇପିଏସ୍ ଅଧିକାରୀରୁ ରାଜନେତା ବନିଥିବା ଅଜୟ କୁମାର ନିର୍ବାଚନ ପ୍ରଚାରରେ ବି ପଛରେ ନାହାନ୍ତି । ଏହି ନିର୍ବାଚନରେ ସେ ଦିନରାତି ଏକ କରିଦେଇଛନ୍ତି । କର୍ଣ୍ଣାଟକରେ ଜନ୍ମିତ ଅଜୟ କୁମାରଙ୍କର ପୁଞ୍ଜି  ହେଉଛି ତାଙ୍କ ଲୋକପ୍ରିୟତା । ନବେ ଦଶକରେ ସେ ଜାମସେଦପୁରରେ ସିନିୟର୍ ଏସପି ଥିଲା ବେଳେ ଅପରାଧୀମାନଙ୍କୁ ସାବାଡ୍ କରି ଲୋକପ୍ରିୟତା ଅର୍ଜନ କରିଥିଲେ ।  ବିହାର ଓ ଝାଡଖଣ୍ଡର ବିଭାଜନ ହୋଇନଥିଲା ବେଳେ ଅଜୟ କୁମାର ପାଟନାରେ ସିଟି ଏସପି ଭାବେ କାର୍ଯ୍ୟ କରୁଥିଲେ । ତେବେ ଜାମସେଦପୁରରେ ଅପରାଧର ଗ୍ରାଫ୍ ଦିନକୁ ଦିନ ବଢି ଚାଲିବାରୁ କ୍ରାଇମ୍ କଣ୍ଟ୍ରୋଲ ପାଇଁ ଅଜୟଙ୍କୁ ଜାମସେଦପୁର ପଠାଯାଇଥିଲା । ସେ ଅପରାଧୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରି ସେମାନଙ୍କୁ ଦମନ କରିବାରେ ସଫଳ ହୋଇଥିଲେ । ଏପରିକି ତାଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ବୋଲି କୁହାଯାଉଥିଲା ।  ଥରେ ସାଂସଦ ଭାବେ ଜିତିଥିବା ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପିସିସିର ସଭାପତି ମଧ୍ୟ ଥିଲେ ।  ଅଜୟ କୁମାର ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ ବାବୁଲାଲ୍ ମାରାଣ୍ଡିଙ୍କ ଝାଡଖଣ୍ଡ ବିକାଶ ମୋର୍ଚ୍ଚାରୁ ।  ପରେ ଏହି ବିକାଶ ମୋର୍ଚ୍ଚା ବିଜେପି ସହ ଲୀନ ହୋଇଥିଲା । ଏବେ ନିର୍ବାଚନରେ ଅଜୟଙ୍କ ସ୍ଲୋଗାନ ହୋଇଛି ‘ଯୋ କିୟା ଥା ଖାକି ମେଁ, ଅବ୍ କରେଙ୍ଗେ ଖଦୀ ମେଁ’  ।

ଅଧିକ ପଢନ୍ତୁ : Odisha Politics: ‘BJD ବିପର୍ଯ୍ୟୟ ପାଇଁ ନବୀନ ପଟ୍ଟନାୟକ ଦାୟୀ’ 

ମଇଦାନରେ ବିଦ୍ରୋହୀ ବିଜେପି ନେତା

ଏହି ଦୁଇଜଣଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ ଶିବଶଙ୍କର ସିଂହ ନାମକ ଜଣେ ବିଜେପି ନେତା ଏହି ଆସନରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ସେ ଏଠୁ ବିଜେପି ପ୍ରାର୍ଥୀ ହେବାକୁ ଚାହୁଁଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ପୂର୍ଣ୍ଣିମାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ସେ ତାଙ୍କର ଲୋକସଂପର୍କକୁ ଆଧାର କରି ନିର୍ବାଚନ ଲଢୁଛନ୍ତି । ଏହି ଆସନର ସର୍ବ କନିଷ୍ଠ ପ୍ରାର୍ଥୀ ପୂର୍ଣ୍ଣିମା ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ ରଣନୀତି କରିବା ସହ ଶ୍ୱଶୁର ତଥା ରଘୁବର ଦାସଙ୍କ ଅସଂପୂର୍ଣ୍ଣ କାମ ଶେଷ କରିବା ପାଇଁ ସୁଯୋଗ ଦେବାକୁ ଲୋକଙ୍କୁ କହୁଛନ୍ତି । ପରିବାରବାଦ ନେଇ ପୂର୍ଣ୍ଣିମାଙ୍କ ଉପରେ ଆସୁଥିବା ଆରୋପକୁ ସେ ଚତୁରତାର ସହ ଏଡାଇ ଯାଉଛନ୍ତି । ବିଜେପି ପରିବାରବାଦରେ ବିଶ୍ୱାସ କରେନାହିଁ ବରଂ କଂଗ୍ରେସ ଓ ଜେଏମଏମ୍ ବିଶ୍ୱାସ କରନ୍ତି ବୋଲି କହି ଏହି ଦୁଇ ଦଳକୁ ସେ ପ୍ରଚାର ବେଳେ ପାଲଟା ଆକ୍ରମଣ କରୁଛନ୍ତି ।