Jharkhand Election 2024: ବାଜିରେ ପରିବାର ଲିଗାସୀ, ଅଜୟ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା

ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ ଅନେକ ହାଇପ୍ରୋଫାଇଲ୍ ନେତାଙ୍କ ଭାଗ୍ୟ ପରୀକ୍ଷା। ଅନେକଙ୍କ ପାଇଁ ବାଜିରେ ଲାଗିଛି ପରିବାର ଲିଗାସୀ। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ଏ ନିର୍ବାଚନ ଅଗ୍ନିପରୀକ୍ଷା ଭଳି ହୋଇଛି ।

ଅଗ୍ନିପରୀକ୍ଷାରେ ଅଜୟ କୁମାର

ଆସନ୍ତା କାଲି ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ଆସନ୍ତା କାଲି ୪୩ଟି ଆସନରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ୬୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ  ୧ କୋଟି ୩୭ ଲକ୍ଷ ଭୋଟର । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ୬୦୯ ଜଣ ପୁରୁଷ, ୭୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ।  ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ୫ ଜଣ ମନ୍ତ୍ରୀ । ଅନେକ ନବାଗତ ମଧ୍ୟ ସେମାନଙ୍କ ପରିବାରର ଲିଗାସୀ ବଜାୟ ରଖିବାକୁ ନିର୍ବାଚନ ଲଢୁଛନ୍ତି । ଆସନ୍ତା କାଲିର ମତଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଜାମସେଦପୁର ଇଷ୍ଟ୍ ଆସନରୁ କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ, ଷଢେଇକଳା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ଘାଟଶିଳା ଆସନରେ ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ୍ ସୋରେନ୍, ପୋଟକା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା । ତେବେ ଅଣକଂଗ୍ରେସ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି ଅଜୟ କୁମାର ।

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡ଼ିଶା ନେତାଙ୍କ ଲଢ଼େଇ, କେମିତି ଜିଣିବେ ଓଡ଼ିଆ ଭୋଟରଙ୍କ ମନ

ଝାଡଖଣ୍ଡରେ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ୨୮ଟି ଆସନ ମଧ୍ୟରୁ ୧୯ଟି ଆସନରେ ଆସନ୍ତା କାଲି ହେବ ମତଦାନ । ତା ମଧ୍ୟରେ ରହିଛି ସବୁଠୁ ହାଇପ୍ରୋଫାଇଲ୍ ସିଟ୍ ଷଢେଇକଳା । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଏହି ଆସନରୁ ୨୦୦୫ ମସିହାରୁ ଜିତି ଆସୁଛନ୍ତି । ତେବେ ଏଥର ପାର୍ଥକ୍ୟ ହେଉଛି ଜେଏମଏମ ବଦଳରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଚମ୍ପାଇ । ପୂର୍ବରୁ ସେ ଜେଏମଏମ ଟିକେଟରେ ନିର୍ବାଚନ ଲଢୁଥିଲେ । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଚମ୍ପାଇଙ୍କ ଭାବମୂର୍ତ୍ତିକୁ ନେଇ ବିଜେପି ଏଥର ଭଲ କରିବ ବୋଲି ଆଶାବାଦୀ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଏହି ୨୮ଟି ସଂରକ୍ଷିତ ଆସନ ମଧ୍ୟରୁ ମାତ୍ର ୨ଟି ଆସନ ଟୋର୍ପା ଓ ଖୁଣ୍ଟିରେ ବିଜୟୀ ହୋଇଥିଲା । ଗତ ନିର୍ବାଚନରେ ବିଜେପି ଜିତିଥିବା ୨୫ ଆସନ ମଧ୍ୟରୁ ୧୩ଟି ଆସନରେ ଆସନ୍ତା କାଲି ହେବ ଭୋଟଗ୍ରହଣ । ଗତ ନିର୍ବାଚନରେ ଏହି ୪୩ଟି ଆସନ ମଧ୍ୟରୁ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ୨୬ଟି ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା । ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ୧୯ଟି ଆସନରୁ ୧୭ଟି ଜିତିଥିଲା ଏହି ମେଣ୍ଟ । ତେଣୁ ଏଥର ଏନଡିଏ ମେଣ୍ଟ ଏହି ଆସନ ବିଶେଷ କରି ଆଦିବାସୀଙ୍କ ଭୋଟ ଉପରେ ଅଧିକ ଗୁରୁତ୍ୱ ଦେଇଛି ।

ଏହି ସବୁ ଆସନରେ ବିଜେପି ଚଳିତ ନିର୍ବାଚନରେ ପ୍ରଚାରକୁ ଜୋରଦାର୍ କରିଛି । ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ଭୋଟ ହାତେଇବାକୁ ବିଜେପି ପ୍ରସ୍ତୁତ କରିଛି ରଣନୀତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏହି ସବୁ ଅଞ୍ଚଳରେ ହାଇପ୍ରୋଫାଇଲ୍ ପ୍ରଚାର କରିଛନ୍ତି । କଂଗ୍ରେସ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ବିରୋଧୀ ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି । କଂଗ୍ରେସ ସେମାନଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦଳର କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏକ୍ ରହେଙ୍ଗେ, ତୋ ସେଫ୍ ରହେଙ୍ଗେ’ । ନମୋ ଆପ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ରାଜ ପରିବାରର ଲୋକମାନେ ସଂରକ୍ଷଣ ନୀତିର ଘୋର ବିରୋଧୀ ଥିଲେ । ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କୁ ଭାଗ ଭାଗ କରି ସେମାନଙ୍କ ପରିଚୟ ନଷ୍ଟ କରିଦେବାକୁ କଂଗ୍ରେସ ଚାହୁଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପାଲଟା ଅଭିଯୋଗ କରି କହିଛନ୍ତି, ବିଜେପି ଦେଶର ସମ୍ୱିଧାନକୁ ସଂଶୋଧନ କରିବାକୁ ଚେଷ୍ଟା କରୁଛି । କଂଗ୍ରେସ ଏହା ହେବାକୁ ଦେବ ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ । ଏପରିକି ବିଜେପି ସରକାର ବିରୋଧୀ ଦଳର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାକୁ ଲଗାଇଦେଉଥିବା ସେ ଅଭିଯୋଗ କରିଛନ୍ତି । ଜେଏମଏମ ସରକାରୀ ଚାକିରିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ଘୋଷଣା କରି ପ୍ରଚାର ଚଳାଇଛି ।

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର