Advertisment

ଇଣ୍ଡି ମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା

ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ ।

ଅଦ୍ୟତନ ହୋଇଛି
undefined

BJD Politics

Advertisment

ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ । ଫଳାଫଳ ଦିନକ ପରେ ଆସିବାକୁ ଥିବା ସତ୍ତ୍ୱେ ଉତ୍ସାହିତ ବିଜେଡି । ଇଣ୍ଡି ମେଣ୍ଟ ଏବଂ ରାହୁଲ ଗାନ୍ଧିଙ୍କୁ ବିଜେଡି ନେତାଙ୍କ ପ୍ରଂଶସା ।

Advertisment

ଯାହା ପରେ ଚର୍ଚ୍ଚା ହେଉଛି, କଣ ଇଣ୍ଡି ମେଣ୍ଟ ଆଡକୁ ଢଳୁଛି କି ବିଜେଡି? ଯଦିଓ ଶାସନରେ ଥିବା ବେଳେ ବିଜେଡି ସବୁବେଳେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା, କିନ୍ତୁ ପରାଜୟ ପରେ ଷ୍ଟାର୍ଟେଜିରେ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ।

ଇଣ୍ଡି ମେଣ୍ଟ ଆଡକୁ ଢଳୁଛି କି ବିଜେଡି? ହରିୟାଣା, ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ ଓ ଏହାକୁ ନେଇ ଦେବାଶିଷ ସାମନ୍ତରାୟ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ବୁଥ୍ ବାହୁଡ଼ା ମତ ଆସିବା ପରେ ଇଣ୍ଡି ମେଣ୍ଟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଜେଡି ନେତା ।

Advertisment

ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବି କଂଗ୍ରେସ କ୍ଷମତା ଦଖଲ କରିପାରେ । ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି । ଇଣ୍ଡି ମେଣ୍ଟରେ ବିଜେଡି ମିଶିବ କି ନାହିଁ, ପାର୍ଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ ।

ସେହିପରି ପରୋକ୍ଷରେ ଇଣ୍ଡି ମେଣ୍ଟ କଥା କହି ଆମ ଦେଶ ଇଣ୍ଡିଆ ଆଗକୁ ବଢୁଛି ବୋଲି କହିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ବରିଷ୍ଠ ନେତାଙ୍କ ଏଭଳି ବୟାନ ପରେ ବଢିଛି ରାଜନୈତିକ ଚର୍ଚ୍ଚା । କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସାରା ଦେଶରେ କଂଗ୍ରେସ ମଜଭୁତ ହେଉଛି ।

Advertisment

ଓଡ଼ିଶାରେ ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ । ଏଣେ ବିଜେପି କହିଛି ଓଡ଼ିଶାରେ ପଦ୍ମ ଦଳର ଲୋକପ୍ରିୟତା ବଢୁଥିବାରୁ ବିଜେଡିର ଆଚରଣ ବଦଳିଛି । ଦଳ ଇଣ୍ଡି ମେଣ୍ଟକୁ ସମର୍ଥନ କଲେ ବି ଓଡ଼ିଶାରେ ତାର କିଛି ପ୍ରଭାବ ପଡ଼ିବ ନାହିଁ । ରାଜ୍ୟରେ ଦୀର୍ଘ ୨୪ ବର୍ଷ କ୍ଷମତାରେ ଥିବା ବିଜେଡି, ପ୍ରଥମ ଥର ବିରୋଧୀ ଆସନରେ ବସିଛି ।

ଏମିତି ଆଞ୍ଚଳିକ ଦଳ ହିସାବରେ ପ୍ରଥମ ଥର ପାଇଁ ଲୋକସଭାରେ ବିଜେଡିର ସଂଖ୍ୟା ଶୂନ ହୋଇଯାଇଛି । ରାଜ୍ୟସଭାରେ ବି ସଂଖ୍ୟା ୭କୁ ଖସିଲାଣି । ମମତା ମହାନ୍ତଙ୍କ ପରେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଜାତୀୟ ରାଜନୀତିରେ ବିଜେଡି ଏବଂ ନବୀନଙ୍କ ଦବଦବା କମୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଗତ ଜୁନରେ ନବୀନ ନିବାସରେ ନେତାମାନଙ୍କ ସହ ଆଲୋଚନା ବେଳେ ନବୀନ କହିଥିଲେ, ବିଜେପି ସରକାରରେ ମ୍ୟାଜିକ ନମ୍ବର ଠାରୁ ମାତ୍ର ୨-୩ ଜଣ ଅଧିକ ଅଛନ୍ତି । କେନ୍ଦ୍ରରେ ବି ବିଜେପି ପାଖରେ ବହୁମତ ନାହିଁ । ତେଣୁ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ ନବୀନ ।

ସେହିଭଳି କିଛିଦିନ ତଳେ କୁଜଙ୍ଗ ସଭାରେ ଦେବାଶିଷ କହିଥିଲେ, ଦରକାର ପଡିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିବା । କିନ୍ତୁ ସେତେବେଳେ ବିଜେଡି ଏହା ଦେବାଶିଷଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲା । ଆଉ ଏବେ ପୁଣିଥରେ ବିଜେଡି ନେତାଙ୍କ ଇଣ୍ଡି ମେଣ୍ଟକୁ ପ୍ରଶଂସା ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କ୍ଷମତାରେ ଥିବା ବେଳେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେଇ ଉଭୟ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା କଥା କହୁଥିଲା ବିଜେଡି । ଏବେ କିନ୍ତୁ ବିରୋଧୀ ଦଳରେ । କ୍ଷମତାରୁ ଯିବା ପରେ ବିଜେଡି ତାର ରାଜନୈତିକ ଷ୍ଟ୍ରାଟେଜି ବଦଳାଉଛି କି, ତା ଉପରେ ନଜର ।

BJD India Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ