ହିମନ୍ତ-ରଘୁବର ସାକ୍ଷାତକୁ ନେଇ ଚର୍ଚ୍ଚା!! ମୋହନଙ୍କୁ ମଧ୍ୟ ଭେଟିଲେ ହିମନ୍ତ

ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ ।

Himanta Biswa Sarma

ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ । ସେଠାରେ ରାଜ୍ୟପାଳଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ପାଖାପାଖି ୨ ଘଣ୍ଟା ୨୦ ମିନିଟ୍ ରାଜଭବନରେ ରହିବା ପରେ ସେ ପୁଣି ଝାଡଖଣ୍ଡ ଅଭିମୁଖେ ବାହାରିଛନ୍ତି ।

ରାଜଭବନରେ ସେ ରାଜ୍ୟପାଳ ରଘୁବର ଦାସଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିଛନ୍ତି । ହିମନ୍ତ ବିଶ୍ୱଶର୍ମା ଝାଡଖଣ୍ଡ ବିଜେପି ପ୍ରଭାରୀ ଥିବାରୁ ଏବଂ ସେଠାରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ସାକ୍ଷାତ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାର ଏହି ପଡୋଶୀ ରାଜ୍ୟରେ ପୁଣି ଥରେ ବିଜେପି କ୍ଷମତାକୁ ଅକ୍ତିଆର କରିବା ଲକ୍ଷ୍ୟରେ ବିଶ୍ୱଶର୍ମା ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି ।

ସେଥିପାଇଁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ରାଜ୍ୟପାଳ ରଘୁବର ଦାସଙ୍କ ସହ ଆଲୋଚନା କରିବାକୁ ଏଠାକୁ ଆସିଥିବା କୁହାଯାଉଛି । ହେଲେ ଝାଡଖଣ୍ଡ ରାଜନୀତିକୁ ନେଇ ନୁହଁ ବ୍ୟକ୍ତିଗତ ସାକ୍ଷାତ ପାଇଁ ଆସିଥିବା ବିଶ୍ୱଶର୍ମା ପୂର୍ବରୁ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । 

ସେପଟେ ଗତକାଲି ଆସିଥିଲେ ଜେପି ନଡ୍ଡା । ଏବେଠୁ ଆଗାମୀ ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇ ଦଳର ବିଧାୟକ ଓ ସାଂସଦଙ୍କୁ ଶୁଣାଇଥିଲେ ଟାସ୍କ । ଦିନିକିଆ ଗସ୍ତରେ ଆସି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

୧୫ ଦିନିଆ ୱାର୍କ ଚାର୍ଟ ବନାଅ .. ରାଜ୍ୟ ସଭାପତିଙ୍କ ନିକଟରେ ଦାଖଲ କର । ପ୍ରତିଦିନ କିଛି ଲୋକଙ୍କ ପାଖକୁ ଯାଅ .. ସଦସ୍ୟତା ଅଭିଯାନ ଜରିଆରେ ସଂଗଠନ ମଜଭୁତ କର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦମାନଙ୍କୁ ଗତକାଲି କାମ କରିବାର ଏଭଳି ତରିକା ଶିଖାଇଛନ୍ତି, ଆଉ ଥରେ ଜିତିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାର ମନ୍ତ୍ର ବି ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।