‘୨୦୨୪ ରେ ପୁଣି 'ଖେଲା ହୋବେ', ମୁଁ ଚାହୁଁଛି ସାରା ଦେଶରେ ବିଜେପି ହାରୁ’

ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।

ss

କୋଲକାତା: ବିଧାନସଭା ନିର୍ବାଚନରେ ​​ଜିତିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି । କେନ୍ଦ୍ରରେ ଥିବା ମୋଦି ସରକାର ବିରୋଧରେ ମମତା ମଞ୍ଚ ଉପରେ ଗର୍ଜନ କରୁଛନ୍ତି । ବୁଧବାର କୋଲକାତାରେ ମମତା ବାନାର୍ଜୀ କହିଛନ୍ତି- ‘ମୁଁ ୨୦୨୪ ନିର୍ବାଚନରେ ​​ବିଜେପିକୁ ସାରା ଦେଶରେ ପରାଜିତ ହେଉଥିବା ଦେଖିବାକୁ ଚାହୁଁଛି । ଏଥର ସାରା ଦେଶରେ ଖେଲା ହୋବେ ।’

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ ଧୂଳି ଚଟାଇବା ପରେ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି । ସେ ବିଭିନ୍ନ ରାଜ୍ୟ ଗସ୍ତ କରି ବଳ ଗୋଟାଉଛନ୍ତି । ପ୍ରତ୍ୟେକ ରାଜ୍ୟରେ ସେ ସଭା ମଞ୍ଚ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ଅନ୍ୟପଟେ ଏହା ଭିତରେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ଟିଏମ୍‌ସିରେ ସାମିଲ ହୋଇଥିବା ଦେଖାଯାଇଛି । ତେଣୁ କଂଗ୍ରେସ ଓ ଟିଏମ୍‌ସି ମଧ୍ୟରେ ତିକ୍ତତା ବଢ଼ୁଥିବା ଆଶଙ୍କା କରାଯାଉଛି ।

ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ । ସେ କହିଛନ୍ତି, ମୁଁ ଆପଣଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସି ନାହିଁ, ଗୋଆକୁ କେହି ବାହାରିଆ ନେତା ନିୟନ୍ତ୍ରଣ କରନ୍ତୁ ତାହା ମୁଁ ଚାହୁଁ ନାହିଁ । ମୁଁ ମଧ୍ୟ ଜଣେ ବ୍ରାହ୍ମଣ ପରିବାରର, ମୁଁ ଜଣେ ବ୍ରାହ୍ମଣ । ମୋତେ ବିଜେପିରୁ ଚରିତ୍ର ପ୍ରମାଣପତ୍ର ନେବା ଆବଶ୍ୟକ ନାହିଁ |

ସାରା ଦେଶରେ ବିଜେପି ହାରିବ

ମମତା ଆହୁରି ଦାବି କରିଛନ୍ତି ଯେ, ୨୦୨୨ ଆରମ୍ଭରୁ ଗୋଆ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟରୁ ହିଁ ବିଜେପିର ‘ସୂର୍ଯ୍ୟାସ୍ତ’ ଆରମ୍ଭ ହେବାକୁ ଯାଉଛି । ଆଉ ଏହାର ପ୍ରଭାବ ପୁରା ଦେଶରେ ପଡ଼ିବ । ଦିଦି ଆହୁରି କହିଛନ୍ତି ଯେ, ବିଜେପି ଭଳି କଂଗ୍ରେସ ବଡ଼ ବଡ଼ ପ୍ରତିଶ୍ରୁତି ନଦେଇ ବିଜେପି ବିରୋଧରେ ସଠିକ୍‌ ଢ଼ଙ୍ଗରେ ଲଢ଼ିବା ଆବଶ୍ୟକ ।