ବିଜୁ ଜନତା ଦଳରେ ନାହାନ୍ତି ତଥାଗତ ଶତପଥୀ : ନିଜେ କହିଲେ ପୂର୍ବତନ ସାଂସଦ

ବିଜେଡିରେ ନଥିବା କଥା ନିଜେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ।

ବିଜେଡିରେ ନାହାନ୍ତି ତଥାଗତ

ବିଜୁ ଜନତା ଦଳରେ ନାହାନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ଏକଥା ଆଉ କେହି ନୁହେଁ ସେ ନିଜେ କହିଛନ୍ତି  । ଢେଙ୍କାନାଳ ସହରରେ ଆୟୋଜିତ ବୈଶାଖୀ ମହୋତ୍ସବରେ ଯୋଗ ଦେବା ଅବସରରେ ତଥାଗତ କହିଛନ୍ତି, ୨୦୧୯ରୁ ମେ ୩୦ ତାରିଖ ପର ଠାରୁ ସେ ଆଉ ବଜେଡିରେ ନାହାନ୍ତି । ସେବେଠାରୁ ବିଜୁ ଜନତା ଦଳରେ ତାଙ୍କର ସଦସ୍ୟତା ପଦ ଶେଷ ହୋଇଯାଇଛି ।

ଏବେ ସେ କୌଣସି ରାଜନୈତିକ ଦଳରେ ନଥିବା କହିଛନ୍ତି । ସେ ଏବେ ସ୍ୱାଧୀନ ଭାରତର ନାଗିରକ ଏବଂ ଯାହାଇଚ୍ଛା କହିପାରୁଛନ୍ତି । ଆଉ ଯାହା ଇଚ୍ଛା ଲେଖିପାରୁଛନ୍ତି । ତେବେ ଢେଙ୍କାନାଳ ଯିବା ଅବସରରେ ସେ କାହିରିକୁ ଖୋସାମତ କରିବାକୁ ଆସି ନାହାନ୍ତି ବୋଲି ତାଙ୍କ ଚିରାଚରିତ ରୋକଠୋକ୍ ଢଙ୍ଗରେ କହିଛନ୍ତି ତଥାଗତ । ସେପଟେ ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତଥାଗତ ଶତପଥୀ ଆଉ ସକ୍ରିୟ ରାଜନୀତିରେ ରହିବେନି ବୋଲି ନିଜେ ସ୍ପଷ୍ଟ କରିଥିଲେ । ବୟସ ଅଧିକ ହେବା ପରେ ରାଜନୀତି ଛାଡ଼ିଦେବା କଥା ବୋଲି ପ୍ରକାଶ କରିଥିଲେ । ଫଳରେ ନୂଆ ମୁହଁକୁ ସୁଯୋଗ ମିଳିବ । ତେବେ ଅନ୍ୟ କୌଣସି ଦଳକୁ ଯିବାର ଆଦୌ ସମ୍ଭାବନା ନାହିଁ ବୋଲି ମଧ୍ୟ ସେ କହିଥିଲେ ।