ଆଗରୁ ଅସୁସ୍ଥ ଲାଗୁଥିଲେ, ଏବେ ପୂରା ଫିଟ୍

ନବୀନ ସୁସ୍ଥ ଅଛନ୍ତି ନା ନାହିଁ, ସେ ବାବଦରେ ଓଡ଼ିଶାବାସୀଙ୍କ ଜାଣିବାର ଅଧିକାର ରହିଛି ବୋଲି ମୋଦି କହିଥିଲେ ।

Naveen Patnaik - Narendra Modi

ନବୀନ ସୁସ୍ଥ ନା ଅସୁସ୍ଥ ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ପଛରେ କିଏ ? କାହାର ହାତ ରହିଛି ? ନିର୍ବାଚନ ବେଳେ କାହିଁକି ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ନବୀନ ? କାହିଁକି ନିର୍ବାଚନୀ ପ୍ରଚାରରେ ପୂର୍ବ ଭଳି ନଥିଲେ ସକ୍ରିୟ ? ଏହା ପଛରେ କାରଣ କ’ଣ ? କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ? ପୂର୍ବତନ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସାମ୍ନାରେ ଭାଷଣ ନଦେଇ, କାହିଁକି ତାଙ୍କର ରେକର୍ଡିଂ ଭିଡିଓ ବାହାରକୁ ଆସୁଥିଲା ? କ’ଣ ଥିଲା ଉଦେଶ୍ୟ ?

ନିର୍ବାଚନ ପୂର୍ବରୁ ଏମିତି ଅନେକ ପ୍ରଶ୍ନ ଆସିଥିଲା ଲୋକଙ୍କ ମନରେ । ଆଉ ଏହାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ମଧ୍ୟ ଉଠିଥିଲା । ରାଜ୍ୟ ରାଜନୀତି ଖୁବ୍‌ ସରଗରମ ଥିଲା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ । ଏମିତି ଅନେକ ଥର ନିର୍ବାଚନ ମାହୋଲ ଭିତରେ ସୁସ୍ଥ ଥିବା ନେଇ ନିଜେ ନବୀନ ସଫେଇ ମଧ୍ୟ ଦେଇଥିଲେ । ସୋସିଆଲ ମିଡିଆରେ ରିଲ୍ସ ପ୍ରସ୍ତୁତ କରି ଲୋକଙ୍କୁ ଜଣାଉଥିଲେ ।

ତେବେ ଏଇ ତମାମ ଘଟଣା, ସମାଲୋଚନା ଓ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାନରେ ମଧ୍ୟ ପଡ଼ିଥିଲା । ସେ ନିର୍ବାଚନ ସମୟରେ ଆସି ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ପ୍ରଶ୍ନ କରିଥିଲେ । ନବୀନ ସୁସ୍ଥ ଅଛନ୍ତି ନା ନାହିଁ, ତାହା ଓଡ଼ିଶାବାସୀଙ୍କ ଜାଣିବାର ଅଧିକାର ରହିଛି ବୋଲି ମୋଦି କହିଥିଲେ ।

ଏହି ସମୟରେ ମୋଦି ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଥିଲେ, ବିଜେପି ସରକାର ଆସିଲେ ଏକ ସ୍ୱତନ୍ତ୍ର କମିଟି ଗଠନ ହେବ । ଆଉ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଯାଞ୍ଚ କରାଯିବ । ତାଙ୍କ ଅସୁସ୍ଥତା ପାଇଁ କିଏ ଦାୟୀ ବୋଲି ତଦନ୍ତ କରାଯିବ । ତାଙ୍କୁ କିଏ ଅସୁସ୍ଥତା ଦର୍ଶାଇ ସରକାରୀ କଳକୁ ହାଇଜାକ୍‌ କରି ଓଡ଼ିଶାବାସୀଙ୍କୁ ଧୋକା ଦେଉଛି, ସେନେଇ ମଧ୍ୟ ଏହି କମିଟି ଯାଞ୍ଚ କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ୟପଟେ ନିର୍ବାଚନ ସରିବା ପରେ ଏବେ ଦେଖିବାକୁ ମିଳୁଛି ନବୀନ ଖୁବ୍‌ ସୁସ୍ଥ । ସେ ଏକା ଏକା ଚାଲି ଚାଲି ଯାଇପାରୁଛନ୍ତି । ମଞ୍ଚରେ ବିନା କାହା ସାହାରାରେ ଚଢ଼ିପାରୁଛନ୍ତି । ସମସ୍ତଙ୍କ ସହ ଆଲୋଚନା କରୁଛନ୍ତି । ସମସ୍ତଙ୍କ ପ୍ରଶ୍ନର ଉତ୍ତର ବି ବେଶ୍ ହସି ହସି ଦେଉଛନ୍ତି । ଏମିତିକି ପୂର୍ବ ଅପେକ୍ଷା ଅଧିକ ସମୟ ଜନଗହଳି ଭିତରେ ରହିପାରୁଛନ୍ତି । ମଞ୍ଚରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆକ୍ଟିଭ୍‌ ମଧ୍ୟ ରହୁଛନ୍ତି ।

ଏବେ ପ୍ରଶ୍ନ ଉଠୁଛି କେବେ ତିଆରି ହେବ ଏହି କମିଟି ? କିଏ ନେବ ଏହାର ଦାୟିତ୍ୱ ? କାହା ତତ୍ୱାବଧାନରେ ଗଠନ ହେବ ଏହି କମିଟି ? ଏସବୁ ପ୍ରଶ୍ନର ଉତ୍ତର ଉପରେ ଏବେ ସମସ୍ତଙ୍କ ନଜର।