ଇଡି-ସିବିଆଇ ରେଡ୍‌ ଭିତରେ ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ : ୨୪ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ସମ୍ଭାବନା

ରାଜ୍ୟ ବିଜେପିକୁ ଶାହ ଦେଇପାରନ୍ତି ଟାସ୍କ

ରାଜ୍ୟ ବିଜେପିକୁ ଶାହ ଦେଇପାରନ୍ତି ଟାସ୍କ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତାକାଲି ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଶ୍ରାବଣର ଶେଷ ସୋମବାର ସକାଳ ୮ଟାରେ ଶାହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ ପରେ କଟକ ଯାଇ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ଇଣ୍ଡୋର ଷ୍ଟାଡିୟମରେ ପାଳନ ହେବାକୁ ଥିବା ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେବେ ।

କଟକରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ । ଅପରାହ୍ଣ ପ୍ରାୟ ୩ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ସଦସ୍ୟ ଓ ପଦାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ । ଏହାପରେ ସାରେ ଭୁବନେଶ୍ୱର ଛାଡିବେ । ସେପଟେ ଶାହଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ ଜଣାଇବା ଲାଗି ଟ୍ବିନ୍ ସିଟିରେ ପ୍ରସ୍ତୁତି କରିଛି ଦଳ ଉଭୟ ସହର ପୋଷ୍ଟର ବ୍ୟାନରରେ ଛାଇଗଲାଣି ।

ଗୋଟିଏ ପଟେ ଶାହଙ୍କ ଗସ୍ତ ଅନ୍ୟପଟେ, ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ । କାରଣ ୨୦୧୯ ନିର୍ବାଚନ ପରଠାରୁ ଶାହ ଆଉ ଓଡିଶା ଆସିନାହାଁନ୍ତି । ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ୩ ବର୍ଷ ବ୍ୟବଧାନରେ ଶାହ ଓଡିଶା ଆସୁଛନ୍ତି, ଯେଉଁ ସମୟରେ କି ଇଡି ଓ ସିବିଆଇ ରାଜ୍ୟରେ ସକ୍ରିୟ ରହିଛି । ଗତ ଜୁଲାଇ ୩୦ରେ ପ୍ରଭାତ ବିଶ୍ୱାଳଙ୍କର କଟକ SBI ଶାଖାରେ ଥିବା ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତେଣୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସ୍କାନରରେ ଥିବା ବହୁ ବିଜେଡି ନେତାଙ୍କ ଛାତି ଏବେଠାରୁ ଧଡ଼ ଧଡ଼ ହେଲାଣି । କାରଣ ସାଧାରଣ ନିର୍ବାଚନକୁ ଆଉ ଦୁଇ ବର୍ଷରୁ ବି କମ୍ ସମୟ ରହିଛି । ୨୦୧୯ରେ ଅଧାରେ ରହିଥିବା ରାଜ୍ୟ ବିଜେପିର ମିଶନ ୧୨୦ ପ୍ଲସ୍ ଫାଇଲ୍ ପୁଣି ଖୋଲିପାରନ୍ତି ଶାହ । ଶାହଙ୍କ ମୋ ବୁଥ୍ ସବୁଠୁ ମଜବୁତ ମନ୍ତ୍ରରେ ରାଜ୍ୟ ବିଜେପିକୁ ସଞ୍ଜିବନୀ ମିଳିଥିଲା । ଏଥର ଶାହ ନିଜ ଗସ୍ତ ସମୟରେ ରାଜ୍ୟ ବିଜେପିର ସ୍ଥିତି ୨୦୨୪ ରୋଡ ମ୍ୟାପ୍ ସମ୍ପର୍କରେ ସମୀକ୍ଷା କରିବେ । ତାସହ କିଛି ଟାସ୍କ ମଧ୍ୟ ଦେଇପାରନ୍ତି ମଙ୍ଗୁଆଳମାନଙ୍କୁ । ସେପଟେ ଶାହଙ୍କ ଏହି ଗସ୍ତ ବିଜେଡ଼ି ଓ କଂଗ୍ରେସର ପ୍ରାଇମ୍ ଫୋକସରେ ରହିଛି ।

ଅମିତ ଶାହଙ୍କ ଗସ୍ତରେ ରାଜନୈତିକ କାର୍ଯ୍ୟକ୍ରମ ଲାଗି ବିଶେଷ ସମୟ ନାହିଁ । ତଥାପି ତାଙ୍କର ଏହି ଗସ୍ତ ରାଜନୀତି ପାଣିପାଗକୁ ଅଧିକ ଘନୀଭୂତ କରୁଛି କାରଣ ଚର୍ଚ୍ଚା ହେଉଛି । ଶାହଙ୍କ ଗସ୍ତ ରାଜ୍ୟ ରାଜନୀତିକୁ ନୂଆଦିଶା ଦେବ ବିଜେପି ଅଧିକ ସକ୍ରିୟ ହେବ ।

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ଜଗଦୀଶ ଦାସଙ୍କ ରିପୋର୍ଟ