CM Mohan Majhi on GST Reform
ଜିଏସଟି ସଂସ୍କାରରେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଛି ବଡ଼ ଉପହାର। ୧୮ରୁ ୫ ପ୍ରତିଶତକୁ କମିଛି ଜିଏସଟି ହାର। ଦିଲ୍ଲୀରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଏସଟି ହ୍ରାସ ଦ୍ବାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। କେନ୍ଦୁପତ୍ର ବିକ୍ରି ବୃଦ୍ଧି ପାଇବ। ଏହାଦ୍ବାରା କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢ଼ିବ। କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ। ଜିଏସଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ। ସିମେଣ୍ଟରୁ ଜିଏସଟି ହ୍ରାସ ଏକ ମାଇଲଖୁଣ୍ଟ ସଦୃଶ। GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ। ଏହାଦ୍ବାରା ପ୍ରତ୍ୟେକ ଲୋକ ଅର୍ଥ ସଞ୍ଚୟ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଦିଲ୍ଲୀରେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “୨୦୪୭ ସୁଦ୍ଧା ବିକଶିତ ଭାରତ” ପରିକଳ୍ପନାକୁ ସାକାର କରିବା ଲାଗି ଦେଶର ଆର୍ଥିକ ପ୍ରଗତିକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ହାସଲ ଲାଗି ଆମ ଦେଶରେ ପ୍ରଚଳିତ କର ପ୍ରଶାସନରେ ବ୍ୟାପକ ସଂସ୍କାର ଆବଶ୍ୟକ। ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଏଥର ଜିଏସଟି କମିଟି ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର କମାଇବା ଓ କେତେକ ଦ୍ରବ୍ୟ ଓ ସେବାକୁ କର ମୁକ୍ତ କରିବା ପରି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି।
ଜିଏସଟିର ଏହି ଐତିହାସିକ ସଂସ୍କାର, ଏକ ମୁକ୍ତ ଏବଂ ସ୍ବଚ୍ଛ ଅର୍ଥନୀତି ସୃଷ୍ଟି କରିବ, ଅନୁପାଳନ ବୋଝ ହ୍ରାସ କରିବ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉପକୃତ କରିବ। ଦେଶରେ ବାଣିଜ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ବାସ୍ଥ୍ୟ ଓ ଜୀବନ ବୀମାଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବା ପାଇଁ ଉତ୍ସାହିତ କରିବ। କେନ୍ଦୁପତ୍ର ଉପରୁ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ। ଏହା ଦ୍ବାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢିବା ସହ ସେମାନେ ଉଚିତ ମୂଲ୍ୟ ପାଇବେ। ଏହା ଦ୍ବାରା ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳିମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥାମାନଙ୍କ ପାଖରୁ ସଠିକ ସମୟରେ ସଠିକ ମୂଲ୍ୟ ପାଇ ପାରିବେ।
ଓଡିଶା ଏକ କୃଷିପ୍ରଧାନ ରାଜ୍ୟ। ବିଭିନ୍ନ କୃଷି ଉପକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, ରୋଲର୍, ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଅମଳ କାମରେ ଲାଗୁଥିବା ଯନ୍ତ୍ର, ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ପାଇଁ ପଦକ୍ଷେପ, କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥିବା ଖର୍ଚ୍ଚ କମାଇବ। ଏହା ଗ୍ରାମୀଣ ଲୋକଙ୍କ ଆୟ ବଢାଇବ ଓ ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ। ପାନ ମସଲା, ବିଡ଼ି ଓ ତମାଖୁଜାତ ଦ୍ରବ୍ୟକୁ ଛାଡି ଅନ୍ୟ ସବୁ ଦ୍ରବ୍ୟ ଉପରୁ Compensation Cessକୁ ୨୨ ସେପ୍ଟେମ୍ବର, ୨୦୨୫ ତାରିଖରୁ ଉଠାଇ ଦିଆଯାଉଛି। ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରେ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ସହାୟକ ହେବ। ଏହାବ୍ୟତୀତ ଦ୍ରବ୍ୟ ଓ ସେବାକର ହାରରେ ପରିବର୍ତ୍ତନ କରାଯାଇ ୧୨ ଓ ୨୮ ପ୍ରତିଶତ କର ହାରକୁ ଉଚ୍ଛେଦ କରାଯାଇ ଅଧିକାଂଶ ଦ୍ରବ୍ୟ ଓ ସେବା ଉପରେ ୫ ଓ ୧୮ ପ୍ରତିଶତ ହାରରେ କର ଆଦାୟ କରିବାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ବ୍ୟାପକ କର ହାର ସଂଶୋଧନର ଏକ ଅଂଶ ଭାବରେ ୧୫୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଦୁଇ ସ୍ଲାବ୍ ଟିକସ ଢାଞ୍ଚା ଉପରେ ଜିଏସଟି ପରିଷଦ ବିଚାର ବିମର୍ଶ କରି ନିଷ୍ପତ୍ତି ନେଇଛି।
ସିମେଣ୍ଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ; ନିର୍ମାଣ ଶିଳ୍ପ ଓ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ। ଛୋଟ କାର, ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ଉପରେ ଟିକସ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ବର୍ଗ ଲୋକ ଏଥିରୁ ଅଧିକ ଉପକୃତ ହେବେ। ଏହି ଟିକସ ହ୍ରାସ ୨୨ ସେପ୍ଟେମ୍ବର, ୨୦୨୫; ନବରାତ୍ରିର ପ୍ରଥମ ଦିନରୁ ଲାଗୁ କରାଯିବ। ଏକ ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡିଶାବାସୀ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଶାର ଜନସାଧାରଣଙ୍କ ତରଫରୁ ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜିଏସଟି ପରିଷଦକୁ କୃତଜ୍ଞତା ଜଣାଇଛନ୍ତି ମୋହନ ମାଝୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756975111.jpg)