ଶଙ୍ଖ ଦଳକୁ ଲୋକସଭା ସିଟ୍‌ ଟେନ୍‌ସନ; MP ନୁହେଁ MLA ହେବାକୁ ନେତାଙ୍କ ଇଚ୍ଛା !!

ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।

ଲୋକସଭା ନିର୍ବାଚନ

ବିଜେଡିକୁ ଲୋକସଭା ନିର୍ବାଚନ ଟେନ୍‌ସନ । ଏପରିକି MP ଥିବା ଦଳର ଅନେକ ନେତା ଲୋକସଭା ଅପେକ୍ଷା ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ବିଜେପି, ଓଡ଼ିଶାରୁ ଅଧିକ ଲୋକସଭା ସିଟ୍ ହାସଲ ପାଇଁ ଜୋରଦାର ପ୍ରୟାସ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ବି ଓଡ଼ିଶାରୁ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବାର ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ବି ବିଜେପି ଭୋଟ୍ ବିଭାଜନ କରି ଏଠାରୁ ୮ଟି MP ସିଟ୍ ହାତେଇ ନେଇଥିବାରୁ ବିଜେଡି ଲୋକସଭା ଭୋଟ୍‌କୁ ନେଇ ଚିନ୍ତାରେ ଥିବା  କୁହାଯାଉଛି ।

ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ । ଏହି କ୍ରମରେ ପ୍ରଥମ କରି ବିଜେଡି ଦୁଇଟି ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କରିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ହୋଇଛନ୍ତି ଶ୍ରୀମୟୀ ମିଶ୍ର।

ତେବେ ଜିଲ୍ଲା ପର୍ଯ୍ୟବେକ୍ଷକ, ବରିଷ୍ଠ ପର୍ଯ୍ୟବେକ୍ଷକ ଥାଉଥାଉ ପୁଣି ସଂସଦୀୟ ପର୍ଯ୍ୟବେକ୍ଷକ କାହିଁକି ନିଯୁକ୍ତ କଲା ଦଳ ? ସଙ୍ଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ନା ସେମାନେ ଲୋକସଭା ନିର୍ବାଚନ ଲଢିବା ଲାଗି ଏବେଠୁ ଫିଲ୍ଡ ପ୍ରସ୍ତୁତ କରିବାକୁ ଗ୍ରୀନ୍ ସିଗନାଲ୍ ଦିଆଗଲା, ତାକୁ ନେଇ ଜୋରଦାର ଚର୍ଚ୍ଚା । କୁହାଯାଉଛି ବିଜେଡିର ଅନେକ ନେତା ଆଗାମୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ନୁହନ୍ତି । ଯେଉଁ ୧୨ ଜଣ ଏବେ ଲୋକସଭା ସଦସ୍ୟ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ସେଥିପାଇଁ  ୨୦୧୯ରେ ବିଜେଡି ହାରିଥିବା ୮ ଲୋକସଭା ସିଟ୍ ଉପରେ ଅଧିକ ଫୋକସ୍ କରୁଛି ଦଳ ।

ତେଣେ ବିଜେପିର ବି ଫୋକସରେ ରହିଛି ଓଡ଼ିଶାରୁ ଅଧିରୁ ଅଧିକ ଲୋକସଭା ସିଟ୍ ଜିତିବା । ଏଠାରୁ ୧୬ଟି ଆସନ ହାତେଇବା ଷ୍ଟ୍ରାଟେଜିରେ ଲାଗିଛି ପଦ୍ମ କ୍ୟାଂପ୍ । ସେଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୂର୍ବରୁ ପୁରୀ ଓ କନ୍ଧମାଳ ଆସିଥିଲେ । ଆସନ୍ତା ୨୨ରେ କଳାହାଣ୍ଡି ଗସ୍ତରେ ଆସିବେ । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା  ସମ୍ବଲପୁର ଏବଂ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର କିମ୍ବା କଟକ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ବଡ଼ ପ୍ରଶ୍ନ, କାହିଁକି ବିଜେଡିକୁ ଲୋକସଭା ଭୋଟ୍ ର ଟେନସନ୍ ? କାହିଁକି ବିଜେଡି ନେତାମାନେ ଲୋକସଭା ଲାଗି ଲଢିବାକୁ ଆଗ୍ରହୀ ନୁହନ୍ତି ? ମୋଦି ଲହର ଓଡ଼ିଶାରେ ପ୍ରଭାବ ପକାଇବା ସମ୍ଭାବନା ଥିବାରୁ ଏଭଳି ଚିନ୍ତା କି ? ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୩୯ ପ୍ରତିଶତ ଭୋଟ୍ ପାଇବା ସହ ୮ଟି ସିଟ୍ ଜିତିଥିଲା । ସେହିପରି ବିଜେଡି ୪୩.୩୨ ପ୍ରତିଶତ ଭୋଟ୍ ପାଇ ଜିତିଥିଲା ୧୨ଟି ସିଟ୍ । ବିଧାନସଭା ନିର୍ବାଚନ ଅପେକ୍ଷା ଲୋକସଭା ନିର୍ବାଚନରେ ବିଜେପି ୭ ପ୍ରତିଶତ ଅଧିକ ଭୋଟ୍ ପାଇଥିଲା। ତେଣୁ ବିଜେଡିକୁ ଲୋକସଭା ଭୋଟ୍ ଚିନ୍ତା ଘାରିଥିବା କୁହାଯାଉଛି ।