ଜୟଦେବଙ୍କ ସତର୍କବାଣୀ ! ବିଜେଡି-ବିଜେପି ଏକ, କଂଗ୍ରେସ ଏକମାତ୍ର ବିକଳ୍ପ; ୨୦୨୪ ଶେଷ ସୁଯୋଗ

ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା ।

Jaydev Jena

୨୦୨୪ ହେଉଛି କଂଗ୍ରେସ୍ ପାଇଁ ଶେଷ ସୁଯୋଗ । ଯଦି ୨୪ ପାଇଁ ଆମେ ଏକଜୁଟ୍ ନହେଉ, ଆମକୁ ଭଗବାନ ବି ସାହାଯ୍ୟ କରିବେନି । ଆଜି ଏଭଳି ମନ୍ତବ୍ୟ ଦେଇ ରାଜ୍ୟ କଂଗ୍ରେସ୍ ରାଜନୀତିରେ ଆଲୋଡନ ସୃଷ୍ଟି କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେପଟେ ଗାନ୍ଧି ପରିବାରକୁ ଛାଡ଼ି ଅନ୍ୟ କାହାରିକୁ ଏଆଇସିସି ସଭାପତି କରାଯିବା ଉପରେ ଜାତୀୟ ସ୍ତରରେ ଯେଉଁ ଚର୍ଚ୍ଚା ହେଉଛି ତାଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ୍ ନେତା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧି ପରିବାରର ଅତି ନିକଟ କୁହାଯାଉଥିବା ଅଶୋକ ଗେହଲଟ୍ AICC ସଭାପତି ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି ।

୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ୍ ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ । ସେ କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ । ଏକଜୁଟ୍ ନହେଲେ ଭଗବାନ ବି ଦଳକୁ ବଞ୍ଚାଇ ପାରିବେନି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଏବେ ସରକାର ବିରୋଧୀ ହାଓ୍ୱା ରହିଛି । କଂଗ୍ରେସ ଏକମାତ୍ର ବିକଳ୍ପ ହୋଇପାରିବ । ଏଥିପାଇଁ ଘର କଳି ସଜାଡି ଆଗକୁ ବଢ଼ିବାକୁ ହେବ ।

ତେବେ ନୂଆ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାୟିତ୍ୱ ପାଇବାର ତିନିମାସ ବିତିଥିଲେ ସୁଦ୍ଧା ଏଯାଏ କମିଟି ଗଠନ ହୋଇନି । ଏହି ସମୟରେ ଜୟଦେବଙ୍କ ସତର୍କବାଣୀ ସ୍ପଷ୍ଟ କରୁଛି ଯେ ଦଳରେ ସବୁ କିଛି ଠିକ୍ ନାହିଁ ।

ସେପଟେ ପିସିସି ସଭାପତି ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ, ସେପ୍ଟେମ୍ବର ସୁଦ୍ଧା ନୂଆ କମିଟି ଗଠନ ହୋଇଯିବ । କଂଗ୍ରେସ ନିଶ୍ଚିତ ଭାବେ ୨୦୨୪ରେ ଲୋକଙ୍କ ଆସ୍ଥା ଭାଜନ ହେବ । ଟାର୍ଗେଟ ୯ ରୁ ୯୦ ସଫଳ ହେବ । ଅନ୍ୟପଟେ ପରିବାର ବାଦ କଳଙ୍କକୁ ଦୂରେଇବା ପାଇଁ ସୋନିଆ ଗାନ୍ଧି AICCର ସଭାପତି ଭାବେ ଦାୟିତ୍ୱ ନେଇନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗାନ୍ଧି ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହଲଟ୍ ନୂଆ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି । ଖୋଦ୍ ଗେହଲଟ୍ କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ତେବେ ଆସନ୍ତା ୨୮ ତାରିଖ CWC ବୈଠକରେ ଏହା ସ୍ପଷ୍ଟ ହେବ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଗାନ୍ଧି ପରିବାରକୁ ପିସିସି ସଭାପତି ସମର୍ଥନ କରୁଥିବା ବେଳେ ଆଉ କିଛି ଦକ୍ଷ ନେତାଙ୍କୁ ଦାୟିତ୍ୱ ଦେବା ସମର୍ଥନରେ ଅଛନ୍ତି । ଏହା ବାଦ ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଦମନ କରିବାକୁ ବି ଦାବି ଉଠିଲାଣି ।    

କଂଗ୍ରେସରେ କନ୍ଦଳ କିଛି ନୂଆ ନୁହେଁ । ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଶାନ୍ତ କିଶୋର ଦେଇଥିବା ପରାମର୍ଶକୁ କେନ୍ଦ୍ରୀୟ କମିଟି କେମିତି ଗ୍ରହଣ କରୁଛି ଓ ଏହା ରାଜ୍ୟ କଂଗ୍ରେସକୁ କିପରି ସଂଜୀବନୀ ଯୋଗାଉଛି ତା ଉପରେ ନଜର ।