Advertisment

ଦୁଇ ଫାଳ ହେବ କି କଂଗ୍ରେସ? ସୋନିଆଙ୍କୁ ଜି-୨୩ ନେତାଙ୍କ ଚରମବାଣୀ

ଦଳକୁ ବଞ୍ଚାଇବାକୁ ଅଛି ତ ଆମ କଥା ଶୁଣ, ନଚେତ୍ ଆମେ ବିକଳ୍ପ ଦେଖିବୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜି-୨୩ ନେତା ଚରମବାଣୀ ଶୁଣାଇଛନ୍ତି । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଗାନ୍ଧୀ ପରିବାରର ନେତୃତ୍ୱ ପାଇଁ ଥିଲା ଏସିଡ୍ ଟେଷ୍ଟ

ଅଦ୍ୟତନ ହୋଇଛି
Congress leaders Sonia Gandhi and Ghulam Nabi Azad

Congress leaders Sonia Gandhi and Ghulam Nabi Azad

Advertisment

ଦୁଇ ଫାଳ ହେବ କି କଂଗ୍ରେସ? ଶେଷରେ ଚରମ ପରିଣତିର ଦ୍ୱାର ଦେଶରେ ଉପନୀତ ହୋଇଛି କି ଭାରତୀୟ ରାଜନୀତିର ସର୍ବପୁରାତନ ଦଳ ? ୨୦୧୪ ସାଧାରଣ ନିର୍ବାଚନରେ ପରାଜୟ ପରେ କ୍ରମାଗତ ଭାବେ ଅବକ୍ଷୟମୁଖୀ ହୋଇଥିବା କଂଗ୍ରେସ ଏବେ ବିଲୁପ୍ତ ପ୍ରାୟ ଦଳକୁ ପୁନର୍ଜୀବିତ କରିବା ଲାଗି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ମହୌଷଧୀ ସାବ୍ୟସ୍ତ ହେବ ବୋଲି କୁହାଯାଉଥିଲା । ମାତ୍ର ସମସ୍ତ ୫ ରାଜ୍ୟରେ ଦଳ ଏକରକମ ନିଶ୍ଚିହ୍ନ ହୋଇଯିବା ପରେ ପୁଣି ଜୋର ଧରିଛି ନେତୃତ୍ୱ ପରିବର୍ତ୍ତନ ଦାବି । ଚାଟୁକାରଙ୍କୁ ହଟାଇ ବାସ୍ତବତାକୁ ଗ୍ରହଣ ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛି ବିଦ୍ରୋହୀ ଜି-୨୩ ଗୋଷ୍ଠୀ ।

Advertisment

ଦଳକୁ ବଞ୍ଚାଇବାକୁ ଅଛି ତ ଆମ କଥା ଶୁଣ, ନଚେତ୍ ଆମେ ବିକଳ୍ପ ଦେଖିବୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜି-୨୩ ନେତାଙ୍କ ଚରମବାଣୀ ଶୁଣାଇଛନ୍ତି । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଗାନ୍ଧୀ ପରିବାରର ନେତୃତ୍ୱ ପାଇଁ ଥିଲା ଏସିଡ୍ ଟେଷ୍ଟ । କାରଣ ଦୀର୍ଘ ଦିନ ହେଲା ନେତୃତ୍ୱ ପରିବର୍ତ୍ତନ ଲାଗି ଦାବି କରି ଆସୁଥିଲେ ଗୁଲାମ ନବୀ ଆଜାଦ୍, କପିଲ ସିବଲ ଓ ଶଶି ଥରୁରଙ୍କ ଭଳି ୨୩ ନେତାଙ୍କ ଜି-୨୩ ଗୋଷ୍ଠୀ ।ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଅଲ-ଆଉଟ୍ ଉଦ୍ୟମ ଓ ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରେ ରାହୁଲଙ୍କ ମାରାଥନ୍ ପ୍ରଚାର ସତ୍ତ୍ୱେ କଂଗ୍ରେସକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଦେଇଛନ୍ତି ଭୋଟର୍ । ତେଣୁ ଦଳକୁ ପୁନର୍ଜୀବିତ କରିବା ଲାଗି ଉଭୟ ରାହୁଲ ଓ ସୋନିଆଙ୍କ ସ୍ୱପ୍ନ ଶୂନ୍ୟରେ ମିଳାଇ ଯିବା ପରେ ସେମାନଙ୍କ ନେତୃତ୍ୱରେ ସଂପୂର୍ଣ୍ଣ ‌ଆସ୍ଥା ହରାଇଛି ଜି-୨୩ ଗୋଷ୍ଠୀ ।

ତେବେ ଏଥର ସେମାନଙ୍କ ଟାର୍ଗେଟରେ ଗାନ୍ଧି ପରିବାର ନୁହନ୍ତି ବରଂ କଂଗ୍ରେସ ନେତୃତ୍ୱକୁ ଭ୍ରମରେ ରଖୁଥିବା ଚାଟୁକାର ଗୋଷ୍ଠୀ । ବାସ୍ତବତା ସଂପର୍କରେ ଦଳୀୟ ନେତୃତ୍ୱକୁ ଅବଗତ ନକରି ଗାନ୍ଧୀ ଅନୁଗତ ସବୁବେଳେ କାମଚଳା ପଦକ୍ଷେପ ନେଉଥିବା ଅଭିଯୋଗ କରିଛନ୍ତି ।

Advertisment

ଗାନ୍ଧୀ ପରିବାର ଦଳୀୟ ପଦପଦବୀରେ କେବଳ ନିଜ ଅନୁଗତଙ୍କୁ ବସାଇଥିବା ଜି-୨୩ ଗୋଷ୍ଠୀ ଅଭିଯୋଗ କରିଛି । ତେଣୁ ତୁରନ୍ତ ସେମାନଙ୍କୁ ପଦରୁ ହଟାଇବା ସହ ବାସ୍ତବତାକୁ ଗ୍ରହଣ ଲାଗି ସୋନିଆଙ୍କୁ ମେସେଜ୍ ଦିଆଯାଇଛି । ଚାଟୁକାରଙ୍କୁ ହଟାଇ ଦଳ କିଭଳି ପୁନର୍ଜୀବିତ ହେବ ସେନେଇ ପଦକ୍ଷେପ ନନେଲେ ସେମାନଙ୍କୁ ବିକଳ୍ପ ପଦକ୍ଷେପ ନେବାକୁ ପଡିବ ବୋଲି ଗୋଷ୍ଠୀ ସ୍ପଷ୍ଟ କରିଦେଇଛି ।

ଜି-୨୩ ଗୋଷ୍ଠୀର ଏଭଳି ସଳଖବାର୍ତ୍ତାରୁ ଏହା ସ୍ପଷ୍ଟ ଯେ, ଆଗାମୀ ଦିନରେ ଦୁଇ ଭାଗ ହେବାକୁ ଯାଉଛି କଂଗ୍ରେସ । ଆତ୍ମ ଅଭିମାନ ଛାଡ଼ି ସୋନିଆ, ରାହୁଲ ଓ ପ୍ରିୟଙ୍କା ଯଦି ବରିଷ୍ଠଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ହେବ । ଦଳୀୟ ନେତୃତ୍ୱରୁ ଓହରି ଯିବା ସହ ଗଣତାନ୍ତ୍ରିକ ଉପାୟରେ ସାଂଗଠନିକ ପଦପଦବୀ ପୂରଣ ଲାଗି ରାଜି ହୁଅନ୍ତି, ତେବେ ଦଳର ହୃତ ଗୌରବ ଫେରାଇ ଆଣିବା ଲାଗି ବିଶେଷ ଅସୁବିଧା ହେବନି ବୋଲି ଏହି ନେତାମାନଙ୍କ ବିଶ୍ୱାସ ରହିଛି ।

Advertisment

ଜି-୨୩ ଗୋଷ୍ଠୀର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଖୁବ ଶୀଘ୍ର ସୋନିଆଙ୍କୁ ଭେଟି ନିଜ ନିଷ୍ପତ୍ତି ଜଣାଇବେ । ତେବେ ଗାନ୍ଧୀ ପରିବାର ଏହି ପ୍ରସ୍ତାବକୁ କିଭଳି ଗ୍ରହଣ କରୁଛି ଏବେ ତା ଉପରେ ନଜର ରହିଛି ।

୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଗୋଟିକ ପରେ ଗୋଟିଏ ରାଜ୍ୟରୁ ଦଳ କ୍ଷମତାଚ୍ୟୁତ ହେବା ସହ ଏବେ ଛତିଶଗଡ଼ ଓ ରାଜସ୍ଥାନକୁ ଛାଡି ଦେଲେ ଅନ୍ୟ କେଉଁଠି ଏକାକୀ ଶାସନ କ୍ଷମତାରେ ନାହିଁ । ବିଭିନ୍ନ ରାଜ୍ୟରେ ଗୋଷ୍ଠୀ କନ୍ଦଳ ଚରମସୀମାରେ ଥିବା ବେଳେ ବହୁ ବରିଷ୍ଠ ନେତା ଦଳ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ଏହାସତ୍ତ୍ୱେ ମଧ୍ୟ ଗାନ୍ଧୀ ପରିବାର ନିଜ ଅନୁଗତମାନଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରୁଥିବା ଅଭିଯୋଗ ହୋଇଆସୁଛି । ତାସହିତ ନିଷ୍ପତ୍ତି ନେବାରେ ସ୍ଥାଣୁତା ଗୁଲାମନବୀ ଆଜାଦଙ୍କ ଭଳି ଜି-୨୩ ଗୋଷ୍ଠୀର ବରିଷ୍ଠ ନେତାମାନଙ୍କୁ ଅତିଷ୍ଠ କରିଛି ।

ନିକଟରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସୋନିଆଙ୍କ ନେତୃତ୍ୱ ପ୍ରତି ଦଳ ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ପରେ ତତ୍ପର ହୋଇଛି ଜି-୨୩ ଗୋଷ୍ଠୀ । କଂଗ୍ରେସକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବି ସିଡବ୍ଲୁସି ସୋନିଆଙ୍କୁ ପୂର୍ଣ୍ଣ କ୍ଷମତା ଦେଇଥିଲା । ତେବେ ଏହା ପରେ ବର୍ଷିଥିଲେ ବରିଷ୍ଠ ନେତା କପିଲ ସିବଲ । ସେ ସବକି କଂଗ୍ରେସ ଚାହାଁନ୍ତି, ଘରକି କଂଗ୍ରେସ ନୁହେଁ ବୋଲି ଟୁଇଟ୍ କରିବା ସହ ଗାନ୍ଧୀ ପରିବାର କ୍ଷମତାରୁ ହଟି ଯାଆନ୍ତୁ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଥିଲେ ।

ସେହିପରି ଆପେ ଆପେ କୌଣସି ଚମତ୍କାର ହୋଇଯିବ ବୋଲି କଂଗ୍ରେସ ନେତୃତ୍ୱ ଭ୍ରମରେ ଥିବା କହିଥିଲେ ସିବଲ । ଏହାପରେ ଅଶୋକ ଗେହଲଟ ଓ ଅଧୀର ରଂଜନ ଚୌଧୁରୀଙ୍କ ଭଳି ଗାନ୍ଧୀ ଅନୁଗତ ତାଙ୍କ ଉପରେ ଜୋରଦାର ପ୍ରତି ଆକ୍ରମଣ କରିଥିଲେ । ଏସବୁ ଭିତରେ ସୋନିଆ କ୍ଷମତା ମୋହ ଛାଡି ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନେଉଛନ୍ତି, ନା ରାହୁଲଙ୍କୁ ଯେକୌଣସି ପ୍ରକାରେ କଂଗ୍ରେସ ନେତୃତ୍ୱ ଶୀର୍ଷରେ ରଖିବାକୁ ଉଦ୍ୟମ କରୁଛନ୍ତି ତା ଉପରେ ନଜର ରହିଛି ।

Sonia Gandhi G-23 Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ