Advertisment

ଧାମନଗର ଉପନିର୍ବାଚନ: ‘ବଢି ସମସ୍ୟାର ସମାଧାନ ନାହିଁ ତ ଭୋଟ୍ ବି ନାହିଁ’

କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି ।

Dhamnagar By-Poll

Dhamnagar By-Poll

Advertisment

୨ହଜାର ମସିହା ପରଠୁ କୌଣସି ପ୍ରାର୍ଥୀଙ୍କୁ ବି ବିଧାୟକଭାବେ ରିପିଟ୍ କରିନାହାନ୍ତି ଧାମନଗରବାସୀ । କୁହାଯାଉଛି ଏହାର ମୁଖ୍ୟ କାରଣ ହେଉଛି ନଈ ବଢି ସମସ୍ୟା । ପ୍ରତି ବର୍ଷ ବୈତରଣୀରେ ଘାଇ ହୋଇ ଏକର ଏକର ଜମିରେ ଫସଲ ନଷ୍ଟ ହୁଏ । ମାତ୍ର ନିରାକରଣ ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତି ନେତା ।

Advertisment

ଏଥର ବି ଦୁର୍ବଳ ନଦୀ ବନ୍ଧ ମୁଖ୍ୟ ପ୍ରସଙ୍ଗ ଭୋଟର କହିଛନ୍ତି । ବଢି ସମସ୍ୟାର ସମାଧାନ ନାହିଁ ତ ଭୋଟ୍ ବି ନାହିଁ । ଏପଟେ କିନ୍ତୁ ଜମିଲାଣି ପ୍ରଚାର ମଇଦାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଭଦ୍ରକରେ ବୈଠକ କରି ବିଜେପି କର୍ମୀଙ୍କୁ ଦେଇଛନ୍ତି ବିଜୟ ମନ୍ତ୍ର । ଅନ୍ୟ ପଟେ ଏହି ଆସନ କବଜା ଲାଗି ବିଜେଡି ଗଣ୍ଡା ଗଣ୍ଡା ମନ୍ତ୍ରୀଙ୍କୁ ଲଗାଇ ମଇଦାନ୍‌କୁ ଓହ୍ଲାଇଛି।

କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି । ପ୍ରତିବର୍ଷ କାଳ ସାଜୁଛନ୍ତି ବୈତରଣୀ ଓ ଶାଖା ନଈ । ବର୍ଷା ଋତୁ ଆସିବା କ୍ଷଣି ଧଡ ଧଡ ହୁଏ ଏଠିକାର ଚାଷୀଙ୍କ ଛାତି । ଚିନ୍ତା ବଢାଏ ଦୁର୍ବଳ ନଦୀ ବନ୍ଧ । ଘାଇ ହେବା ଯୋଗୁ ବନ୍ୟା ପାଣି ମାଡି ଏକର ଏକର ଜମିରେ ନଷ୍ଟ ହେଉଛି ଫସଲ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ । ତେଣୁ ଏଥର ନଈ ବଢି ଓ ଚାଷୀ ସମସ୍ୟା ବି ଏଠିକାର ମୁଖ୍ୟ ନିର୍ବାଚନୀ ମୁଦ୍ଦା ପାଲଟିଛି ।

Advertisment

ନଦୀ ବନ୍ଧ ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସମସ୍ୟା ଯାହାକୁ ତାହା । ୫୦ ବର୍ଷ ତଳେ ଯାଜପୁର ସହରକୁ ସୁରକ୍ଷା ଦେବା ଲାଗି ବୈତରଣୀର ବାମପଟେ ୩ଟି ଓ ଶାଖା ନଦୀ ଗେଙ୍ଗୁଟିରେ ୨ଟି ଏସ୍କେପ୍ ୱେ ଖୋଲାଯାଇଥିଲା ।  ଫଳରେ ସାମାନ୍ୟ ବନ୍ୟା ଜଳ ଆସିଲେ ବି ବୁଡି ଯାଉଛି ଧାମନଗର ଅଞ୍ଚଳ । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ।

ନିର୍ବାଚନ ସମୟରେ ଧାମନଗର ବଢି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଭୋଟ ମାଗନ୍ତି ପ୍ରାର୍ଥୀ । ମାତ୍ର ଜିତିବା ପରେ ପ୍ରତିଶ୍ରୁତି କଥା ଭୁଲି ଯାଆନ୍ତି । ସେଥିଲାଗି ଏଠି କାହାକୁ ବି ଦୁଇ ଥର ସୁଯୋଗ ଦେଇନାହାନ୍ତି ଭୋଟର । ତେଣୁ ଏଥର କାହାକୁ ବାଛିବେ ତାକୁ ନେଇ ବଢିଛି କଳ୍ପନାଜଳ୍ପନା ।

Advertisment

ଏପଟେ ଭୋଟରଙ୍କ ମନ ଜିଣିବା ଲାଗି ଲାଗି ପଡିଛନ୍ତି ବିଭିନ୍ନ ଦଳ ବିଜେପି, ବିଜେଡି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ । ନିଜ ନିଜ ରଣନୀତି ଅନୁସାରେ ଚଳାଇଛନ୍ତି ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଭଦ୍ରକରେ ବୈଠକ କରିବା ସହ କର୍ମୀଙ୍କୁ ଜିତିବାର ମନ୍ତ୍ର ଦେଇଛନ୍ତି । ଲମ୍ବା ଶାସନକାଳରେ ବିଜେଡି ଧାମନଗରକୁ ଉପେକ୍ଷା କରିଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଧାମନଗରବାସୀଙ୍କ ସମର୍ଥନ ଥିବା କହିଛି ବିଜେଡି ।

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନକୁ କବଜା କରିବା ଆଶାରେ ଶାସକ ବିଜେଡି । ମାତ୍ର ଏଠି  ବିରୋଧୀଙ୍କ ତୁଳନାରେ ବିଦ୍ରୋହୀ ଶାସକ ଦଳ ପାଇଁ ଅଡୁଆ ହେବେ ବୋଲି କୁହାଯାଉଛି । ଖାସ୍ କରି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଚର୍ଚ୍ଚା ହେଉଛି ।

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ରଶ୍ମୀରଞ୍ଜନ ଦାଶ, ଭୁବନେଶ୍ୱରରୁ ଜଗଦୀଶ ଦାସ)

Dhamnagar By-poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ