Odisha Politics: ସରକାର ବଦଳିବା ପରେ ବି ମଣ୍ଡି ପ୍ରତାରଣାର ଶିକାର ହେଉଛନ୍ତି ଚାଷୀ 

ଚାଷୀମାନଙ୍କ ଏଭଳି ସ୍ଥିତିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ଦଫା ଦାବୀ ନେଇ ପ୍ରତିବାଦ ଅନଶନ କରିବା ଘଟଣା ଦେଖାଦେଲା । ଏଭଳି କି ଜିଲ୍ଲାରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଦ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଛଦ୍ମବେଶରେ ଚାଷୀର ପରିଚୟ ଦେଇ ସ୍ଥିତି ପରଖିଲେ । ବାସୁଦେବପୁର ବ୍ଲକର ବିଭିନ୍ନ ମଣ୍ଡିସ୍ଥଳ ବୁଲି ଦେଖି ଅଭିଯୋଗରେ ସତ୍ୟତା ବାରିବା ସହିତ ନୋଟିସ ଜାରି କରିଥିଲେ । 

ଚାଷୀଙ୍କ ଭରସା ଜିତିବା ଜରୁରୀ

ନୂଆ ସରକାର ଆସିବା ପରେ ଆଉ କୌଣସି ମଣ୍ଡି ସମସ୍ୟା ଉପୁଜିବ ନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ଯେଉଁ ଧାରଣା ଦୃଢିଭୂତ ହୋଇଥିଲା ତାହାର ସ୍ପଷ୍ଟତା ଏବେ ସାମ୍ନାକୁ ଆସିବାରେ ଲାଗିଛି ! ଗତ ୨୪ ବର୍ଷର ବିଜେଡି ସରକାରରେ ଓଡ଼ିଶାର ଚାଷୀମାନଙ୍କ କ୍ଷେତ୍ରରେ ଅବ୍ୟବସ୍ଥା, ଦୁଃଖ, ଦୁର୍ଦ୍ଦଶା, ଅସୁବିଧା, ଅପଦସ୍ତରୁ ଉଦ୍ଧାର କରିବା ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନୀ ବୈତରଣୀ ପାର କଲାବେଳେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । 

ବିଜେପିର ଘୋଷଣା ଏକ ସ୍ପଷ୍ଟ ଧାରଣା ସୃଷ୍ଟି କରିଥିଲା ଯେ, ନବୀନ ସରକାରରେ କୃଷି କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ଦେଖାଯାଉଥିଲା, ଅନ୍ତତଃ ନୂଆ ସରକାରରେ ତାହା ଘଟିବ ନାହିଁ ! କୃଷକମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ । ତେବେ ଟୋକେନ୍, ମଣ୍ଡି, ମିଲର୍ସ ଘଟଣାରେ ଚାଷୀ ହନ୍ତସନ୍ତ ହେବା ଦେଖିବାକୁ ମିଳିଲା । ଯଦିଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ନିଷ୍ପତ୍ତିରେ ଉତ୍ସାହ ଦେଖାଦେଇଛି କିନ୍ତୁ ମଣ୍ଡି ପ୍ରସଙ୍ଗରେ ରାଜ୍ୟର ପ୍ରାୟ ସମସ୍ତ ଅଂଚଳରୁ ଚାଷୀଙ୍କ ଆନ୍ଦୋଳନ, ଅସନ୍ତୋଷ, ପ୍ରତିବାଦ, ରାସ୍ତା ଅବରୋଧ, ଅନଶନର ଚିତ୍ର ସାମ୍ନାକୁ ଆସିଛି । ସରକାର ସିନା ବଦଳିଲା ହେଲେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଦଳିଲାନି ବୋଲି କୁହାଯାଉଛି ।

କ’ଣ ଥିଲା ନିର୍ବାଚନୀ ପ୍ରତିଶ୍ରୁତି 

ନବୀନ ସରକାରରେ ମୁଖ୍ୟ ବିରୋଧୀଦଳର ଦାୟିତ୍ୱ ନିର୍ବାହ କରୁଥିବା ବିଜେପି ରାଜ୍ୟରେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଛି । ମଣ୍ଡି ଅବ୍ୟବସ୍ଥା, କଟଣୀ ଛଟଣୀ, ଟୋକେନ ଲାପ୍ସ, ମିଲର୍ସ ମନମାନୀ ପ୍ରସଙ୍ଗରେ ବିଧାନସଭା ଭିତରେ ଏବଂ ବାହାରେ ସରକାରଙ୍କୁ ଘେରିଛି । ତେଣୁ ଏହାକୁ ଦେଖି ନିର୍ବାଚନୀ ପ୍ରତିଶ୍ରୁତି ପ୍ରସ୍ତୁତ କରିଥିଲା ।

ବିଜେପି କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟଣୀ ଛଟଣୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ କ୍ୱିଂଟାଲ ପିଛା ୩୧ ଶହ ଟଙ୍କା ଦିଆଯିବ । ଚାଷୀର ରୋଜଗାର ୩ଗୁଣ ବଢିବ । ପ୍ରତି ବ୍ଲକରେ ଶୀତଳଭଣ୍ଡାର ହେବ । ଚାଷୀର ସମସ୍ତ ଜମି ଜଳସେଚନ କରାଯିବ । କୃଷକ ସମ୍ମାନ ଭତ୍ତା ସହିତ ଚାଷୀଙ୍କୁ ପାଂଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପଦାନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୀଟ, ପକ୍ଷୀ, ପଶୁଙ୍କ ଦ୍ୱାରା କ୍ଷତିଗସ୍ତ ଚାଷୀଙ୍କୁ ଶତପ୍ରତିଶତ କ୍ଷତିପୂରଣ ମିଳିବ ।

କ୍ଷେତରୁ ମଣ୍ଡି କଲବଲ ଚାଷୀ 

ଓଡିଶାରେ ନୂଆ ସରକାର ଆସିବାର ଗତ ୯ ମାସ ମଧ୍ୟରେ ଚାଷୀର ପ୍ରଥମ ଖରିଫ ସମୟକୁ ସାମ୍ନା କରିଛନ୍ତି । କ୍ଷେତରୁ ମଣ୍ଡି ଯାଏଁ ଚାଷୀର ଯନ୍ତଣାଦାୟକ ଘଟଣା ଦେଖିଛନ୍ତି । ନିଅଣ୍ଟିଆ ବର୍ଷା ଏବଂ ମରୁଡି ସ୍ଥିତି ପରେ ଅଚାନକ ଅମଳ ସମୟରେ ୮ ଦିନଧରି ଅଦିନିଆ ବର୍ଷା ଯୋଗୁ ରାଜ୍ୟର ଷୋହଳଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଦେଖାଦେଲା । ଆଖିଆଗରେ ବର୍ଷକର ଅମଳ ବର୍ଷା ପାଣିରେ ଡୁବିବାର ହଦୟବିଦାରକ କଷ୍ଟକୁ ସହିନପାରି କେତେକ ଚାଷୀ ଜୀବନ ହାରିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀ, ଅଧିକାରୀ ବିଭିନ୍ନ ଜିଲ୍ଲା ଗସ୍ତକରି ଫସଲ କ୍ଷୟକ୍ଷତି ବୁଲି ଦେଖିଲେ । 

ପାଖାପାଖି ୬ ଲକ୍ଷ ଚାଷୀ କ୍ଷତି ସହିଥିବାବେଳେ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଲେ । ଏଥିପାଇଁ ୨୯୨ କୋଟିର କ୍ଷତିପୂରଣ ରାଶି ଷୋଷଣା କଲେ । ତେବେ ଅଦିନିଆ ବର୍ଷା ଆରମ୍ଭରୁ ଫସଲ କ୍ଷୟକ୍ଷତି ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ, ସରକାର ସବୁ ବୁଝିବେ ବୋଲି ଚାଷୀମାନଙ୍କୁ ଯଦି ବିଶ୍ୱାସ ଦିଆଯାଇଥାନ୍ତା ତାହେଲେ ହୁଏତ ଚାଷୀ ମୃତ୍ୟୁ ରୋକାଯାଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଲା ।

ସରକାରଙ୍କ ପ୍ରଥମ ମଣ୍ଡି ଅଭିଜ୍ଞତା 

ଏସବୁ ଚିନ୍ତା, ଦୁଃଖ, ଦୁର୍ଦ୍ଦଶାରୁ ନିଜ ଫସଲକୁ ଉଦ୍ଧାର କରି ଚାଷୀ ମଣ୍ଡିରେ ପହଂଚିଲା ବେଳକୁ ସେଠାରେ ପୁଣି ଟୋକେନ୍ ଅବ୍ୟବସ୍ଥା, ମଣ୍ଡି ଅବ୍ୟବସ୍ଥା, କଟଣୀ ଛଟଣୀ, ଏଫ୍ଏକ୍ୟୁ ମାନ, ମିଲର ମନମାନୀ ଆଦି ସମସ୍ୟାକୁ ସାମ୍ନା କରିବାକୁ ପଡିଲା । ବରଗଡରୁ ରାଜ୍ୟର ପ୍ରଥମ ମଣ୍ଡି ପ୍ରକ୍ରିୟା ସରକାର ଆରମ୍ଭ କଲେ । ସେଠାରେ ଚାଷୀଙ୍କ ପାଇଁ ବିଶ୍ରାମ, ପଙ୍ଖା, ପିଇବା ପାଣି, ସିସିଟିଭି କ୍ୟାମେରା ଆଦିର ସୁବିଧା ସହିତ ମଣ୍ଡି ପରିଚାଳନାକୁ ସୁନିଶ୍ଚିତ କରାଯାଇଥିଲା । ତେବେ ଏହା ପରେ ବରଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟାପକ ମଣ୍ଡି ଅବ୍ୟବସ୍ଥା, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ, ଉତ୍ତେଜନା, ପ୍ରତିବାଦ ରାସ୍ତାରୋକ ଆଦି ଘଟଣା ସାମ୍ନାକୁ ଆସିବାରେ ଲାଗିଲା । 

ଚାଷୀମାନଙ୍କ ଏଭଳି ସ୍ଥିତିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ଦଫା ଦାବୀ ନେଇ ପତିବାଦ ଅନଶନ କରିବା ଘଟଣା ଦେଖାଦେଲା । ଏଭଳି କି ଜିଲ୍ଲାରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଦ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଛଦ୍ମବେଶରେ ଚାଷୀର ପରିଚୟ ଦେଇ ସ୍ଥିତି ପରଖିଲେ । ବାସୁଦେବପୁର ବ୍ଲକର ବିଭିନ୍ନ ମଣ୍ଡିସ୍ଥଳ ବୁଲି ଦେଖି ଅଭିଯୋଗରେ ସତ୍ୟତା ବାରିବା ସହିତ ନୋଟିସ ଜାରି କରିଥିଲେ । 

ଚାଷୀଙ୍କ ଭରସା ଜିତିବା ଜରୁରୀ

କେଉଁଠି ଶହ ଶହ କ୍ୱିଂଟାଲ ଧାନ ବସ୍ତା ଥୋଇ ମିଲରଙ୍କ ବାଟକୁ ଅନାଇ ବସିଛି ଚାଷୀ, ଆଉ କେଉଁଠି ମଣ୍ଡି ବଦଳରେ ଧାନବସ୍ତା ଥୋଇ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛି ଚାଷୀ। ପ୍ରାୟ ୮ରୁ ପନ୍ଦର କେଜି ଧାନ ମିଲର କାଟୁଥିବା ଅନେକ ସ୍ଥାନରେ ଅଭିଯୋଗ ହେଉଥିବା ବେଳେ, ପୁଣି କେଉଁଠି ଏଫ୍ଏକ୍ୟୁ ମାନ ଖରାପ ଦର୍ଶାଇ ଧାନ ଫେରାଇଦେଉଛନ୍ତି ମିଲର୍ସ । ଉପକୂଳରୁ ଉପାନ୍ତ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ପୁଳା ପୁଳା ଅଭିଯୋଗ ଗତ ଏକମାସରୁ ଅଧିକ ଦିନ ହେବ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବାରେ ଲାଗିଛି । ଚାଷୀ ଏଭଳି ସମସ୍ୟାର ସାମ୍ନା ଯେଭଳି ପୁନର୍ବାର ନକରନ୍ତି ତାହାକୁ ସୁଚିଶ୍ଚିତ କରି ନୂଆ ସରକାର ରାଜ୍ୟର ଚାଷୀମାନଙ୍କ ଭରସା ଜିତିବା ଜରୁରୀ ହୋଇପଡ଼ିଛି ।