ମୋଦିଙ୍କ ବଦଳରେ ବିଦେଶ ମନ୍ତ୍ରୀ !! ପାକିସ୍ତାନ ଯିବେ ଏସ୍. ଜୟଶଙ୍କର

ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।

S Jaishankar

ପାକିସ୍ତାନ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ସାଙ୍ଘାଇ ସହଯୋଗ ସଂଗଠନ- SCO ବୈଠକରେ ଭାଗ ନେବା ଲାଗି ପାକିସ୍ତାନ ଯିବେ ଜୟଶଙ୍କର । ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବ SCO ରାଷ୍ଟ୍ରମୁଖ୍ୟଙ୍କ ବୈଠକ । ଜୟଶଙ୍କରଙ୍କ  ଗସ୍ତ ନେଇ ଆଜି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ।

୧୦ ବର୍ଷ ପରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଯାଉଛନ୍ତି । ପୂର୍ବରୁ ୨୦୧୫ରେ ତତ୍କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଆଫଗାନିସ୍ତାନ ପ୍ରସଙ୍ଗରେ ଆୟୋଜିତ ବୈଠକରେ ଭାଗ ନେବା ଲାଗି ପାକିସ୍ତାନ ଯାଇଥିଲେ । ଏସସିଓ ରାଷ୍ଟ୍ର ମୁଖ୍ୟ ବୈଠକରେ ବ୍ୟକ୍ତିଗତ ଭାବେ ଯୋଗ ଦେବା ଲାଗି ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲା ।

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତ ଦ୍ୱିପାକ୍ଷିକ ସମ୍ପର୍କ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଯିବେ ନାହିଁ । ତାଙ୍କ ବଦଳରେ ଜୟଶଙ୍କର ଏହି ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ । ପାଳି ଅନୁସାରେ ପାକିସ୍ତାନ ଏଥର ଏସସିଓ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଆୟୋଜନ କରୁଛି । ଗତ ବର୍ଷ ଭାରତ ଭର୍ଚୁଆଲ୍ ମୋଡରେ ଏସସିଓ ବୈଠକର ଆୟୋଜନ କରିଥିଲା ।

ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ଭିଡିଓ ଲିଙ୍କରେ ଭାଗ ନେଇଥିଲେ । ତେବେ ୨୦୨୩ ମସିହା ମେ ମାସରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ବିଲୱାଲ ଜର୍ଦ୍ଦାରୀ ଭାରତ ଆସିଥିଲେ । ଗୋଆରେ ଆୟୋଜିତ ଏସସିଓ ବିଦେଶ ମନ୍ତ୍ରୀ ବୈଠକରେ ସେ ଅଂଶଗ୍ରହଣ କରିଥିଲେ ।ଏସସିଓରେ ଭାରତ ଓ ପାକିସ୍ତାନ ବ୍ୟତୀତ ଋଷିଆ, ଚାଇନା, କିରଗିଜସ୍ତାନ, କାଜଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସଦସ୍ୟ ଅଛନ୍ତି ।