ଥିଲେ ବିଧାୟକ, ପାଇଥିଲେ ମନ୍ତ୍ରୀଙ୍କ କ୍ଵାର୍ଟର ? ଏବେ ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ।

Pranab Prakash Das

କାଟତି ଦେଖାଇ ପ୍ରଥମେ ବଡ଼ କ୍ବାର୍ଟର୍ସ ଦଖଲ କଲେ, ପରେ ସେଥିରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ନିର୍ମାଣ ଏବଂ ଏବେ ସବୁ ଲୁଚାଇବାକୁ ଧ୍ୱଂସ କରିବାକୁ ଉଦ୍ୟମ। ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦି ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା। ଆଇନଜୀବୀ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ କହିଛନ୍ତି, ବବି ଦାସ, ସଂପୃକ୍ତ ଜିଏ ଅଧିକାରୀ ଏବଂ ଇଷ୍ଟେଟ୍ ଅଧିକାରୀଙ୍କ ବିରୋଧରେ ତୁରନ୍ତ କ୍ରିମିନାଲ କେସ୍ କରାଯିବା ଉଚିତ।

ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦି ବିରୋଧରେ କଣ ହେବ କାର୍ଯ୍ୟାନୁଷ୍ଠାନ ? ଆଇନରେ କଣ ରହିଛି ଦଣ୍ଡ ବ୍ୟବସ୍ଥା ?

ବରିଷ୍ଠ ଆଇନଜୀବୀ କହିଛନ୍ତି, ବିଡିଏ ରୁଲ୍ ଉଲ୍ଲଂଘନ କରିଛନ୍ତି ପ୍ରଣବ ? ଏଥିସହ ସରକାରୀ ଜମି ନଷ୍ଟ, ଅର୍ଥ ତୋଷାରପାତ, ଠକେଇ ଏବଂ କ୍ରିମିନାଲ କେସ୍ ବି ହୋଇପାରିବ। କାରଣ, କ୍ୱାର୍ଟରର ମାଲିକ ସରକାର। ପ୍ରଣବ ଭଡାଟିଆ ଭଳି। ଯଦି କ୍ୱାର୍ଟରରେ ପ୍ରଣବ ନିଜ ପାଇଁ କିଛି ନିର୍ମାଣ କରିଛନ୍ତି, ତେବେ ତାହା ସରକାରୀ ଜମିରେ ହୋଇଥିବାରୁ ତାର ମାଲିକ ସରକାର। କେବଳ ଘରର ଆସବାବପତ୍ର ତାଙ୍କର। ଭଡାଟିଆଙ୍କ କର୍ତ୍ତୃତ୍ୱ ନାହିଁ ଘର ଭାଙ୍ଗିବାକୁ। ଯାହା କରିବେ ସରକାର କରିବେ। ଏମିତି କରି ସରକାର ସମ୍ପତ୍ତି ନଷ୍ଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ।

ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଆଲିସାନ ବଙ୍ଗଳା ନିର୍ମାଣ ଓ ପରେ ବିଳାସୀ ଅସ୍ତିତ୍ୱକୁ ଧୂଳିସାତ୍ ଉଦ୍ୟମକୁ ନେଇ ସାଧାରଣ ପ୍ରଶାସନ ବିଭାଗ କିନ୍ତୁ ଚୁପ୍। ଗତକାଲି ଜିଏ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଆଜି ବିଭାଗ ପୁରା ନିରବ।

ସରକାରୀ କ୍ୱାର୍ଟର୍ସରେ ମରାମତି ନେଇ ପୁରା ପ୍ରକ୍ରିୟା କଣ ?

ପ୍ରଥମେ ଜିଏ ବିଭାଗରେ ଆବେଦନ କରିବାକୁ ପଡିବ। କଣ ନିର୍ମାଣ କରିବେ, ତାର ଅବଶ୍ୟକତା ଅଛି କି ନାହିଁ, କେତେ ଟଙ୍କା ଖର୍ଚ୍ଚ ହୋଇପାରିବ, ଇଷ୍ଟେଟ୍ ଅଫିସର ଏସବୁର ଅନୁଧ୍ୟାନ କରିବା ପରେ କ୍ୱାର୍ଟର୍ସ ମରାମତି ଅନୁମତି ମିଳିଥାଏ। ଏବଂ ଏଥିପାଇଁ, ସରକାରଙ୍କ ତହବିଲରୁ ଟଙ୍କା ଆସିଥାଏ। ସୂଚନା ଅନୁସାରେ, ପ୍ରଣବ ପ୍ରକାଶଙ୍କ କ୍ୱାର୍ଟର୍ସ ମରାମତି ବାବଦରେ ୯ ଲକ୍ଷ ଟଙ୍କାର ଖର୍ଚ୍ଚ ଦେଖାଯାଇଥିଲା।

ହେଲେ ବବି ଦାସଙ୍କ ବିଳାସପୂର୍ଣ୍ଣ ନିର୍ମାଣ କିନ୍ତୁ ଭିନ୍ନ କଥା କହୁଛି। ତିନି ମହଲାର ଷ୍ଟିଲ୍ ଷ୍ଟ୍ରକଚରରେ ନିର୍ମିତ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ଘର, କ୍ୱାର୍ଟର ପରିସରରରେ ଆଖି ଖୋସିହେଲା ଭଳି ସୌନ୍ଦର୍ଯ୍ୟକରଣ, ଟ୍ରି ହାଉସ୍, କ୍ୱାର୍ଟର କାନ୍ଥରେ ଇଟାଲିଆନ୍ ଉଡ୍, ଫ୍ଲୋରରେ ଦାମୀ ମାର୍ବଲ ଏବଂ ୱିଣ୍ଡୋ ଗ୍ଲାସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସହଜରେ ଅନୁମାନ କରିହେଉଛି। ପୂର୍ବତନ ପ୍ରଶାସନିକ ଅଧିକାରୀ ବି କହିଛନ୍ତି, ସରକାରୀ ଜାଗାରେ ବେଆଇନ୍ ନିର୍ମାଣ କରିବା ଏବଂ ଭାଙ୍ଗିବା ଦୁଇଟାଯାକ ଅପରାଧ। ଏଥିପାଇଁ ତତକାଳୀନ ଇଷ୍ଟେଟ୍ ଅଫିସର, ଜିଏ ବିଭାଗ ଅଧିକାରୀ ଏବଂ ଖୋଦ୍ ପୂର୍ବତନ ବିଧାୟକ ଉତ୍ତରଦାୟୀ।

ଏବେ ଅପେକ୍ଷା ବିଜେଡିର ପାୱାରଫୁଲ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ କେବେ ଏବଂ କଣ ହେଉଛି କାର୍ଯ୍ୟାନୁଷ୍ଠାନ।

 

 

ସରକାରୀ ଜାଗାରେ ବବିଙ୍କ କାରସାଦି
ବିଳାସପୂର୍ଣ୍ଣ ନିର୍ମାଣ ଓ ଧ୍ବଂସ ପାଇଁ ହେବ କି କାର୍ଯ୍ୟାନୁଷ୍ଠାନ ?
ଆଇନଜୀବୀ କହିଲେ ଲାଗିପାରିବ ଅପରାଧିକ ମାମଲା
ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମତ, ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ
'ବିଡିଏ ରୁଲ୍ ଉଲ୍ଲଂଘନ କରିଛନ୍ତି ପ୍ରଣବ'

'ସରକାରୀ ଜାଗାରେ ନିର୍ମାଣ ଓ ଭାଙ୍ଗିବା, ଅପରାଧ'