• Astrospeak
  • Live TV
  • Read In English

Mohan-Manmohan Duo: ନୂଆ ମୋଡ଼ରେ ରାଜନୀତି: ମୋହନ ଓ ମନମୋହନଙ୍କ ଟାର୍ଗେଟ୍ ୨୦୨୯

ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ । ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ ।

BJP
ବିଜେପି

ଓଡ଼ିଶା ରାଜନୀତି ଏବେ ଏକ ନୂଆ ମୋଡ଼ରେ । ଗତ ବର୍ଷ ବିଜୁ ଜନତା ଦଳର ୨୪ ବର୍ଷ ଶାସନର ଅନ୍ତ ଘଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଶାସନ ଆରମ୍ଭ ହୋଇଥିଲା । ଏହି ଏକ ବର୍ଷ ଶାସନ କାଳରେ ଅନେକ କିଛି ଘଟଣା ଓ ଦୁର୍ଘଟଣା ଘଟିଛି । ଏହି ସବୁ ଘଟଣାଗୁଡିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଥା ସମ୍ଭବ ଠିକଣା ଭାବରେ ମୁକାବିଲା କରିବାକୁ ଚେଷ୍ଟା କରିଛନ୍ତି ।

ଏହାରି ମଧ୍ୟରେ ମୋହନଙ୍କ ସହିତ ଆନୁଷ୍ଠାନିକ ଭାବେ ନବନିର୍ବାଚିତ ରାଜ୍ୟ ସଭାପତି ମନମୋହନ ସାମଲ ଯୋଡି ହୋଇଛନ୍ତି । ଯଦିଓ ସେ ନିର୍ବାଚନ ପୂର୍ବରୁ ସଭାପତି ଥିଲେ, ତାହା ଅନୌପଚାରିକ ଥିଲା ।
କୌଣସି ଏକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବୈଧାନିକ ତଥା ନୈତିକ ସୁଯୋଗର ଆବଶ୍ୟକତା ରହିଛି। ଏବେ ଏହି ସୁଯୋଗ ମନମୋହନଙ୍କୁ ମିଳିବା ପରେ ମୋହନ ମାଝୀଙ୍କ ସହିତ ତାଙ୍କର ଯୁଗଳବନ୍ଦୀ ଆରମ୍ଭ ହୋଇଛି ।
ମନମୋହନ ପୁରୁଣା ଯୁଦ୍ଧ ଅଶ୍ୱ ବା ଓଲ୍ଡ ୱାର ହର୍ସ। ଅତୀତରେ ସେ ଦଳକୁ ୧୯୯୯ ଓ ୨୦୦୦ ମସିହାରେ ବିପୁଳ ବିଜୟ ଆଣି ଦେଇଛନ୍ତି । ୧୯୯୯ ମସିହାରେ ସେ ଯେତେବେଳେ ଦଳର ଦାୟିତ୍ୱ ନେଲେ, ସେତେବେଳେ ଓଡ଼ିଶାରେ ବିଜେପି ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କଲା । ୨୦୦୦ ମସିହାରେ ଦଳ ୬୪ ବିଧାନସଭା ଆସନ ଲଢ଼ି ୩୮ଟି ରେ ବିଜୟ ଲାଭ କରିଥିଲା। ସେହିପରି ୨୦୦୪ରେ ସମାନ ସଂଖ୍ୟକ ଆସନ ଲଢ଼ି ୩୬ଟିରେ ଜିତିଥିଲା ।
୨୦୦୯ ମସିହାରେ ବିଜେପିକୁ ବିଜେଡ଼ି ୧୧ ବର୍ଷର ମେଣ୍ଟରୁ ବିଦା କରିବା ପରେ ଦଳ ଏକ ଦୟନୀୟ ରାଜନୈତିକ ସ୍ଥିତିକୁ ଚାଲିଯାଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ଦଳ ଭଲ ପ୍ରଦର୍ଶନ ଦେଇପାରୁନଥିଲା । ୨୦୨୩ ମସିହାରେ ମନମୋହନଙ୍କୁ ପୁଣି ଥରେ ସଭାପତି ଦାୟିତ୍ୱ ଦେଲା ପରେ ଦଳର ପୁନଃ ଅଭ୍ୟୁଦୟ ଆରମ୍ଭ ହୋଇଥିଲା । ତାଙ୍କର ଶାଣିତ ଆକ୍ରମଣାତ୍ମକ ଶୈଳୀ ସରକାରରେ ଥିବା ବିଜେଡ଼ିକୁ ଏକ ପ୍ରକାର ଧିରେଧିରେ କ୍ଷତି ପହଞ୍ଚାଇବା ଆରମ୍ଭ କଲା । ଷଷ୍ଠ ଥର ପାଇଁ ପୁଣି ଥରେ ଶାସନରେ ବସିବା ସ୍ୱପ୍ନ ଦେଖୁଥିବା ନବୀନ ପଟ୍ଟନାୟକ ବିଜେପିର ବର୍ଦ୍ଧିତ ଶକ୍ତିକୁ ଆକଳନ କରିପାରିନଥିଲେ ଏବଂ ଶେଷରେ ପରାସ୍ତ ହୋଇ ଗାଦିଚ୍ୟୁତ ହେଲେ ।
ବିଗତ ଗୋଟିଏ ବର୍ଷରେ ମୋହନ ସରକାର ବିଜେପି ଦେଇଥିବା ୨୧ ମୁଖ୍ୟ ପ୍ରତିଶ୍ରୁତିରୁ ୧୧ଟି ପାଳନ କରିସାରିଛି । ବାକି ଚାରିବର୍ଷ ମଧ୍ୟରେ ଅନ୍ୟାନ୍ୟ ପ୍ରତିଶ୍ରୁତି ପୂରଣ ସହିତ ଆହୁରି କିଛି ଲୋକାଭିମୁଖୀ ଯୋଜନାମାନ ପ୍ରଣୟନ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପ୍ରତିଶ୍ରୁତି ଦେଇଛି ।
ଏବେ ବିଭିନ୍ନ ମହଲରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ମୋହନ ସରକାର ଠିକ୍ ଚାଲୁଛି ତ ? ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଠିକଣା ଭାବେ ଶାସନ ଚଲାଉଛନ୍ତି ତ ? ଅଫିସରମାନେ ସରକାରଙ୍କ କଥା ଶୁଣୁଛନ୍ତି ନା ପୂର୍ବବତ୍ ନିଜ ଢଙ୍ଗରେ ଶାସନ ଚଳାଉଛନ୍ତି ?
ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆମକୁ ଜାଣିବାକୁ ପଡ଼ିବ ଯେ ରାଜ୍ୟରେ ବିଜେଡ଼ି ଶାସନ ୨୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଥିଲା । ସେତେବେଳେ ଯେଉଁମାନେ ନୂଆ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ, ଆଜି ସେମାନେ କ୍ୟାରିୟରର ସର୍ବୋଚ୍ଚ ଆସନରେ ବସିଲେଣି ବା ବସିବାକୁ ଯାଉଛନ୍ତି । ପ୍ୟାରୀମୋହନ ମହାପାତ୍ର ଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଯେଉଁ ରାଜନୈତିକ ସଂସ୍କୃତି ତିଆରି କରିଦେଇ ଯାଇଥିଲେ, ସେହି ଢାଞ୍ଚାରେ ସେମାନେ ପଡ଼ିଯାଇଛନ୍ତି ଏବଂ ସେହି ମାନସିକତା ନେଇ ଚାଲୁଛନ୍ତି । ଅବଶ୍ୟ ସବୁ ଅଧିକାରୀ ଏହି ସଂସ୍କୃତିର ଉପାସକ ନୁହଁନ୍ତି । ଅନେକ ସ୍ୱାଧୀନଚେତା ଅଛନ୍ତି । ଯେଉଁମାନେ ପ୍ୟାରୀ ଓ ପାଣ୍ଡିଆନ୍‌ଙ୍କ ସଂସ୍କୃତିରେ ବଢିଛନ୍ତି, ସେମାନଙ୍କୁ ନୂଆ ଢାଞ୍ଚାକୁ ଆପଣାଇବା ପାଇଁ ସମୟ ଦରକାର ।
ମନମୋହନ ଜଣେ ପୁରୁଣା ରାଜନୈତିକ ଖେଳାଳି । ପୂର୍ବରୁ ସେ ୨୦୦୪ରୁ ୨୦୦୯ ମଧ୍ୟରେ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଥିଲେ । ସେତେବେଳେ ମେଣ୍ଟ ସରକାରଙ୍କର ସେ ଦ୍ୱିତୀୟ କ୍ଷମତାଶାଳୀ ମନ୍ତ୍ରୀ ରହିଥିଲେ । ଅଫିସରମାନେ ତାଙ୍କ ଅଧିନରେ ଅତ୍ୟନ୍ତ ଆନୁଗତ୍ୟପୂର୍ଣ୍ଣ ଭାବରେ କାର୍ଯ୍ୟକରୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଯେହେତୁ ସେ ମୁଖ୍ୟ ନାଉରୀ ଭାବରେ ଦାୟିତ୍ୱ ନେଇଛନ୍ତି, ସରକାରଙ୍କ ଡଙ୍ଗାକୁ ସ୍ଥିର ତଥା ନିର୍ଦ୍ଧିଷ୍ଟ ଦିଗ ଓ ଲକ୍ଷ୍ୟରେ ତାଙ୍କୁ ଚଲାଇବା ପାଇଁ ସେତେଟା ଅସୁବିଧା ହେବ ନାହିଁ ବୋଲି ମନେକରାଯାଏ ।
ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ ।
ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ । ଜଣେ ପରିପକ୍ୱ ତଥା ଅଭିଜ୍ଞ କ୍ୟାପ୍‌ଟେନ୍‌ଙ୍କ ନେତୃତ୍ୱରେ ଭରସାର ସହିତ ଆଗକୁ ବଢିବା ସହିତ ଜିତାପଟ୍ ହାସଲ କରାଯାଇ ଇତିହାସ ଲେଖାଯାଇପାରେ ସେ ଏ କଥା ଭଲଭାବରେ ଜାଣିଛନ୍ତି । ତେଣୁ ଦୁହିଁଙ୍କ ମଧ୍ୟରେ ଏକ ଭଲ ଯୁଗଳବନ୍ଦୀ ହେବାର ସମ୍ଭାବନା ସୃଷ୍ଟି ହେବା ସହିତ ଆସନ୍ତା ଦିନରେ ରାଜ୍ୟ ଏକ ସମ୍ଭାବନାମୟ ଯୁଗରେ ପଦାର୍ପଣ କରିବା ସୁଯୋଗ ରହିଥିବା କୁହାଯାଇପାରେ ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ । 

ଅଧିକ ପଢ଼ନ୍ତୁ: ବିଜେଡି ଛାଡ଼ିଲେ, କଂଗ୍ରେସରେ ମିଶିଲେ: ଚିତ୍କାର କରି କହିଲେ ଶଙ୍ଖଘରର ଗୁମର କଥା