Advertisment

ନିର୍ବାଚନ ଆସୁଛି, ରାଜନୀତି ବଢ଼ୁଛି

ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ

ଅଦ୍ୟତନ ହୋଇଛି
ନିର୍ବାଚନ ଆସୁଛି, ରାଜନୀତି ବଢ଼ୁଛି

Politics On Public

Advertisment

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ। ଏଣେ ବିଜେଡି ସୁପ୍ରିମୋ ନିଜେ ଦଳର ନେତା ଓ ମନ୍ତ୍ରୀଙ୍କୁ ଧରି ଆରମ୍ଭ କଲେଣି ସଂଗଠନ ମଜଭୁତର ମନ୍ତ୍ରଣା।

Advertisment

ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ। ରାଜ୍ୟ ସରକାର-ଟାଟା ପାଓ୍ୱାର ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ତୀବ୍ର ବିରୋଧ କରିଛି ଦଳ। ତାସହ ଗତ ୬ ମାସରେ ଦୁଇ ଦୁଇ ଥର ବଢ଼ିଥିବା ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ସାଙ୍ଗକୁ ବିଭିନ୍ନ ସମୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନର ହିସାବ ବି ରାଜ୍ୟ ସରକାରଙ୍କୁ ମାଗିଛି। ଏସବୁ ଦାବିରେ ଆସନ୍ତା ୧୬ରୁ ୨୦ ଯାଏଁ ସବୁ ଜିଲ୍ଲା ମୁଖ୍ୟାଳୟରେ କ୍ୟାଣ୍ଡେଲ ମାର୍ଚ୍ଚ କରିବା ସହ ବିଦ୍ୟୁତ ଅଫିସ୍ ଆଗରେ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ସେପଟେ ତୈଳ ଦରବୃଦ୍ଧି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱରକୁ ଶାଣିତ କରିଛି କଂଗ୍ରେସ। ପାର୍ଟି ଅଫିସରୁ ବାହାରି ଥିବା ସାଇକେଲ ଏବଂ ଟ୍ରଲି ରାଲି ସହରର ବିଭିନ୍ନ ସ୍ଥାନରେ ପରିକ୍ରମା କରିଥିଲା ଆଜି। ସେହିପରି ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ବି ମହିଳା କଂଗ୍ରେସ କର୍ମୀମାନେ ସିଲିଣ୍ଡର ମୁଣ୍ଡେଇ କୀର୍ତ୍ତନ କରି ପ୍ରତିବାଦ ଜଣାଇଥିଲେ। ତାସହ ଆସନ୍ତାକାଲି ପେଟ୍ରୋଲ, ଡିଜେଲ୍ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦଲ ବୃଦ୍ଧି ପ୍ରତିବାଦରେ ବାମଦଳମାନଙ୍କ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦକୁ ମଧ୍ୟ ସମର୍ଥନ କରିଛି କଂଗ୍ରେସ।

Advertisment

ୟା ଭିତରେ ବିଜେଡି ସୁପ୍ରିମୋ ନବୀନ ନିଜେ କରିଛନ୍ତି ଜିଲ୍ଲାଓ୍ୱାରୀ ସମୀକ୍ଷା। ଗତକାଲି ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ମନ୍ତ୍ରୀ, ଦଳୀୟ ବିଧାୟକ, ଜିଲ୍ଲା ସଭାପତି ଓ ବର୍ଗଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ ସଂଗଠନ ମଜଭୁତ୍ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ କରୋନା ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ତାସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ନବୀନ। ତେବେ ଗତକାଲି ଭିସିରେ ଆଲୋଚନା ବେଳେ ନବୀନ ବେଶ୍ ହାଲକା ଫୁଲକା ମୁଡରେ ଥିଲେ। ଏମିତିକି ଏକ କଳା ରଙ୍ଗର ଟି ସର୍ଟ ବି ପିନ୍ଧିଥିଲେ। ଯାହାକୁ ଦେଖି ଦଳର ବିଧାୟକ ଓ ନେତାମାନେ ନବୀନଙ୍କୁ ସ୍ମାର୍ଟ ଦେଖା ଯାଉଥିବା କହିବା ପରେ ନବୀନ ସମସ୍ତଙ୍କୁ ଫିଟ୍ ରହିବାକୁ ବି ପରାମର୍ଶ ଦେଇଥିଲେ। ରାଜ୍ୟରେ ସବୁ ଦଳଙ୍କ ଗତିବିଧି ସୂାଉଛି ଆଗକୁ ରାଜନୈତିକ ପାଣିପାଗ ବେଶ୍ ସରଗରମ୍ ହେବାକୁ ଯାଉଛି।

Advertisment
Odisha BJD BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ