ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ

ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜା ପାଟିତୁଣ୍ଡ କରିଛନ୍ତି ।

Bolangir

କଣ୍ଟାବାଂଜି ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ହଙ୍ଗାମା କରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ କଟାଯାଉଥିବା ଅଭିଯୋଗ କରି ହଙ୍ଗାମା କରିଛନ୍ତି ବିଧାୟକ ସାଲୁଜା । ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଏ ପ୍ରସଙ୍ଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜିଲ୍ଲା ପରିଷଦ ବୈଠକ ତିନି ମାସରେ ଥରେ ହେବାର କଥା, କିନ୍ତୁ ଶେଷ ଥର ପାଇଁ ୧୮/୦୬/ ୨୦୨୨ରେ ବିଳମ୍ବରେ ହୋଇଥିଲା । ଆଉ ସେବେ ଠାରୁ କୌଣସି ମିଟିଂ ହୋଇନଥିଲା । ଆଜି ଦୀର୍ଘ ୭ ମାସ ପରେ ହେଉଛି ଏହି ବୈଠକ । 

ବଲାଙ୍ଗିର ଜିଲ୍ଲାପାଳ ନିଜ ଅନୁସାରେ ଶାସନ ଚଳାଇଛନ୍ତି । ତାଙ୍କ ହିସାବରେ ସେ ପ୍ରୋଜେକ୍ଟ ଦେଉଛନ୍ତି । ଯେଉଁ ପ୍ରୋଜେକ୍ଟ ଲୋକଙ୍କ ସ୍ୱାର୍ଥରେ ଲାଗିବା କଥା, ସେ ନିଜ ଇଚ୍ଛାରେ କାର୍ଯ୍ୟରେ ଲଗାଉଛନ୍ତି । ଲୋକ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି । ଏଠି ବ୍ୟୁରୋକ୍ରାଟିକ୍ ଶାସନ ଚାଲିଛି । ତେବେ ଏପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।