ଧାମନଗର ଟଙ୍କା ବଣ୍ଟା: ଆଟାକିଂ ମୋଡ୍‌ରେ ବିଜେପି

ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି ।

Dhamnagar By-Poll

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ନାନା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣି ବିଜେପିର ତିନି ତିନିଟି ଟିମ୍ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଛି ଫେରାଦ । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଆଜି ଦିଲ୍ଲୀରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପାଖରେ ଏନେଇ ବିସ୍ତୃତ ଅଭିଯୋଗ ଦାଖଲ କରିଛନ୍ତି ।

ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି । ଧାମନଗରରେ ନିର୍ବାଚନ ଆଦର୍ଶ ଆଚରଣବିଧିର ଖୋଲା ଖୋଲି ଉଲ୍ଲଂଘନ ହେଉଥିବା ନେଇ କଡ଼ା ସାମାଲୋଚନା କରିଛନ୍ତି ଉଭୟ ଧର୍ମେନ୍ଦ୍ର ଓ ସମ୍ବିତ ।

ତେବେ ଶାସନ କଳକୁ ନିର୍ବାଚନରେ ବ୍ୟବହାର କରାଯାଉଥିବାରୁ ବିଜେଡି ଉପରେ ବର୍ଷିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବି ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ଏବେ ସିଇଓ ଦାୟିତ୍ୱରେ ଯିଏ ଅଛନ୍ତି ସେ ବି ପଞ୍ଚାୟତରାଜ ସଚିବ ଦାୟିତ୍ୱରେ ଥିବାରୁ କନଫ୍ଲିକଟ୍ ଅଫ୍ ଇନଟ୍ରେଷ୍ଟ ଅଭିଯୋଗ ଆଣିଛନ୍ତି । ଏଥିସହ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ମହିଳା ଶିଶୁବିକାଶ ବିଭାଗକୁ ଭଦ୍ରକ ଜିଲ୍ଲାପାଳ ହାତବାରିସି କରି ନିର୍ବାଚନରେ ବ୍ୟବହାର କରୁଥିବା ଅଭିଯୋଗ ବି ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଣେ ବିଜେପିକୁ କାଉଣ୍ଟର କରିବାକୁ ଯାଇ ବିଜେଡିର ଏକ ଟିମ୍ ମଧ୍ୟ ଆଜି ସିଇଓଙ୍କ ପାଖକୁ ଧାଇଁଥିଲେ ।

ସେପଟେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ, ଧାମନଗର ପ୍ରଚାରରେ ଅକସ୍ମାତ୍ ଏଣ୍ଟ୍ରି ମାରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।  ଧାମନଗରେ ଏକ ବିଶାଳ ବାଇକ୍ ଶୋଭଯାତ୍ରା ହୋଇଛି । ଚାଷୀଙ୍କୁ ଭୁବନେଶ୍ୱର ମନା ତ ବିଜେଡିକୁ ଧାମନଗର ମନା ନାରା ଦେଇ ଶାସକ ଦଳକୁ ଟାର୍ଗେଟ୍ କରି ଏହି ଚାଷୀ ସଂଗଠନ ଯାହାକୁ କାଉଣ୍ଟର କରିଛି ଶାସକ ଦଳ ।

ତେଣେ ତହିଡି ବ୍ଲକରେ ସରଗରମ ରହିଛି ରାଜନୈତିକ ମାହୋଲ । ଏହି ବ୍ଲକରୁ ଅଛନ୍ତି ୩ ଜଣ ପ୍ରମୁଖ ପ୍ରାର୍ଥୀ । କାଁପଡା ପଂଚାୟତରୁ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାଶ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିର୍ବାଚନ ମୈଦାନରେ ଥିବାବେଳେ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବି ତିହିଡି ବ୍ଲକ୍ ମଙ୍ଗରାଜପୁର ଗାଁର । ତେଣୁ ଏଠି ଭୋଟ୍ ବିଭାଜନ ସମ୍ଭାବନା ଅଧିକ । ଏପଟେ ସାଳନ୍ଦି ବନ୍ୟାରେ ସର୍ବାଧିକ ପ୍ରଭାବିତ ତିହିଡ଼ି ବ୍ଲକର ଭୋଟର କହୁଛନ୍ତି-ଭଲ ଲୋକ ଦେଖି ଭୋଟ୍ ଦେବୁ ।

ପ୍ରଚାରରେ କଂପୁଛି ଧାମନଗର । କଂଗ୍ରେସ ପକ୍ଷର ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କ୍ୟାମ୍ପେନ୍ କରିଛନ୍ତି । ସେହିପରି ବିଭିନ୍ନ ପଂଚାୟତରେ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ସାଂସଦ ସୁଲତା ଦେଓ ବି ଜୋରଦାର ପ୍ରଚାର ଚଳାଇଥିବାବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବି ପ୍ରଚାରକୁ ଆହୁରି ଜୋରଦାର କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ।