କାଲି ଧାମନଗର ରାୟ: ସକାଳ ୮ରୁ ଗଣତି, ୧୪ଟି ଟେବୁଲରେ ୧୮ ରାଉଣ୍ଡ କାଉଣ୍ଟିଂ

ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ସେପଟେ ଗଣତି ପୂର୍ବରୁ ବଢ଼ିଲଣି ପ୍ରାର୍ଥୀମାନଙ୍କ ହୃତସ୍ପନ୍ଦନ, ଉତ୍କଣ୍ଠାରେ ମତଦାତା ।

Dhamnagar Bypoll

 ମାସେ ଧରି ରାଜନୈତିକ ଛକାପଂଝା ଭିତରେ ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ଭଦ୍ରକ ସଂସ୍କୃତି ଭବନରେ ହୋଇଛି ବ୍ୟାପକ ବ୍ୟବସ୍ଥା । କଡା ସୁରକ୍ଷା ବଳୟରେ ରହିଛି ଇଭିଏମ୍ । କାଲି ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ ମୋଟ୍ ୨୫୨ ବୁଥରେ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ । ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ ।

୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ । ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି ରାଜ୍ୟ । ନିର୍ବାଚନ ଅଫିସ ସମେତ results.eci.gov.in ୱେବସାଇଟରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ । ଗଣତି ପାଇଁ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ । ଆଜି ଗଣତି କେନ୍ଦ୍ର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଏସପି ।

ଏପଟେ ଗଣତି ପୂର୍ବରୁ ବଢିବାରେ ଲାଗିଛି ରାଜନୈତିକ ଦଳଙ୍କ ଉତ୍କଣ୍ଠା । ପ୍ରାର୍ଥୀଙ୍କ ଛାତି ଧଡଧଡ ହେଉଛି । ଧାମନଗରରେ ଏଥର ହୋଇଛି କଡ଼ା ଟକ୍କର । ଗୋଟିଏ ପଟେ ଅନୁକମ୍ପାମୂଳକ ଭୋଟ୍ ଅନ୍ୟପଟେ ଏସଏଚଜି ଏକ୍ସପେରିମେଣ୍ଟ । ସେପଟେ ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ବି ରହିଛି ସମସ୍ତଙ୍କ ନଜର ।