Advertisment

ମୋହନ ସରକାରଙ୍କ ଆଗରେ ବାତ୍ୟା ଏକ ନୂଆ ଚ୍ୟାଲେଞ୍ଜ

ଓଡ଼ିଶାରେ ଏବେ ବାତ୍ୟା ଭୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।

ଅଦ୍ୟତନ ହୋଇଛି
Cyclone is a new challenge to the Mohan government

Cyclone is a new challenge to the Mohan government

Advertisment

ବାତ୍ୟା ‘ଦାନା’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଗତ ୨୪ ବର୍ଷ ମଧ୍ୟରେ ଦଶ ଦଶଟି ବାତ୍ୟାର ମୁକାବିଲା କରି ବିଶ୍ଵ ଦରବାରରେ ପ୍ରଶଂସା ଓ ପୁରସ୍କୃତ ହୋଇଥିବା 'ବାତ୍ୟାର ବାଦଶାହା' ନବୀନ ସରକାରଙ୍କୁ ଲୋକେ ମାନେ ପକାଇଛନ୍ତି! ଏବେ ନବୀନ ପଟ୍ଟନାୟକ କ୍ଷମତାରେ ନାହାନ୍ତି l

Advertisment

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧିନ ନୂଆ ବିଜେପି ସରକାର ବାତ୍ୟା ‘ଦାନା’କୁ କିଭଳି ଭାବରେ ମୁକାବିଲା କରୁଛନ୍ତି, ରାଜ୍ୟର ଧନ ଜୀବନକୁ ବାତ୍ୟା ମୁହଁରୁ ରକ୍ଷା କରିବା ଓ ପୁନଃରୁଦ୍ଧାର ପରିଚାଳନାରେ କେତେ ସଫଳ ହେଉଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିଛି ।

ଅବଶ୍ୟ ୨୪ ବର୍ଷର ଅଭିଜ୍ଞତା ଆଗରେ ୪ମାସର ନୂଆ ସରକାରଙ୍କୁ ତୁଳନା କରାଯାଇନପାରେ ତଥାପି ଅନେକ ଅନୁଭବୀ ବରିଷ୍ଠ ଅଧିକାରୀ ବାତ୍ୟା ମୁକାବିଲା ଦାୟିତ୍ୱରେ ଅଛନ୍ତି l କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାବେଳେ ଡବଲଇଂଜିନ ସରକାର ବାତ୍ୟା ମୁକାବିଲା ଏବଂ ପୁନଃରୁଦ୍ଧାର କାର୍ଯ୍ୟରେ କେତେ ସଫଳ ଓ ସକ୍ଷମ ହେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହେଉଛି।

Advertisment

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଅକ୍ଟୋବର ୨୪ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ଏବଂ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୧୦ରୁ ୧୨୦ କି.ମି. ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଢେର ଦିନ ଆଗରୁ ସୂଚନା ପ୍ରଦାନ କରିଛି ।

ଓଡିଶା ପାଇଁ ବାତ୍ୟା କିଛି ନୂଆ କଥା ନୁହେଁ;୧୯୯୯ ମହାବାତ୍ୟା ପରେ ୨୦୨୨ ସୁଦ୍ଧା ଦଶ ଦଶଟି ବାତ୍ୟା ଓଡିଶାବାସୀ ଦେଖିଛନ୍ତି । ଫାଇଲିନ୍, ହୁଡ୍ ହୁଡ୍, ଫନି ଭଳି ଭୟଙ୍କର ବାତ୍ୟା ବିପର୍ଯ୍ୟୟର ତାଣ୍ଡବକୁ ଲୋକେ ସାମ୍ନା କରିଛନ୍ତି । ତେବେ ବାତ୍ୟା ବେଳେ ସ୍ଥାନାନ୍ତରିକରଣ, ରନ୍ଧନଖାଦ୍ୟ ବିତରଣ ଓ ସ୍ଥାନୀୟ ପ୍ରଶାସନୀକସ୍ତରରେ ସୁପରିଚାଳନା ଆଦିକୁ ନେଇ ବିଶ୍ୱରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି ପୂର୍ବ ସରକାର ।

Advertisment

ବାତ୍ୟା ମୁକାବିଲାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାରଙ୍କ ବିଚକ୍ଷଣତା ଉପରେ ରାଜ୍ୟବାସୀ ଏଭଳି ଆଖିବୁଜି ଭରସା କରିପାରୁଥିଲେ ଯେମିତି ନବୀନ ଅଛନ୍ତି ମାନେ ତାଙ୍କର ଆଉ ବାତ୍ୟା ପ୍ରତି ଭୟ ନାହିଁ । ଏଭଳି ଏକ ଅତୁଟ ବିଶ୍ୱାସ ଲୋକଙ୍କଠାରେ ସୃଷ୍ଟି କରିପାରିଥିଲେ ନବୀନ।

ବାତ୍ୟା 'ଦାନା' ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକଟ କରି ନବୀନ ପଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିଜ ବାର୍ତ୍ତା ରଖିଛନ୍ତି l ସୋସିଆଲ ମିଡ଼ିଆ 'ଏକ୍ସ'ରେ ସେ ଉଲ୍ଲେଖ କରିଛନ୍ତି, "ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା 'ଦାନା'ରୁ ଆମକୁ ସୁରକ୍ଷିତ କରିବ।

ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା।"

ବଡ ବଡ ବାତ୍ୟାରେ ଧନ ଜୀବନର ସୁରକ୍ଷାକୁ ଗୁରୁତ୍ୱ, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ନବୀନ ସରକାରଙ୍କ ରଣକୌଶଳକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଏଭଳି କି ୨୦୧୩ ଫାଇଲିନ ଓ ୨୦୧୯ ଫନି ଭଳି ଭୟଙ୍କର ବାତ୍ୟାର ସୁପରିଚାଳନା ପାଇଁ ମିଳିତ ଜାତିସଂଘ ତରଫରୁ ନବୀନ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି । କେନ୍ଦ୍ର ସରକାର ମଧ୍ୟ ଅନେକ ସମୟରେ ନବୀନ ପଟ୍ଟନାୟକଙ୍କ ଏଭଳି ଦୁଃସାହସିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଗତ ଜୁଲାଇରେ କେରଳରେ ଘଟିଥିବା ଭୟାବହ ଭୂ-ସ୍ଖଳନ ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଂଦସରେ ଉଦ୍ବୋଧନ ଦେବାବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ନବୀନ ପଟ୍ଟନାୟକଙ୍କର ନାଁ ନେଇ ଉଚ୍ଚ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ଆଗୁଆ ସୂଚନା ଫଳରେ ଓଡିଶାରେ ବିଜେଡି ସରକାର କିଭଳି ସତର୍କତାର ସହିତ ବାତ୍ୟା ମୁକାବିଲା କକରିଥିଲେ ଶ୍ରୀ ଶାହା ତାର ଉଦାହରଣ ଦେଇଥିଲେ।

କେରଳ ସରକାରଙ୍କୁ ୭ ଦିନ ପୂର୍ବରୁ ବିପର୍ଯ୍ୟୟର ସୂଚନା ଦିଆଯାଇଥିଲେ ମଧ୍ୟ ସେଭଳି ପଦକ୍ଷେପ ନିଆଯାଇନଥିଲା, ଯଦ୍ୱାରା ଅନେକ ଲୋକ ମୃତ୍ୟୁ ମୁଖରେ ପଡିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ ।

ତେବେ ବଡ ବଡ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ବିଶ୍ୱ ଦରବାରରେ ପ୍ରଶଂସା ପାଇଥିବା ବିଜେଡି ସରକାର ୨୦୨୪ ନିର୍ବାଚନରେ କ୍ଷମତା ହରାଇବା ପରେ ଆଜି ଖୋଦ୍ ନିଜ ଦଳକୁ ନେଇ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି! ପୂର୍ବ ସରକାର ସହିତ ରାଜ୍ୟର ତୃଣମୂଳରୁ ଶୀର୍ଷଯାଏଁ ନଜର ରଖୁଥିବା; ଚାଷ-ବାସ, ଜୀବନ-ଜୀବୀକା, ଗୃହପାଳିତପଶୁ ଆଦି ସଭିଙ୍କ ସୁରକ୍ଷା ଉପରେ ତିକ୍ଷ୍ଣ ଦୃଷ୍ଟି ରଖୁଥିବା ଅତ୍ୟନ୍ତ ଅନୁଭବୀ ପ୍ରଶାସକ ପ୍ରଦୀପ ଜେନା ମଧ୍ୟ ଅବସର ନେଇଛନ୍ତି । ଆଉ ଅବସର ନେବା ସତ୍ୱେ ବାତ୍ୟା ଦାନାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ସେ ତାଙ୍କର ସୁଚିନ୍ତିତ ମତାମତ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ।

ନୂଆ ସରକାର ଆସିବାର ୪ ମାସ ପରେ ରାଜ୍ୟକୁ ଆସିଲା ପ୍ରାକୃତିକ ବିପର୍ଯ୍ୟୟ ଦାନା! ଓଡିଶାରେ ପୁଂଜି ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବମ୍ବେ ଓ ଦିଲ୍ଲୀରେ ବଡ ବଡ ଶିଳ୍ପପତିଙ୍କୁ ଭେଟି ଫେରିବାର ତୁରନ୍ତ ପରେ ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ ।

ଶୂନ୍ୟ ମୃତାହତକୁ ଲକ୍ଷ୍ୟରେ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଓଡ୍ରାଫ୍‌, ଅଗ୍ନିସମ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ବାତ୍ୟା ପ୍ରଭାବିତ ଅଂଚଳରେ ସଜାଗ କରିବା, ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ସୁବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବାତ୍ୟା ପୂର୍ବରୁ ସତର୍କତା ଓ ପରବର୍ତ୍ତୀ ମୁକାବିଲା ପାଇଁ ବିଶେଷ କରି ଶକ୍ତି, ସ୍ୱାସ୍ଥ୍ୟ ଓ କୃଷି ବିଭାଗକୁ ସରକାର ଫୋକସରେ ରଖିଛନ୍ତି।

ରାଜ୍ୟର ୧୪ଟି ବାତ୍ୟା ପ୍ରଭାବିତ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡିକୁ ୩ ଦିନ ଛୁଟି ଘୋଷଣା ମଧ୍ୟ ହୋଇଛି । ଅଧିକ ବାତ୍ୟା ପ୍ରଭାବ ଆଶଙ୍କା ଥିବା ୬ଟି ଜିଲ୍ଲା ପୁରୀ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଜଗତସିଂପୁର ଓ କେନ୍ଦ୍ରାପଡାର ସମସ୍ତ ଦିଗକୁ ତଦାରଖ କରିବା ପାଇଁ ୬ ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି।

କହିବାକୁ ଗଲେ ମୋହନ ସରକାର ବାତ୍ୟା ମୁକାବିଲା ପାଇଁ ସବୁ କ୍ଷେତ୍ରରେ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିଦେଇଛନ୍ତି। ତେବେ ନୂଆ ସରକାରଙ୍କ ଆଗରେ ବାତ୍ୟା ନୂଆ ଚ୍ୟାଲେଞ୍ଜ ହୋଇ ଠିଆହୋଇଥିବା ବେଳେ ପ୍ରଭାବିତ ଅଂଚଳବାସୀ କେତେ ସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ଉପରେ ସଭିଙ୍କ ନଜର ରହିଛି।

ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics Cyclone Disaster Management Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ