Advertisment

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ। କ୍ରସ୍ ଭୋଟିଂରୁ ଆସିଛି ୧୨୫ ଏମ୍‌ଏଲ୍‌ଏ ଓ ୧୭ ଏମ୍‌ପିଙ୍କ ଭୋଟ୍ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ମହମ୍ମଦ ମୋକିମଙ୍କୁ ପିସିସି ସଭାପତିଙ୍କ ନୋଟିସ୍।

Cross voting analysis for President Election

Cross voting analysis for President Election

Advertisment

ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ବେଳେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯେଉଁ ବିପୁଳ ଭୋଟ୍ ପାଇଲେ, ତା’ ପଛରେ ଖାଲି ଦଳୀୟ ସମର୍ଥନ କି ଅନୁକମ୍ପା ରାଜନୀତି ନୁହେଁ, ବରଂ ବିରୋଧୀ ୟୁପିଏ କ୍ୟାମ୍ପରୁ ଆସିଥିବା ବହୁ କ୍ରସିଂ ଭୋଟିଂ ବି ମହତ୍ୱ ରଖେ। ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପରେ ସାମ୍ନାକୁ ଆସିଛି ଦ୍ରୌପଦୀଙ୍କ ସପକ୍ଷରେ ପଡ଼ିଥିବା କ୍ରସ୍ ଭୋଟିଂର ଚିତ୍ର। ଏ ନିର୍ବାଚନରେ ତାଙ୍କୁ ବିରୋଧୀଙ୍କଠାରୁ ୧୨୫ ବିଧାୟକ ଓ ୧୭ ସାଂସଦଙ୍କ ସମର୍ଥନ ମିଳିଛି। ଏପଟେ ଓଡ଼ିଶାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ବି କ୍ରସ୍ ଭୋଟିଂ କରିଥିବାରୁ ତାଙ୍କୁ ନୋଟିସ୍ ଜାରି କରିଛି ରାଜ୍ୟ କଂଗ୍ରେସ।

Advertisment

ବହୁଚର୍ଚ୍ଚିତ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ବିଜୟ ବିରୋଧୀ ୟୁପିଏର ଟାଣୁଆ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ବଡ଼ ମାର୍ଜିନ୍‌ରେ ହରାଇ ଦେଶର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ହେବାକୁ ଯାଉଛନ୍ତି ଦ୍ରୌପଦୀ। ତେବେ ତାଙ୍କର ଏ ବିଜୟ ପଛରେ ଖାଲି ଯେ ଏନ୍‌ଡିଏର ସହଯୋଗୀ ଦଳର ସମର୍ଥନ ଥିଲା ତା’ ନୁହେଁ, ବରଂ ବିରୋଧୀ ୟୁପିଏ କ୍ୟାମ୍ପ୍‌ରୁ ବି ମିଳିଛି ଅକୁଣ୍ଠ ସହଯୋଗ। ନିର୍ବାଚନରେ ଦ୍ରୌପଦୀଙ୍କୁ କ୍ରସ୍ ଭୋଟିଂରୁ ମିଳିଛି ୧୨୫ ବିଧାୟକ ଓ ୧୭ ସାଂସଦଙ୍କ ସମର୍ଥନ।

କେରଳର ୧୪୦ ଆସନବିଶିଷ୍ଟ ବିଧାନସଭାରେ ବିଜେପିର ଜଣେ ହେଲେ ବିଧାୟକ ନ ଥିଲେ ମଧ୍ୟ, ଦ୍ରୌପଦୀଙ୍କୁ ଖଣ୍ଡିଏ ଭୋଟ ମିଳିଛି। ପଶ୍ଚିମବଙ୍ଗରେ ବିଜେପିର ୬୯ ବିଧାୟକ ଥିବାବେଳେ ଏଠାର ଦ୍ରୌପଦୀ ପାଇଛନ୍ତି ୭୧ ଖଣ୍ଡ ଭୋଟ୍, ଅର୍ଥାତ୍ ଏଠାରେ ୨ ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ୧୨୬ ଆସନବିଶିଷ୍ଟ ଆସାମରେ ବିଜେପିର ବିଧାୟକ ସଂଖ୍ୟା ୭୯, କିନ୍ତୁ ମିଳିଛି ୧୦୪ ଭୋଟ୍। ରାଜ୍ୟର ୨୫ ବିଧାୟକ କ୍ରସ୍ ଭୋଟିଂକୁ ପସନ୍ଦ କରିଛନ୍ତି।

Advertisment

ସେହିଭଳି ଦ୍ରୌପଦୀଙ୍କୁ ମଧ୍ୟପ୍ରଦେଶରୁ ମିଳିଛି ୧୬ ବିରୋଧୀ ବିଧାୟକଙ୍କ ଭୋଟ୍। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବହୁମତ ସଂଗ୍ରହ ବେଳେ ୧୬୪ ବିଧାୟକଙ୍କ ସମର୍ଥନ ଥିବାବେଳେ ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଦ୍ରୌପଦୀଙ୍କୁ ୧୮୧ ବିଧାୟକଙ୍କ ସମର୍ଥନ ରହିଛି। ସେହିଭଳି ବିହାରର ୬, ଛତିଶଗଡ଼ର ୬, ଗୁଜରାଟର ୧୦ ଓ ଗୋଆର ୪ ବିରୋଧୀ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି।

ଏପଟେ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍ ଭୋଟିଂରୁ ବାଦ୍ ପଡ଼ିନି ଓଡ଼ିଶା କଂଗ୍ରେସ। ବିଧାୟକ ମହମ୍ମଦ ମୋକିମ୍ ନିର୍ବାଚନ ଦିନ ହିଁ କ୍ରସ୍ ଭୋଟିଂ କରି କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଥିଲେ, ଯାହା ପାଇଁ ଏବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ଏବଂ କଂଗ୍ରେସର ଛବି ମଳିନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ତା’ର ଉତ୍ତର ୨ ସପ୍ତାହ ଭିତରେ ରଖିବାକୁ ନୋଟିସ୍‌ ମିଳିଛି। ସେପଟେ ନୋଟିସ୍‌ ପାଇବା ପରେ ସେ ଦଳୀୟ ଫୋରମ୍‌ରେ ଏହାର ଉତ୍ତର ରଖିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମୋକିମ୍।

Advertisment

(ରିପୋର୍ଟ: ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ଚନ୍ଦନ ପାଇକରାୟ)

President Election Cross Voting Analysis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ