Advertisment

Dumping Yard: ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ଘେରୁଥିଲା ବିଜେପି ଏବେ ଘେରୁଛି କଂଗ୍ରେସ

ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା ।

ଅଦ୍ୟତନ ହୋଇଛି
Dumping yard

Dumping yard

Advertisment

ବିଜେପି ନେତାମାନେ ନିର୍ବାଚନ ପୂର୍ବରୁ ଯେଉଁ ଦୁର୍ଗନ୍ଧ ଓ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ବିଜେଡି ସରକାରକୁ ନାକେଦମ୍ କରି ଥିଲେ; ଦଳର ପୁରୁଖା ନେତାମାନେ ମାସେ କାଳ ଧରି ସୈନିକ ସ୍କୁଲ ସାମ୍ନାରେ ସତ୍ୟାଗ୍ରହ କରି ନବୀନ ସରକାରଙ୍କ ନିଦ ହଜାଇ ଦେଇଥିଲେ, ସେମାନେ କ୍ଷମତାକୁ ଆସିବା ପରେ ଯେମିତି ମୁହଁ ଲୁଚାଇଲେଣି । ପଦକ୍ଷେପ ନେବା କଥା ତେଣିକି ଥାଉ, ବିଧାନସଭାରେ ପ୍ରଶ୍ନ ପଚାରିଲେ ବି ସିଧା ଉତ୍ତର ମିଳୁନି! ଏବେ ସେଇ ପ୍ରସଙ୍ଗକୁ କଂଗ୍ରେସ ଅସ୍ତ୍ର କରି ବିଜେପି ସରକାରକୁ ଘେରୁଛି । ବର୍ଷ ବର୍ଷ ଧରି ରାଜନୈତିକ ପଶାପାଲିରେ ଏହି ପ୍ରସଙ୍ଗ ଏପଟ ସେପଟ ହେଉଛି ସିନା ପ୍ରଦୂଷଣ ଓ ଦୁର୍ଗନ୍ଧରୁ କିନ୍ତୁ ଲୋକଙ୍କୁ ମୁକ୍ତି ମିଳୁନି ।

Advertisment

୨୦୧୨ର ସତ୍ୟପାଠ ଅକାମୀ!

ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶ ଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ଆଖପାଖ ଅଂଚଳର ଆବର୍ଜନା ଏବଂ ବିଏମ୍ସିର ଅଳିଆଗାଡି ଲାଗିଲା । କାଳକ୍ରମେ ଅଳିଆ ଆବର୍ଜନାର ପରିମାଣ ବଢିବା ଦ୍ୱାରା ଆଖ ପାଖ ଅଂଚଳକୁ ଦୁର୍ଗନ୍ଧ ଅଧିକ ବଢିବାରେ ଲାଗିଲା ।

ସ୍ଥାନୀୟ ଲୋକେ ଏହା ବିରୋଧରେ ବିଏମ୍ସିରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା; ଯାହାଦ୍ୱାରା ବାଧ୍ୟ ହୋଇ କୋର୍ଟଙ୍କ ଆଶ୍ରୟ ନେଇଥିଲେ । ସୈନିକ ସ୍କୁଲ ନିକଟରେ ଅଳିଆ ନ ପକାଇବାକୁ ୨୦୧୨ ସେପ୍ଟେମ୍ବରରେ ହାଇକୋର୍ଟ ଦ୍ୱିତୀୟବାର ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସ୍ଥାନରେ ଆଉ ଆବର୍ଜନା ପକାଯାଉ ନାହିଁ ବୋଲି ବିଏମ୍ସି ସେହି ସମୟରେ ଏକ ସତ୍ୟପାଠ ଦାଖଲ କରିଥିଲା । କିନ୍ତୁ ବାସ୍ତବରେ ଏହା ବନ୍ଦ ହୋଇନଥିଲା! ଆବର୍ଜନାରେ ସେହି କୃତ୍ରିମ ପୋଖରୀ ପୋତି ହୋଇ ଏବେ ସେଠାରେ ବିଶାଳ ପାହାଡର ଆକାର ଧାରଣ କରିଛି । ଯାହା ସ୍ଥାନୀୟ ଆଖପାଖ ଅଂଚଳ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisment

ଦୈନିକ ୫ଶହ ଟନର ଆବର୍ଜନା

ରାଜଧାନୀର ବିଭିନ୍ନ ୱାର୍ଡରୁ ଦୈନିକ ପ୍ରାୟ ୮୦୦ ଟନ ବର୍ଜ୍ୟବସ୍ତୁ ବାହାରୁଥିବାବେଳେ ସେଥିରୁ ୫୦୦ ଟନ ବର୍ଜ୍ୟ ସୈନିକ ସ୍କୁଲ ଡମ୍ପିଂୟାର୍ଡ ବା ଅସ୍ଥାୟୀ ଟ୍ରାଂଜିଟ ଷ୍ଟେସନ (ଟିଟିଏସ) ଭିତରକୁ ଯାଉଛି । ଟେରେକ୍ସ ଓ ଟ୍ରୋମେଲ ମେସିନ ମାଧ୍ୟମରେ ଏଠାରେ ବର୍ଜ୍ୟ ବସ୍ତୁ ସବୁ ପୃଥକୀକରଣ ସହିତ ପ୍ରକ୍ରିୟାକରଣ କରାଯାଉଛି । ବର୍ଷା ସମୟରେ ଆବର୍ଜନା ସବୁ ଓଦା ହେଲେ ଏବଂ ଖରା ଦିନେ ପବନ ହେଲେ ଏହାର ଦୁର୍ଗନ୍ଧ ସମଗ୍ର ଅଂଚଳକୁ ବ୍ୟାପିବା କାରଣରୁ ସ୍ଥାନୀୟବାସିନ୍ଦା କବାଟ ଝରକା ବନ୍ଦ କରି ଘରେ ରୁହନ୍ତି । ଭିଏସ୍ଏସ୍ ନଗର, ଗାଡକଣ, ରଙ୍ଗମାଟିଆ, ରେଲୱେ କଲୋନୀ, ଆଦିମାତା କଲୋନୀ, କେନ୍ଦ୍ରୀୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ଆଦି ଅଂଚଳ ପ୍ରଭାବିତ ହେବା ସହିତ ଏହି ସଲଂଗ୍ନ ରାସ୍ତା ଅତିକ୍ରମ କଲାବେଳେ ନାକ ବନ୍ଦ କରିବାକୁ ପଡୁଛି ।

ଅଳିଆ ହଟାଇବାକୁ ବିଜେପି ଦେଇଥିଲା ପ୍ରତିଶ୍ରୁତି 

ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଏ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ନବୀନ ସରକାରଙ୍କୁ ଘେରି ଆସିଥିଲେ । ତେବେ ଆନ୍ଦୋଳନକୁ ବ୍ୟାପକ ଓ ଅଧିକ ପ୍ରଭାବୀ କରିଥିଲା ବିଜେପି । ସୈନିକ ସ୍କୁଲ ଫାଟକ ସମ୍ମୁଖରେ ପ୍ରାୟ ଏକ ମାସ ଧରି ସତ୍ୟାଗ୍ରହ କରିଥିଲା ବିଜେପି । ଦଳର ପୁରୁଖା ଓ ରାଜ୍ୟର ଶୀର୍ଷ ନେତାମାନେ ପର୍ଯ୍ୟାୟକ୍ରମେ ସତ୍ୟାଗ୍ରହରେ ସାମିଲ ହୋଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ବିଜେପି କ୍ଷମତାକୁ ଆସିଲେ ଡମ୍ପିଂୟାର୍ଡ ହଟାଇବାକୁ ପ୍ରତିଶୃତି ଦେଇଥିଲେ । ଏପରିକି ପ୍ରତିକ୍ରିୟା ଦେଇ କହିଥିଲେ, ଆମେ କ୍ଷମତାକୁ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଳିଆ ଏଭଳି ପୋଛିନେବୁ ଖୋଜିଲେ ଗୋଟିଏ ଗ୍ରାମ୍ ବି ମିଳିବ ନାହିଁ । ଦଳର ଅନେକ ବଡ ବଡ ନେତା ସତ୍ୟାଗ୍ରହରେ ଅନେକ ପ୍ରତିଶୃତି ଦେଇଥିଲେ । ଏବେ ୨୦୨୪ ନିର୍ବାଚନ ସରି ୫ ମାସ ବିତିଗଲାଣି । ହେଲେ ନା ଆବର୍ଜନା ହଟିଛି ନା ଲୋକଙ୍କୁ ଦୁର୍ଗନ୍ଧରୁ ମୁକ୍ତି ମିଳିଛି ।

Advertisment

ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିରୋଧୀ 

ଗତ ସେପ୍ଟେମ୍ବର ୩ ତାରିଖରେ ଏହି ପ୍ରସଙ୍ଗରେ ବିଧାନସଭାରେ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ତାଙ୍କ ପ୍ରଶ୍ନ ଥିଲା କେବେ ସୁଦ୍ଧା ସମ୍ପୃକ୍ତ ସ୍ଥାନରୁ ଅଳିଆଗଦା ସ୍ଥାନାନ୍ତର ହେବ? ତେବେ ଏହାର ସିଧା ଉତ୍ତର ବଦଳରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ୱିଣ୍ଡୋ ପଦ୍ଧତି ମାଧ୍ୟମରେ ଲାଇନ ଟ୍ରୋମେଲ ମେସିନ ଓ ଅନ୍ୟ ଯାନ୍ତ୍ରିକ ଉପକରଣରେ ଦୈନିକ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଉଛି ।  ନନ୍ ରିସାଇକ୍ଲେବୁଲ ବର୍ଜ୍ୟ ବସ୍ତୁକୁ ରାଇରଙ୍ଗପୁର ସିମେଣ୍ଟ କାରଖାନାକୁ ପଠାଯାଉଛି । ସରକାରକୁ ଆସିବାର ଗତ ୫ ମାସ ଭିତରେ ସରକାର ଅନେକ ନିଷ୍ପତ୍ତି ଓ ପଦକ୍ଷେପ ନେଇଛନ୍ତି । ଏଭଳି କି ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ତେବେ ଯେଉଁ ଆବର୍ଜନା ଗଦା ପାଇଁ ମାସେକାଳ ସତ୍ୟାଗ୍ରହ କରିଥିଲେ ସେ ବାବଦରେ ବିଜେପି କିମ୍ବା ସରକାର ଯେମିତି ପୂରା ନୀରବ ଥିଲା ପରି ମନେ ହେଉଛି । 

କଂଗ୍ରେସ ହାତରେ ପ୍ରସଙ୍ଗ

ସୈନିକ ସ୍କୁଲ ନିକଟ ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗକୁ ଏବେ କଂଗ୍ରେସ ଅସ୍ତ୍ର କରୁଛି । ପୂର୍ବରୁ ବିଧାନସଭାରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଥିବାବେଳେ ଗତ ନଭେମ୍ବର ୨୦ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ରନେତା ଆବର୍ଜନାସ୍ଥଳୀ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରନେତାମାନେ କହିଛନ୍ତି, ବିଜେପି ରାଜନୀତି କରିବା ଜାଣିଛି, ଲୋକଙ୍କ ସମସ୍ୟାର ସମାଧାନ କରିବା ନୁହଁ । ଏହାର ପ୍ରତିକାର ନହେଲେ ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।

ରାଜ୍ୟସାରା ଆବର୍ଜନାର କ୍ୟାନ୍ସର

କେବଳ ରାଜଧାନୀର ଏହି ଅଳିଆ ପାହାଡ ନୁହେଁ, ପୁରୀ ବଳିଆପଣ୍ଡା ଆବର୍ଜନା ହେଉ କିମ୍ବା ବ୍ରହ୍ମପୁର, ରାଉରକେଲା ମହାନଗରରୁ ଏନ୍ଏସି ଏଭଳି କି ଗ୍ରାମାଂଚଳକୁ ବ୍ୟାପିଲାଣି ଆବର୍ଜନାର କ୍ୟାନ୍ସର । ପ୍ଲାଷ୍ଟିକ, ପଲିଥିନରେ ପୋତି ହୋଇଯାଉଛି ନଦୀ, ପୋଖରୀ ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ରାସ୍ତାଘାଟ । ଏହାର ପରିଚାଳନା ପାଇଁ ସରକାର ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ କଣ ସମସ୍ୟା ବଢି ବଢି ଚାଲିଛି । ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ ସମସ୍ୟା ତଥା ଆର୍ଥିକ କ୍ଷତି ହେବାରେ ଲାଗିଛି । ଏକ୍ଷେତ୍ରରେ ରହିଥିବା କଟକଣା ଓ ଆଇନଗୁଡିକୁ କଡାକଡି କରାଯିବା ଉଚିତ । ଏହା ସହିତ ବ୍ୟାପକ ସଚେତନତା କରାଯିବା ମଧ୍ୟ ଆବଶ୍ୟକ ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Bhubaneswar BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ