Advertisment

ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ, ପୁରୁଣା ବହିରେ ନୂଆ ମଲାଟ କହିଲେ ବିରୋଧୀ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ।

CM Naveen Patnaik visits Nippon Steel's plant in Japan

CM Naveen Patnaik visits Nippon Steel's plant in Japan

Advertisment

ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ। ତା ସାଙ୍ଗକୁ ଏଇ ସ୍ୱପ୍ନର ଜୋରଦାର ପ୍ରଚାର ପ୍ରସାର। ସୋସିଆଲ ମିଡିଆରେ ନବୀନ ଆଟ୍ ନିପ୍ପନ କ୍ୟାମ୍ପେନ। ହେଲେ ଏହି ସ୍ୱପ୍ନର ବାସ୍ତବତାକୁ ନେଇ ଦ୍ୱନ୍ଦ୍ୱ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଉପରେ ବିଜେପି ପ୍ରଶ୍ନ ଉଠାଇବା ସହ ଜାପାନରୁ ନୂଆ ଶିଳ୍ପ ଆସୁଛି ନା ସରକାର ପୁରୂଣା ବହିରେ ନୂଆ ମଲାଟ ମଡ଼ାଉଛନ୍ତି ବୋଲି ଜାଣିବାକୁ ଚାହିଁଛି। କାହିଁକି ନା ପୂର୍ବରୁ କେନ୍ଦ୍ରପଡାରେ ୨୪ ନିୟୁତ ଟନ୍ ଏବଂ ଜଗତସିଂହପୁରରେ ୭ ନିୟୁତ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ନିପ୍ପନ ଏବଂ ମିତ୍ତଲ ସହ ଏମଓୟୁ କରିଛନ୍ତି ସରକାର।

Advertisment

ତେଣୁ ଏବେ ଓଡିଶାରେ ୩୦ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟର ଘୋଷଣା ନୂଆ ନା ପୂରୁଣା ? ଯଦି ପୁରୁଣା ତାହେଲେ କାହିଁକି ଜାପାନରେ କେବଳ ନିପନଙ୍କୁ ଭେଟିଲେ ନବୀନ, ମିତ୍ତଲ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛି ଦଳ। ଏହା ସହ କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପାଇଁ ଇସ୍ପାତ
ମନ୍ତ୍ରୀ ଥିବା ବେଳେ ଧର୍ମେନ୍ଦ୍ରଙ୍କ ଅଧିକ ଭୂମିକା ଥିବା କହିଛି ବିଜେପି।

ସେହିପରି କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇ କହିଛି ବିଦେଶୀ ପୁଞ୍ଜି କେତେ ଆସିଛି ସରକାର ହିସାବ ଦିଅନ୍ତୁ। ବିରୋଧୀଙ୍କ ପ୍ରଶ୍ନର ଜବାବରେ ବିଜେଡି କହିଛି ଅତୀତର ସମସ୍ୟା ଏବେ ନାହିଁ, ସରକାର ଯତ୍ନବାନ ଅଛନ୍ତି। ପ୍ରଶାସନିକ ତତ୍ପରତା ବି ଅଛି। ଶିଳ୍ପ ହେବା ସୁନିଶ୍ଚିତ। ଅନ୍ୟପଟେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ।

Advertisment

କୁଜଙ୍ଗ ନୂଆଗଡ଼ ପଞ୍ଚାୟତରେ କଂପାନିର ପାଚେରୀ କାମକୁ ବିରୋଧ କରି ମେଳି ବାନ୍ଧୁଛନ୍ତି ସ୍ଥାନୀୟ ବାସନ୍ଦା। ସେହିପରି କେନ୍ଦ୍ରାପଡ଼ାରେ ବି ଅନୁରୂପ ସ୍ଥିତି।ମହାକାଳପଡାର ୩ ପଞ୍ଚୟାତ ଖର୍ନାସୀ, ବତୀଘର ଓ ରାମନଗରରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ବିରୋଧକୁ ଜୋରଦାର କରିଛନ୍ତି। ଏପରିକି ୧୦ ହଜାର ଏକର ଜମିରେ ଛିଡା ହେବାକୁ ଥିବା ଇସ୍ପାତ କାରଖାନା ପାଇଁ ମୃତ୍ତିକା ପରୀକ୍ଷଣ ବେଳେ ଅଧୀକାରୀଙ୍କୁ ଲୋକଙ୍କ ରୋଷର ସାମ୍ନା କରିବାକୁ ପଡ଼ିଥିଲା।

କେବଳ ସେତିକି ନୁହେଁ କେନ୍ଦ୍ରାପଡାର ଏ ପ୍ରକଳ୍ପ ଭିତରକନିକା ଅଭୟାରଣ୍ୟ ପାଇଁ ବି ଅଡୁଆ କରିପାରେ। ପ୍ରକଳ୍ପ ହେଲେ ଭିତରକନିକା ଉପରେ ଏହାର କି ପ୍ରଭାବ ପଡ଼ିବ ତାକୁ ଆକଳନ କରି ପରିବେଶ ମଞ୍ଜୁରୀ କଣ୍ଟା ହୋଇପାରେ। ଜଗତସିଂହପୁରରେ ଦେଶର ପ୍ରଥମ ବୃହତ ପୁଞ୍ଜିନିବେଶ ସ୍ୱପ୍ନ ଦେଖାଇଥିବା ପୋସ୍କୋ କେବେଠୁ ଫେରିଯାଇଛି। ଆଉ ଏବେ ଅନିଶ୍ଚିତତା ଭିତରେ ଜେଏସଡବ୍ଲୁ। କେନ୍ଦୁଝରରେ ବି ୫୦ ହଜାର କୋଟିର ନିବେଶ ସ୍ୱପ୍ନ ଦେଖାଇ ମୁହଁ ମୋଡିଛି ମିତ୍ତଲ। ତେଣୁ ଏମିତି ସ୍ଥିତିରେ ସରକାରଙ୍କ ଶିଳ୍ପ ସ୍ୱପ୍ନର ବାସ୍ତବିକତା ଉପରେ ଠିଆ ହୋଇଛି ବଡ଼ ପ୍ରଶ୍ନବାଚୀ।

Advertisment
CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ