ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ CBIର ମାରାଥନ ଜେରା

ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ରାଜଘାଟ ଯାଇ କେଜ୍ରିୱାଲଙ୍କୁ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କେଜ୍ରିୱାଲଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହ ମଦ ନୀତି ଦୁର୍ନୀତିରେ ସିବିଆଇ ଆଗରେ ସବୁ ସତ କହିବାକୁ ଆହ୍ୱାନ ଦେଇଛନ୍ତି ।

କେଜ୍ରିୱାଲଙ୍କୁ CBIର ମାରାଥନ ଜେରା

ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇର ମାରାଥନ ଜେରା । ସମନ ପାଇ ଦିନ ପ୍ରାୟ ୧୧ଟା ୧୫ରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ପହଞ୍ଚିଥିବା କେଜ୍ରିୱାଲଙ୍କୁ ଏପର୍ଯ୍ୟନ୍ତ ପଚରା ଉଚରା ଜାରି ରହିଛି । ଯାହାକୁ ନେଇ ସରଗରମ ଦିଲ୍ଲୀ ରାଜନୀତି । ମୁହାଁମୁହିଁ ଆପ୍-ବିଜେପି ।

ସିସୋଦିଆଙ୍କ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ସିବିଆଇ ଅଫିସରେ କେଜ୍ରିୱାଲଙ୍କୁ ମାରାଥନ୍ ଜେରା ତ ବାହାରେ ଆମ୍ ଆଦମୀ ପାର୍ଟିର ହଲ୍ଲାବୋଲ୍ । ଧାରଣା, ବିକ୍ଷୋଭ, ବହୁ ନେତାଙ୍କ ଗିରଫଦାରୀର ଅଭିଯୋଗ । ଏହାକୁ ନେଇ ସରଗରମ ରହିଛି ଦିଲ୍ଲୀ ରାଜନୀତି । ସିବିଆଇର ସମନ ଅନୁସାରେ ଆଜି ହାଜର ହେବାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମେ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହା ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ଚିରାଚରିତ ଢଙ୍ଗରେ ବିଜେପି ଉପରେ ବର୍ଷିବା ସହ ସିବିଆଇ ଯାହା ପଚାରିବ ସଠିକ ଜବାବ ଦେବି ବୋଲି କହିଥିଲେ କେଜ୍ରିୱାଲ । ପାଖାପାଖି ୧୧ଟା ୧୫ରେ ସିବିଆଇ ଅଫିସରେ ପହଞ୍ଚିଥିଲେ କେଜ୍ରିୱାଲ୍ । ହେଲେ ତା ପୂର୍ବରୁ କେଜ୍ରିୱାଲଙ୍କ ସମର୍ଥନରେ ସାରା ଦିଲ୍ଲୀରେ ରାଜରାସ୍ତାକୁ ଓହ୍ଲାଇଥିଲେ ଆପର ନେତା ଓ କର୍ମୀ । ଏପିରିକି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ସମେତ ପଞ୍ଜାବ କ୍ୟାବିନେଟର ବହୁ ମନ୍ତ୍ରୀ, ଦିଲ୍ଲୀ କ୍ୟାବିନେଟର ପ୍ରାୟ ସବୁ ମନ୍ତ୍ରୀ ସିବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ବସି ରହିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପଟେ ବିଜେପି ବି କେଜ୍ରିୱାଲଙ୍କ ବିରୋଧରେ ହମଲାକୁ ଜୋରଦାର କରିଛି ।

ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ରାଜଘାଟ ଯାଇ କେଜ୍ରିୱାଲଙ୍କୁ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କେଜ୍ରିୱାଲଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବା ସହ ମଦ ନୀତି ଦୁର୍ନୀତିରେ ସିବିଆଇ ଆଗରେ ସବୁ ସତ କହିବାକୁ ଆହ୍ୱାନ ଦେଇଛନ୍ତି ।

ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ୨୦୨୧ରେ ଆଣିଥିବା ନୂଆ ମଦ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ । ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଫେବ୍ରୁଆରୀ ୨୬ରୁ ଜେଲରେ ଅଛନ୍ତି । ଆଉ ଏବେ କେଜ୍ରିୱାଲଙ୍କୁ ସିବିଆଇର ଜେରାକୁ ନେଇ ତେଜିଛି ରାଜନୀତି ।

ବ୍ୟୁରୋ ଇନପୁଟ୍ ସହ ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ, ଓଟିଭି....