ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା । ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ସନ୍ଦେଶଖାଲିରେ ମହିଳାଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସ୍ଥାନୀୟ ମହିଳାଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହେବା ପରେ ବିଗିଡ଼ିଛି ପରିସ୍ଥିତି । ସନ୍ଦେଶଖାଲିରେ ଆସନ୍ତାକାଲି ଯାଏଁ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି । ସନ୍ଦେଶଖାଲିରେ ଟିଏମସି ନେତା ଶେଖ ଶାହାଜାହାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଉଦବେଗ୍ ପ୍ରକାଶ ପାଇଥିଲା ।
ଏଥିରେ ମୁଖ୍ୟ ଅଭିଯୋଗକାରିଣୀ ରେଖା ପାତ୍ରଙ୍କୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି । ସେପଟେ ଗତ ଜୁନ ୨ରେ ମଧ୍ୟ ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା ହୋଇଥିଲା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା ।
Also Read
ଶେଷ ପର୍ଯ୍ୟାୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି । ଘଟଣାରେ ୧୦-୧୧ଜଣ ଟିଏମ କର୍ମୀଙ୍କ ସଂପୃକ୍ତି ଥିବା ଦକ୍ଷିଣ-ନଦିଆ ଜିଲ୍ଲା ବିଜେପି ସଭାପତି ଅର୍ଜୁନ ବିଶ୍ୱାସ ଦାବି କରିଛନ୍ତି ।
ସେପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ହଫିଜୁଲଙ୍କ ପରିବାର । ଚଳିତ ଲୋକସଭା ନିର୍ବାଚନରେ ନଦିଆର ଅଳ୍ପ ସଂଖ୍ୟକ ବର୍ଗଙ୍କ ନେତୃତ୍ୱ ନେବା ସହ ବହୁ ଲୋକଙ୍କୁ ବିଜେପିରେ ମିଶାଇଥିଲେ ହଫିଜୁଲ । ଯାହାକୁ ନେଇ ଟିଏମସି କର୍ମୀ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି ।
ସେପଟେ ରାଜ୍ୟରେ ମଧ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ଅବସରରେ ଜାରି ରହିଥିଲା ନିର୍ବାଚନୀ ହିଂସା । ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଘଟଣା ପରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ, ତେଜେଶ୍ୱର ପରିଡ଼ା ପହଞ୍ଚି, ମୃତକଙ୍କ ପରିବାରକୁ ଆଶ୍ୱାସନା ଓ ସମବେଦନା ଜଣାଇବା ସହ ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।