ଖୁବ୍‌ଶୀଘ୍ର ଓଡ଼ିଶାରେ କମ୍‌ବ୍ୟାକ୍‌ କରିବ ବିଜେପି: ଅପରାଜିତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।

Aparajita Sarangi

ଏକ୍‌ଜାଟ୍‌ ହେଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ । ୪ ରାଜ୍ୟରେ ବିଜେପିର ବୋଲବାଲା । ସବୁଠି ସରକାର ଗଢ଼ିବ ବିଜେପି । ୟୁପି-ଉତ୍ତରାଖଣ୍ଡ- ମଣିପୁର- ଗୋଆରେ ସରକାର ଗଠନ କରିବ ବିଜେପି । ଏଭଳି ଏକ ସଙ୍କେତ ମିଳିସାରିଛି । ତେବେ ଏହାକୁ ନେଇ ବିଜେପି ମୁଖପାତ୍ର ତଥା ସାଂସଦ ଅପରାଜିତ ଷଢ଼ଙ୍ଗୀ ନିଜର ପ୍ରତିକ୍ରିୟାରେ, ଏହି ବିଜୟର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା । ଲୋକମାନେ ପୁଣି ଥରେ ବିଜେପିକୁ ବାଛିଛନ୍ତି । ପ୍ରଧାନମନ୍ତ୍ରୀ ସବ୍‌କା ସାଥ୍‌ ସବକା ବିକାଶ ଉପରେ ବିଶ୍ୱାସ ରଖନ୍ତି । ଲୋକମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରିଛନ୍ତି ।

ତେବେ ୪ ରାଜ୍ୟରେ ଯେଉଁ ଟେକ୍‌ନିକ୍‌ରେ ନିର୍ବାଚନ ଲଢ଼ିଛି ଦଳ, ଆଗକୁ ସେହି ଟେକ୍‌ନିକ୍‌ରେ ଓଡ଼ିଶାରେ ମଧ୍ୟ ଲଢ଼େଇ ହେବ । ପଞ୍ଚାୟତ ନିର୍ବାଚନର ଫଳ ବିଜେପି ପାଇଁ ନୈରାଶ୍ୟ ଜନକ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପୌରନିର୍ବାଚନରେ ପଡ଼ିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅପରାଜିତା । ପଞ୍ଚାୟତ ନିର୍ବାଚନରେ ସେ ପଛରେ ପଡ଼ିଯାଇଥିଲେ ମଧ୍ୟ ଖୁବ୍‌ଶୀଘ୍ର କମ୍ ବ୍ୟାକ୍‌ କରିବେ ବୋଲି କହିଛନ୍ତି । ବିଜେପି ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସୂଚାଇ ଦେଇଛନ୍ତି ଅପରାଜିତା ।

ତେବେ ପଞ୍ଜାବର ନିର୍ବାଚନ ଫଳାଫଳ ନେଇ ମଧ୍ୟ ଅପରାଜିତା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପଞ୍ଜାବରେ ଆମର ପ୍ରଦର୍ଶନ ଖରାପ ନୁହେଁ, ସେଠାରେ ବିଜେପିର ଭୋଟ ପ୍ରତିଶତ ବଢ଼ିଛି । ୨୦୧୭ରେ ବିଜେପି ୫ ପ୍ରତିଶତ ଭୋଟ ପାଇଥିଲା ଏଥର ୭% ପାଇଛି । ଅର୍ଥାତ୍ ଗତଥର ଅପେକ୍ଷା ଏଥର ଦୁଇ ପ୍ରତିଶତ ଭୋଟ ବିଜେପିର ବଢ଼ିଛି ।